ଭଲ କାର୍ଯ୍ୟ ସକାଶେ ଅଧିକାରୀ ମାନଙ୍କୁ ଜିଲ୍ଲାପାଳଙ୍କ ପ୍ରଶଂସା

ଛତ୍ରପୁର,(ଓ୍ବାଇଏନ୍ଏସ୍) :ଗଞ୍ଜାମ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ପାଖାପାଖି ୧୦,୫୦୦ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହା ଶତକଡା ୮୦ ପ୍ରତିଶତରେ ପହଞ୍ଚି ସାରା ଭାରତରେ ରେକର୍ଡ ସୃଷ୍ଟି କରିପାରିଛି । ଏହା ସହିତ ବହୁତ ସଂଖ୍ୟାରେ ଜିଲ୍ଲାର ଗ୍ରାମ ଗୁଡିକ ରେଡ୍ ଜୋନ୍ ରୁ ଗ୍ରୀନ୍ ଜୋନ୍ ରେ ପରିଣତ ହୋଇପାରିଛି । ଏହା ଜିଲ୍ଲାପାଇଁ ଭଲ ବୋଲି ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫରେନ୍ସିଂ ରେ ଅବଗତ କରାଇଥିଲେ ।
ଆଜି ପୂର୍ବାହ୍ନ ଘ.୭.00 ସମୟରେ ଅନୁଷ୍ଠିତ ଭିଡିଓ କନଫରେନ୍ସରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ଲକ୍ ସ୍ତରୀୟ ସମସ୍ତ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ଯେ, ଟେଷ୍ଟ ସଂଖ୍ୟାକୁ ବୃଦ୍ଧି କରିବା ସକାଶେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଅଧିକାଂଶ ବ୍ଲକ୍ ରେ ଆଣ୍ଟିଜେନ୍ ଟେଷ୍ଟ ବହୁତ ଭଲ ହୋଇଛି । ଯେଉଁ ବ୍ଲକ୍ ରେ ଆଣ୍ଟିଜେନ୍ ଟେଷ୍ଟ ସଂଖ୍ୟା କମିଯାଇଛି ସେଗୁଡିକ ବୃଦ୍ଧି କରିବା ଦିଗରେ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ୍ ଗୁଡିକରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବା ଦିଗରେ ରେଡକ୍ରସ୍ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଇଛି । ଯଦି ଆବଶ୍ୟକ ପଡେ ଅର୍ଥ ପ୍ରଦାନ କରାଯିବ । ସଚେତନତା କାର୍ଯ୍ୟ ସହିତ ଟେଷ୍ଟ ନିମନ୍ତେ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ ଏବଂ ଦୁଇଗୋଟି ଲେଖାଏଁ ମାସ୍କ ଦେବାକୁ କୁହାଯାଇଛି । ଟେଷ୍ଟିଂ ଅଞ୍ଚଳରେ ସେମାନେ ବସିବା ସକାଶେ ପ୍ଲାଷ୍ଟିକ୍ ଚୌକି ଦେଇ ସେମାନଙ୍କୁ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ପ୍ରବର୍ତ୍ତାଇ ଥିଲେ । ପ୍ରତି ପରିବାରରୁ ଜଣେ ବ୍ୟକ୍ତି ଯେମିତି ନିହାତି ଭାବରେ ଟେଷ୍ଚିଂ କରିବେ ସେ ଦିଗରେ ନିଶ୍ଚିତ କରନ୍ତୁ । ଜଣେ କୋଭିଡ୍ ମନିଟର୍ ୨୦ ରୁ ୨୫ ଜଣ ବ୍ୟକ୍ତିଙ୍କୁ ଏଥି ନିମନ୍ତେ ସଚେତନ କରାଇ ପ୍ରୋତ୍ସାହନ କରନ୍ତୁ । ସବୁ ପଞ୍ଚାୟତରେ ପୁଣି ଗୋଟିଏ ରାଉଣ୍ଡ ଟେଷ୍ଟ ନିହାତି ଭାବରେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଟେଷ୍ଟିଂ ସକାଶେ ଟେଷ୍ଟିଂର ପୂର୍ବଦିନ ସମସ୍ତ ପ୍ରସ୍ତୁତି କରିବାଦ୍ବାରା ପରୀକ୍ଷା ପରିଚାଳନା ଠିକ୍ ରୂପେ ଯୋଜନାବଦ୍ଧ ପ୍ରକାରେ ହୋଇପାରିବ ଓ ଅଧିକ ସଂଖ୍ୟକ ଟେଷ୍ଟିଂ ହୋଇପାରିବ । ଘୋଷଣା କରାଯାଇଥିବା କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଠିକ୍ ପରିଚାଳନା ହୋଇପାରିଲେ ଦଶ ଦିନ ମଧ୍ୟରେ ଉକ୍ତ ଅଞ୍ଚଳ ଗ୍ରୀନ୍ ଜୋନ୍ ରେ ପରିଣତ ହେବ । ପ୍ରତି କମ୍ୟୁନିଟି ହେଲ୍ଥ ସେଣ୍ଟର ଓ ପବ୍ଲିକ୍ ହେଲ୍ଥ ସେଣ୍ଟର ରେ କଣ୍ଟିଜେନ୍ ଟେଷ୍ଟ କିଟ୍ ଉପଲବ୍ଧ ରହିଛି । ସେଠାରେ ମଧ୍ୟ ଜନ ସାଧାରଣ ନିଜର ଟେଷ୍ଟିଂ କରିପାରିବେ । ପୂର୍ବରୁ ଆର୍ ଟି ପି ସି ଆର୍ ଶତକଡା ୮୦ ପ୍ରତିଶତ ଥିଲା । ଗତକାଲି ତାହା ଖସି ଶତକଡା ୧୫ ପ୍ରତିଶତ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ଶତକଡା ୧୨ ପ୍ରତିଶତ ହୋଇପାରିଛି । ସ୍ଥାନୀୟ ଜନସାଧାଣଙ୍କ ଅବଗତି ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ତଥ୍ୟ ପ୍ରକାଶ କରନ୍ତୁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଥି ନିମନ୍ତେ ସେମାନେ ସୋସିଆଲ୍ ମିଡିଆର ଉପଯୋଗ କରିପାରିବେ । ଯେଉଁ ଦୋକାନୀ ମାନେ ନିଜର କୋଭିଡ୍ ଟେଷ୍ଟ କରିନାହାନ୍ତି ସେମାନଙ୍କ ଦୋକାନ ବନ୍ଦ ରହିବ । ଯେଉଁ ବ୍ୟବସାୟୀମାନେ ନିଜର ପରୀକ୍ଷା କରିଛନ୍ତି ସେମାନେ ପାଞ୍ଚସୂତ୍ରୀ ପାଳନ କରି ନିଜ ଦୋକାନ ଖୋଲିପାରିବେ ।
ପ୍ଲାଜମା ସଂଗ୍ରହ ନିମନ୍ତେ ଜଣେଜଣେ ବିଡିଓ ଅନ୍ତତଃ ପକ୍ଷେ ୧୦ ଜଣ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ଦେଇ ପୂର୍ବପ୍ରସ୍ତୁତି କରି ରଖନ୍ତୁ । ରକ୍ତଦାନ କାର୍ଯ୍ୟକୁ ମଧ୍ୟ ତ୍ବରାନ୍ବୀତ କରିବାକୁ କୁହାଯାଇଥିଲା । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଆଡମିଶନ୍, ଡିସଚାର୍ଯ ଓ ମୃତ୍ୟୁ ଜନୀତ ତଥ୍ୟ ସଠିକ ରଖିବା ସହିତ ଅନ୍ୟ କାରଣ ଯୋଗୁଁ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ତଥ୍ୟ ମଧ୍ୟ ରଖିବାକୁ ଜଣାଇଦିଆଯାଇଥିଲା । ସାମାଜିକ ଦୂରତ୍ବ ବଜାୟ ରଖିବା ଦିଗରେ ତହସିଲଦାର ଗଣ ଉତ୍ତରଦାୟୀ ରହିବେ । ଧର୍ମାନୁଷ୍ଠାନ ଖୋଲା ହେବନାହିଁ । ଦୋକାନ ଗୁଡିକରେ ପାଞ୍ଚସୂତ୍ରୀ ନିୟମ ପାଳନକୁ କଡାକ଼ଡି ପାଳନ କରନ୍ତୁ । ଅଗଷ୍ଟ ମାସ ଜିଲ୍ଲାପାଇଁ ଗୁରୁତ୍ବପୂର୍ଣ୍ଣ । ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ କରୋନାମୁକ୍ତ କରିବା ଦିଗରେ ସମସ୍ତଙ୍କର ପ୍ରଚେଷ୍ଟା ରହିବା ଆବଶ୍ୟକ । ଆଜି ସଂଧ୍ୟା ୫ ଘ. ସମୟରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ସରପଞ୍ଚ ମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ବୈଠକରେ ଅବଗତ କରାଇଥିଲେ ।
କୋଭିଡ୍ ପରିଚାଳନା ଦିଗରେ ଯେଉଁ ବିଡିଓ ଓ ତହସିଲଦାରଗଣ ଭଲ କାମ କରିଛନ୍ତି ସେମାନଙ୍କୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ । ଏହି ଅବସରରେ କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀଙ୍କ ଉଦାହରଣ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ । ଜାତୀୟ ସ୍ବାସ୍ଥ୍ୟମିଶନ୍ ରେ କାର୍ଯ୍ୟରତ ଜିଲ୍ଲା ଯୋଜନା ପରିଚାଳକ (ଡିପିଏମ୍) ଶ୍ୟାମ ସୁନ୍ଦର ତ୍ରିପାଠୀ କରୋନା ରେ ସଂକ୍ରମିତ ଅବସ୍ଥାରେ ହୋମ୍ ଆଇସୋଲେସନ୍ ରେ ରହି ମଧ୍ୟ କରୋନା ପରିଚାଳନା କାମକୁ ଅବହେଳା କରିନଥିବା ହେତୁ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିଥିଲେ ଓ ସେ କାର୍ଯ୍ୟରେ ଯୋଗ ଦେଇଥିବା ହେତୁ ତାଙ୍କୁ ସ୍ବାଗତ କରିଥିଲେ ।ଆଜିର ଭିଡିଓ କନଫରେନ୍ସିଂ ରେ ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟ୍ଟଓ୍ବାରୀ, ଦୁଇଜଣ ଆଇ.ଏ.ଏସ୍. ପ୍ରୋବେସନ୍, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମାଶଙ୍କର ମିଶ୍ର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ