ଚିକିତ୍ସା ଥଇଥାନ କେନ୍ଦ୍ର ‘ମିଶନ ଆଶାଲୋକ’ ଉଦ୍ଘାଟିତ
ଭୁବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍) : ସମାଜରେ ବିଭିନ୍ନ କାରଣରୁ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି । ଏହା ଦ୍ୱାରା ଅସହାୟ ମାନସିକ ବିକାରଗ୍ରସ୍ତମାନେ ଅତ୍ୟନ୍ତ ଅବହେଳାର ଶିକାର ହେଉଛନ୍ତି । ସେ ପୁରୁଷ ହେଉ କି ନାରୀ, ଉଭୟ ମାନସିିକ ରୋଗୀମାନେ ନିଜ ପରିବାର ତଥା ସମାଜରୁ ଏକ ପ୍ରକାର ବାସନ୍ଦ ହୋଇ ରାଜରାସ୍ତାରେ ଘୂରି ବୁଲୁଛନ୍ତି । ବେଳେବେଳେ ସେମାନଙ୍କ ଦ୍ୱାରା ସମାଜରେ ଅନିଚ୍ଛାକୃତ ଅପରାଧ ଘଟୁଛି ବୋଲି ଅଭିଯୋଗ ହେଉଥିବା ବେଳେ ପ୍ରକୃତରେ କିନ୍ତୁ ସେମାନଙ୍କ ପ୍ରତି ଅପରାଧୀମାନେ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ପିପୁଲସ୍ ଫୋରମ ଦ୍ୱାରା ୨୦୦୩ ମସିହାରୁ ମାନସିକ ରୋଗଗ୍ରସ୍ତ ଅସହାୟା ମହିଳାମାନଙ୍କ ନିମନ୍ତେ ଚିକିତ୍ସା ଓ ଥଇଥାନ କେନ୍ଦ୍ର ‘ମିଶନ ଆଶ୍ରା’ ପ୍ରତିଷ୍ଠା କରାଯାଇଅଛି । ଯାହାଦ୍ୱାରାକି ଆଜିପର୍ଯ୍ୟନ୍ତ ସମଗ୍ର ରାଜ୍ୟରୁ ଓଡ଼ିଶା ତଥା ଓଡ଼ିଶା ବାହାରର ତିନିହଜାର ଅସହାୟା ମାନସିକ ମହିଳା ରୋଗୀଙ୍କୁ ଉଦ୍ଧାର କରି ଚିକିତ୍ସା ଓ ଥଇଥାନ କରାଯାଇଅଛି । ତନ୍ମଧ୍ୟରୁ ଏକ ହଜାରରୁ ଉଦ୍ଧ୍ୱର୍ ମହିଳାଙ୍କୁ ସୁସ୍ଥ ହେଲା ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇ ପାରିଛି । ଏବେ ଓଡ଼ିଶାରେ କ୍ରମଶଃ ବୃଦ୍ଧି ପାଉଥିବା ପୁରୁଷ ମାନସିକ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଉଦ୍ଧାର କରାଯାଇ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇପାରିବ ସେଥିନିମନ୍ତେ ମିଶନ ଆଶାଲୋକ କାର୍ଯ୍ୟ କରିବ । ଇତି ମଧ୍ୟରେ ଭୁବନେଶ୍ୱର ଓ ପୁରୀରୁ ୪୩ ଜଣ ପୁରୁଷ ମାନସିକ ରୋଗୀଙ୍କୁ ଉଦ୍ଧାର କରାଯାଇଅଛି ବୋଲି ସ୍ଥାନୀୟ ଇଡ଼କଲ ଅଡ଼ିଟୋରିୟମରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ପିପୁଲ୍ସ ଫୋରମର ସଭ୍ୟ ସମ୍ପାଦକ ଗୋବିନ୍ଦ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ପିପୁଲ୍ସ ଫୋରମର ଏଭଳି ମହତ୍ କାର୍ଯ୍ୟକୁ ପ୍ରଶଂସା କରିବା ସହ ସରକାର ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼ର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ ପ୍ରମୁଖ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ପ୍ରତି ସରକାର ଓ ଜନସାଧାରଣଙ୍କର ସାହାଯ୍ୟ ଓ ସହଯୋଗ ରହିବା ନିହାତି ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଏଥିସହ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ହେଲେ ରାଜ୍ୟର ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ପୋଲିସ୍ ସହାୟତାରେ ରାଜ୍ୟର ସମଗ୍ର ଅଞ୍ଚଳରୁ ଏହି ପୁରୁଷ ମାନସିକ ରୋଗୀଙ୍କୁ ଉଦ୍ଧାର କରାଯାଇ ମିଶନ ଆଶାଲୋକରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯିବ । ଏହା ସହ ଝାରସୁଗୁଡ଼ାରେ ଏହାର ଏକ ଆଞ୍ଚଳିକ ଶାଖା କାର୍ଯ୍ୟ କରିବ ବୋଲି ପିପୁଲ୍ସ ଫୋରମ ତରଫରୁ କୁହାଯାଇଛି ।


