ପ୍ରଶାସନର ପଂଚସୂତ୍ରୀ ନିୟମକୁ ଫୁ’
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଅଂଚଳ ଭାବେ ଗଞ୍ଜାମ ଜିଲ୍ଲା ଭାବେ ଚିହ୍ନଟ ହୋଇ ଆସୁଥିବା ବେଳେ ଗତ କିଛି ଦିନ ହେଲା ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତ ଜିଲ୍ଲା ଭାବେ ବର୍ତମାନ ଗଞ୍ଜାମ ଜିଲ୍ଲା ୨ୟ ସ୍ଥାନରେ ରହିଛି । ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ପ୍ରତିହିତ କରିବା ନେଇ ସଟଡ଼ାଉନ, କଂଟେନମେଂଟ ଓ ବଫରଜୋନ ଭାବେ ଘୋଷଣା କରାଯାଇଥିଲା । ଜୁଲାଇ ଶେଷ ସପ୍ତାହ ବେଳକୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ସୁସ୍ଥଙ୍କ ସଂଖ୍ୟା ଆଶତୀତ ଭାବେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଅଗଷ୍ଟ ପହିଲାରୁ ଅନଲକ-୩ କାର୍ଯ୍ୟକାରୀ କରାଯିବା ସହ କରୋନା କଟକଣାରେ କିଛିଟା କୋହଳ କରାଯାଇଛି । କଟକଣା କୋହଳ କରାଯିବା ପରେ ପୁଣି ଥରେ କିଛି ଅମାନିଆଙ୍କ ମନମୁଖୀ କାର୍ଯ୍ୟ ପାଇଁ ସ୍ଥାନୀୟ ଅଂଚଳ ବିପଦମୁହାଁ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି । ଅନଲକ-୩କୁ କାର୍ଯ୍ୟକାରୀ କରାଯିବା ପରେ ଚାହା ଓ ପାନ ଦୋକାନକୁ ବାଦ ଦେଇ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରତ୍ୟହ ୧୧ଘଂଟା (ଭୋର ୫ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ) ଖୋଲିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । କଟକଣା କୋହଳ କରାଯିବା ସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରଶାସନର ପଂଚସୂତ୍ରୀ ନିୟକୁ ପାଳନ କରିବା ସକାଶେ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ଏହାକୁ ଅମାନ୍ୟ କଲେ ୧ମାସ ସକାଶେ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍ କରାଯିବ ବୋଲି ଚେତାବନି ଦିଆଯାଇଛି । ହେଲେ ପରିତାପର ବିଷୟ ପ୍ରଶାସନ ର ପଂଚସୂତ୍ରୀ ନିୟମକୁ ଫୁ’ କରି କିଛି ସ୍ଥାନୀୟ ଅଂଚଳର କିଛି ଅମାନିଆ ବ୍ୟବସାୟୀ ଙ୍କ ପ୍ରତିଷ୍ଠାନ ସମ୍ମୁଖରେ ଗ୍ରାହକଙ୍କ ଅଯଥା ଭିଡ଼ ଜମାଇ ପରୋକ୍ଷରେ କରୋନାକୁ ଆମନ୍ତ୍ରଣ କରୁଥିବାର ଦେଖିବାକୁ ମିଳିଛି ।ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳର ବଜାର ଉପରେ ସ୍ଥାନୀୟ ପୌରାଂଚଳର ଜନ ସାଧାରଣ ସମେତ ନିକଟବର୍ତି ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଗ୍ରାମର କ୍ଷୁଦ୍ର ବେପାରୀ ଓ ଜନସାଧାରଣ ସ୍ଥାନୀୟ ସହରକୁ ବେପାର ବଣିଜ କରିବା ସକାଶେ ଆସିଥାନ୍ତି । ଗତ ମାସରେ ସ୍ଥାନୀୟ ସହର ସମେତ ନିକଟବର୍ତି ଗ୍ରାମାଂଚଳର ବହୁ ବ୍ୟବସାୟୀ କରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ସ୍ଥାନୀୟ ଅଂଚଳର ବଜାର ଭିଡ଼କୁ ଦେଖିଲେ ଏଥିରୁ ବେପାରୀ କୌଣସି ଶିକ୍ଷା ଲାଭ କରିଥିବାର ମନେ ହେଉନି । ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ୨ଥାକିଆ ବ୍ୟାରିକେଡ଼ କରିବା ସହ ପଂଚସୂତ୍ରୀ ନିୟମକୁ କଡ଼ାକଡ଼ି ପାଳନ କରିବା ସକାଶେ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହାକୁ ଖୋଲାଖୋଲି ଉଲଂଘନ କରାଯାଉଥିବାର ଦେଖିବାକୁ ମିଳୁଛି । ହାତଗଣତି କିଛି ବ୍ୟବସାୟୀ ବ୍ୟାରିକେଡ଼ କରିଛନ୍ତି । ସେହିପରି ଏଭଳି ପରିସ୍ଥିତିରେ ବିଭିନ୍ନ ଛକ ସ୍ଥାନରେ ପରିବା ବ୍ୟବସାୟୀ ସମେତ ଅନ୍ୟ କିଛି ବେପାରୀ ରାସ୍ତା କଡ଼ରେ ପସରା ମେଲି ଚିନ୍ତା ବଢାଉଛନ୍ତି । ଏପରିକି ବହୁ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତା ରକ୍ଷାକୁ କଡ଼ାକଡ଼ି ପାଳନ କରାଯାଉନଥିବାର ଦେଖିବାକୁ ମିଳୁଛି । ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ସହରର ଉଭୟ ପ୍ରବେଶ ପଥରେ ସିଲ୍ କରାଯାଇ ଯାନବାହାନ ଯାଂଚକୁ କଡ଼ାକଡ଼ି କରାଯାଉଥିଲେ ମଧ୍ୟ ଅନେକ ବିଭିନ୍ନ ଗଳାବାଟ ଦେଇ ଆସୁଥିବାର ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ପ୍ରଶାସନ ପୁଣିଥରେ କଠୋର ଆଭିମୁଖ୍ୟ ଗ୍ରହଣ ନକଲେ ପୁଣିଥରେ ସ୍ଥାନୀୟ ଅଂଚଳ ବିପଦ ମୁହଁକୁ ଠେଲି ହୋଇଯିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।


