କୋଭିଡ-୧୯ ପାଇଁ ନିରାଡମ୍ବର ଭାବରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):ପାଣ୍ଡାମିକ କୋଭିଡ -୧୯ ନିରାଡମ୍ବର ଭାବରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ -୨୦୨୦ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ କୋଭିଡ ଗାଇଡ ଲାଇନକୁ କଡାକଡି ଭାବେ ପାଳନ ପୂର୍ବକ ସ୍ୱାଧୀନତା ଦିବସ ଆସନ୍ତା ଅଗଷ୍ଟମାସ ୧୫ତାରିଖରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହେବ । ଏହି ଦିବସରେ ସାମାଜିକ ଦ୍ୱରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ଅଟେ । ପ୍ରାରମ୍ଭରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଉତ୍ସବରେ କୋଭିଡ ଗାଇଡଲାଇନକୁ ଆଖି ଆଗରେ ରଖି ଉତ୍ସବ କିଭଳି ପାଳନ କରାଯିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ କୋଭିଡ ଗାଇଡ ଲାଇନକୁ ଅନୁପାଳନ ପୂର୍ବକ ବିଭିନ୍ନ ବିଭାଗୀୟ କାର୍ଯ୍ୟଧାରା ଉପରେ ଅବଗତ କରାଇଥିଲେ । ଉତ୍ସବରେ ବିଭିନ୍ନ ବିଭାଗର ନିଷ୍ଠାପର ସେବାକାରୀ କୋଭିଡ ଯୋଦ୍ଧା ଓ ସରକାରୀ ପଦାଧିକାରୀଙ୍କୁ ନେଇ ମୋଟ ୫୦ରୁ ୭୫ଜଣ ଯୋଗଦେବେ । ଉତ୍ସବରେ ସାଧାରଣ ଲୋକଙ୍କୁ ଯୋଗଦେବାକୁ ନିଷିଧ କରାଯାଇଛି । ରିଜର୍ଭଇନିସପେକ୍ଟରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୋଲିସ ବ୍ୟାଣ୍ଡପାର୍ଟି ଓ ସଶସ୍ତ୍ର ବାହିନୀଙ୍କୁ ନେଇ ୨୦ଜଣ ଜବାନଙ୍କ ମଧ୍ୟରେ ପ୍ୟାରେଡ ଅନୁଷ୍ଠିତ ହୋଇ ମୁଖ୍ୟ ଅତିଥିଙ୍କୁ ରାଷ୍ଟ୍ରୀୟ ସାଲ୍ୟୁଟ ପ୍ରଦାନ କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସର୍ବୋକୃଷ୍ଟ କୋଭିଡ ସେବା ପ୍ରଦାନ କରିଥିବା ଏ.ଏନ.ଏମ., ଆଶାକର୍ମୀ, ଫାର୍ମାସିଷ୍ଟ, ଲାବୋରୋଟୋରୀ ଟେକନିସିଆନ, ଆମ୍ବୁଲାନ୍ସ ଡ୍ରାଇଭର,ଡାକ୍ତର ଓ ନର୍ସ ସମେତ ପ୍ରତ୍ୟେକ ବିଭାଗ ୨ଜଣ ଲେଖାଁଏ କୋଭିଡ ଯୋଦ୍ଧାଙ୍କ ନାମ ଉତ୍ସବରେ ଯୋଗଦେବା ପାଇଁ ସୁପାରିସ କରିବେ । ସେହିପରି ଜିଲ୍ଲା ସମାଜକଲ୍ୟାଣ ବିଭାଗର ଅଙ୍ଗନୱାଡିକର୍ମୀ ଓ ସ୍ୱାସ୍ଥ୍ୟସେବୀକାଙ୍କୁ ନେଇ ୪ଜଣଙ୍କ ନାମ ସୁପାରିସ କରିବେ । ପୋଲିସ ବାହିନୀର ୩ଜଣ କୋଭିଡ ଯୋଦ୍ଧା,ପୈାର ପରିଷଦ ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡାର ୪ଜଣ କୋଭିଡ ଯୋଦ୍ଧା ଯେକି ପରିମଳ ସେବାରେ ସର୍ବୋକୃଷ୍ଟ କାର୍ଯ୍ୟ କରିଥିବେ ଏବଂ ଅଗ୍ନିଶମ ବିଭାଗର ଜଣେ କୋଭିଡ ଯୋଦ୍ଧା ଉତ୍ସବରେ ଯୋଗଦେବେ ନିମନ୍ତ୍ରିତ ଅତିଥି ଭାବେ । ସଂପୃକ୍ତ ବିଭାଗର ଅଧିକାରୀମାନେ କୋଭିଡ ଯୋଦ୍ଧାଙ୍କ ନାମ ଆସନ୍ତା ୧୩ତାରିଖ ସୁଦ୍ଧା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦେଶକଙ୍କୁ ଦେବେ । ପ୍ୟାରେଡ ପଡିଆ ସାନିଟାଇଜେସନ,ମଂଚ ପ୍ରସ୍ତୁତି, ପାନୀୟଜଳ,ଅଗ୍ନିଶମ ସେବା ସମେତ ସମସ୍ତ ଅତ୍ୟାବଶ୍ୟକ ସେବାଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଉଦ୍ୟାନକୃଷି ବିଭାଗକୁ ଫୁଲସଜ୍ଜା କରିବାକୁ ଦାୟୀତ୍ୱ ଦିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ,ନିର୍ବାହୀ ଯନ୍ତ୍ରୀ କୋଠାବାଡି,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ,ଜିଲ୍ଲା ସମାଜକଲ୍ୟାଣ ଅଧିକାରୀଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲାପାଳ ଶ୍ରୀ ବର୍ମା କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନକରି ସୁସ୍ଥ ସ୍ୱାଧୀନତା ଦିବସ -୨୦୨୦,ସୁସ୍ଥ କେନ୍ଦ୍ରାପଡା,ସୁସ୍ଥ ଓଡିଶା ଓ ସୁସ୍ଥ ଭାରତବର୍ଷ ଗଟନ ପାଇଁ ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଥିଲେ ।