ଶ୍ରଦ୍ଧାଳୁଙ୍କ ସହ କମୁଛି ଦାନଦକ୍ଷିଣା, ପୁରୋହିତ ଓ ପୂଜାରୀ ପ୍ରଭାବିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ମହାମାରୀ କରୋନାର ବିଭୀଷିକା ବଢିବାରେ ଲାଗିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଂଚଳରେ କରୋନା  ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କରୋନା ଯୋଗୁ ପ୍ରାୟ ସମସ୍ତ ବ୍ୟବସ୍ଥାର ସ୍ଥିତି ଟଳମଳ ହୋଇ ଯାଇଛି । ସମସ୍ତଙ୍କୁ କନ୍ଦାଉଛି ଏହି କାଳରୂପୀ ମହାମାରୀ କରୋନା କନ୍ଧମାଳ ଜିଲ୍ଲାରେ  ଥିବା ଦେବାଳୟ ଗୁଡ଼ିକ କରୋନା ଯୋଗୁଁ ପରୋକ୍ଷ ଭାବରେ ପ୍ରଭାବିତ ହୋଇଛି । ଅଂଚଳରେ ଥିବା ଦେବାଦେବୀଙ୍କ ମନ୍ଦିରରେ ଭକ୍ତଙ୍କ ଆଗମନ ସଂଖ୍ୟା କମୁଥିବାରୁ ମନ୍ଦିରରେ ଦାତାଙ୍କ ଦାନ ପରିମାଣ କମୁଛି, ଯାହାର ପ୍ରଭାବ ସିଧାସଳଖ ପୂଜାରୀଙ୍କ ଉପରେ ପଡୁଛି । କନ୍ଧମାଳ ଜିଲ୍ଲାରେ ଥିବା  ଶ୍ରୀ ଜଗନ୍ନାଥ ମନ୍ଦିର, ମା’ ତାରିଣୀ ମନ୍ଦିର,ମା’ପାଟଖଣ୍ଡା ମନ୍ଦିର, ସାଇବାବା ମନ୍ଦିର,  ହନୁମାନ ମନ୍ଦିର, ଶନି ମନ୍ଦିର, କାଳୀ ମନ୍ଦିର, ଗାୟତ୍ରୀ ମନ୍ଦିର, ଶିବ ମନ୍ଦିର, ଧବଳେଶ୍ୱର ମନ୍ଦିର, ଦୁର୍ଗା ମନ୍ଦିର,  ଓ ବିଭିନ୍ନ କଲୋନୀ ନିକଟରେ ଥିବା ଦେବାଳୟ ହୋଇ ପଡ଼ିଛି ଭକ୍ତ ଶୂନ୍ୟ ।କରୋନା ମହାମାରୀୁ ଦୃଷ୍ଟିରେ ରଖି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଉପରେ ଗତ ୪ ମାସ ପୂର୍ବରୁ କୋଭିଡ଼ କଟକଣା ସରକାରଙ୍କ ପକ୍ଷରୁ ଲଗାଯାଇଛି । ମାତ୍ର କିଛି ନିର୍ଦ୍ଦିଷ୍ଟ ବାର, ତିଥିରେ ଶ୍ରଦ୍ଧାଳୁ ମାନେ ମୁହଁରେ ମାସ୍କ ପରିଧାନ ସହ ସାମାଜିକ ଦୂରତାରେ ପୂଜାର୍ଚ୍ଚନା କରିବା ଦେଖାଯାଉଛି, ମାତ୍ର ପୂର୍ବଭଳି ମନ୍ଦିରରେ କୌଣସି ପର୍ବପର୍ବାଣୀରେ ଶ୍ରଦ୍ଧାଳୁଙ୍କ ଗହଳି ଏତେଟା ଜମୁନାହିଁ ବୋଲି  ମନ୍ଦିର ଗୁଡିକର ପୂଜକ  ପ୍ରକାଶ କରିଛନ୍ତି । ଭକ୍ତ ନଆସିବା ଯୋଗୁ ମନ୍ଦିରର ଦକ୍ଷିଣା ଥାଳି ମଧ୍ୟ ସମୟ ସମୟରେ ଖାଲି ପଡି ରହୁଛି । ସକାଳ ସମୟରେ କିଛି ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିର ବାହାରେ ମୁଣ୍ଡିଆ ମାରି ତରବରିଆ ଭାବେ ଚାଲି ଯାଉଛନ୍ତି! ସଂଧ୍ୟା ସମୟରେ ସମସ୍ତ ମନ୍ଦିରରେ ନିତୀ ସମ୍ପାଦନ କରାଯାଉଛି,ହେଲେ ଶ୍ରଦ୍ଧାଳୁଙ୍କ ଦେଖାଦର୍ଶନ ମିଳୁନି । ପ୍ରକାଶ ଥାଉକି, ଅଂଚଳରେ ଥିବା ମନ୍ଦିର ଗୁଡ଼ିକରେ ପୂଜାରୀ ମାନେ ନିତୀ ସମ୍ପାଦନ କରି ଦାତାଙ୍କ ପକ୍ଷରୁ ଯାହା ଦାନ ଦକ୍ଷିଣା ମିଳେ, ସେଥିରେ ସେମାନେ ପରିବାର ପ୍ରତିପୋଷଣ କରିଥାନ୍ତି, ଅପରପକ୍ଷରେ ଦାତାଙ୍କ ଘରେ ମେଳା, ହୋମପାଠ କରି  ପୁରୋହିତ ମାନେ ଆୟ କରିଥାନ୍ତି । ବିଭାଘର, ବ୍ରତଘର ଆଦିରୁ ପୁରୋହିତ  ମାନଙ୍କୁ କିଚିଂତ ଅର୍ଥ ମିଳିଥାଏ ବୋଲି ପୁରୋହିତ ମହଲ ରୁ ପ୍ରକାଶ l ମାତ୍ର ଗତ ମାର୍ଚ୍ଚମାସରୁ କରୋନାକୁ ଦୃଷ୍ଟିରେ ରଖି ଦେବାଳୟ ଗୁଡ଼ିକ ଉପରେ କୋଭିଡ଼ କଟକଣାର ଅଙ୍କୁଶ ଲାଗିବା ଯୋଗୁ ଉଭୟ ଦାତା, ପୁରୋହିତ ଓ ପୂଜକ ଏକ ପ୍ରକାର ଦୋଦଲ୍ୟମାନ ପରିସ୍ଥିତିରେ ଗତି କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ