ବିଦ୍ୟୁତ୍‍ ଆଘାତରେ ଯୁବକ ମୃତ,୧୩ ଆହତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନାର ହରିପୁର ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏକ ଅଭାବନିୟ ଘଟଣା। ବିଦ୍ୟୁତ୍‍ କାମ କରୁଥିବା ସମୟରେ ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ହେଲେ ହରିପୁର ଗ୍ରାମର ସୁବଳ ନାୟକ(୨୮)। ମିଳିଥିବା ସୂଚନା ଅନୁଯାୟୀ, ହରିପୁର ଗ୍ରାମରେ ବିଦ୍ୟୁତ୍‍ ତାର ଛିଡ଼ିଯାଇଥିବା ଯୋଗୁଁ ଦୁଇ ଦିନ ହେଲା ବିଦ୍ୟୁତ୍‍ ନଥିଲା। ଗ୍ରାମବାସୀ ବିିଦ୍ୟୁତ୍‍ ବିଭାଗକୁ ଜଣାଇଥିଲେ ମଧ୍ୟ ତିଆରି ହୋଇନଥିଲା। ଏଭଳି ସ୍ଥଳେ ଗ୍ରାମର ଗୁରୁବାର ୧୪-୧୫ ଜଣ ଗ୍ରାମବାସୀ ବିଦ୍ୟୁତ୍‍ ତାର ସଜାଡିବାକୁ ଆସିଥିଲେ। ସଜାଡ଼ିବା ପୂର୍ବରୁ ଏନେଇ ଦାୟିତ୍ୱରେ ଥିବା ଲାଇନ୍‍ ମ୍ୟାନ୍‍ କୁ କୁଆଡ଼େ ସେମାନେ ସୂଚନା ଦେଇଥିଲେ। ସୁବଳ ୧୧ କେଭି ବିଦ୍ୟୁତ୍‍ ପୋଲ ଉପରେ ଚଢି ବିଦ୍ୟୁତ୍‍ ସଜାଡୁଥିବା ବେଳେ ଅନ୍ୟମାନେ ତଳେ ଛିଡ଼ିଯାଇଥିବା ବିଦ୍ୟୁତ୍‍ ତାର ଟାଣି ଧରିଥିଲେ। ତେବେ ବିଦ୍ୟୁତ୍‍ କାମ ଚାଲିଥିବା ବେଳେ ମଧ୍ୟ କୁଆଡ଼େ ଲାଇନମ୍ୟାନ୍‍ ଫୋନ୍‍ ମାଧ୍ୟମରେ କଥା ହୋଇଥିଲେ ମଧ୍ୟ ବର୍ଷା ଯୋଗୁଁ ଫୋନ୍‍ର କଥାବର୍ତ୍ତା ଠିକ୍‍ ଭାବେ ଶୁଭାଯାଉନଥିଲା ବୋଲି ଆହତ ମାନେ ପ୍ରକାଶ କରିଛନ୍ତି। ତେବେ ଏହାର କିଛି ସମୟ ପରେ ହଠାତ୍‍ ବିଦ୍ୟୁତ୍‍ ସଂଯୋଗ ହୋଇଯିବା ଫଳରେ ସୁବଳ ଘଟଣାସ୍ଥଳରେ ହିଁ ବିଦ୍ୟୁତ୍‍ ଆଘାତରେ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟମାନେ ବିଦ୍ୟୁତ୍‍ ଆଘାତ ପାଇ ଆହାତ ହୋଇଛନ୍ତି। ଆହତମାନଙ୍କୁ ଗ୍ରାମବାସୀମାନେ କୋଟଗଡ ଓ ତୁମୁଡିବନ୍ଧ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରିଥିବା ବେଳେ ଏହି ଘଟଣା ପରେ ଗ୍ରାମବାସୀ ଓ ପରିବାର ଲୋକେ କ୍ଷତିପୁରଣ ଦାବିରେ ରାସ୍ତା ରୋକ କରିଥିବା ବେଳେ ଖବର ପାଇଁ ଘଟଣା ସ୍ଥଳରେ କୋଟଗଡ଼ ଓ ତୁମୁଡ଼ିବନ୍ଧ ପୋଲିସ୍‍ଙ୍କ ସମେତ କୋଟଗଡ ବିଡିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ ତହସିଲଦାର ଲଷ୍ମୀ ନାରାୟଣ ସାହୁ ଓ କୋଟଗଡ଼ ସାଂସଦ ପ୍ରତିନିଧି ମନୋଜ କୁମାର ସାବତ ପ୍ରମୁଖ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା ଆରମ୍ଭ କରିଥିବା ବେଳେ ଉତ୍ତେଜନା ଲାଗି ରହିଥିବା ସୂଚନା ମିଳିଛି। ତେବେ ଗ୍ରାମବାସୀଙ୍କ ଦାବି ପ୍ରକାରେ, ମୃତ ବ୍ୟକ୍ତିଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରିବା, ମୃତ ପରିବାରର ୩ ପୁଅ ଓ ଗୋଟିଏ ଝିଅକୁ ମାଗଣାରେ ଶିକ୍ଷାଦାନ ପ୍ରଦାନ କରିବା ସହିତ ମୃତକଙ୍କ ସ୍ତ୍ରୀକୁ କୌଣସି ସରକାରୀ ଚାକିରିରେ ନିଯୁକ୍ତି ଦେବା ଆଦି ଦାବି କରାଯାଇଛି। ରାସ୍ତା ରୋକ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟରେ ଯାନ ବାହାନ ଅଟକି ରହିଥିବାର ଖବର ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ