ଲଘୁଚାପ ବର୍ଷାରେ ସହର ସମେତ ଗ୍ରାମାଚଂଳ ଜଳାର୍ଣ୍ଣବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଦୁଇଦିନ ଧରି ପ୍ରବଳ ଲଘୁଚାପ ବର୍ଷାରେ ସହର ସମେତ ସହରର ଆଖପାଖ ଗ୍ରାମାଚଂଳ ଜଳାର୍ଣ୍ଣବ ହୋଇପଡିଥିବା ଦେଖାଯାଇଛି । ସହରର ଉଠା ଜଳସେଚନ ଡିଭିଜନ କାର୍ଯ୍ୟାଳୟ ଭିତରେ ବର୍ଷା ପାଣି ପଶି ଯାଇଥିବାରୁ ଅଫିସରେ କାର୍ଯ୍ୟ କରିବା ଅସମ୍ଭବ ହୋଇପଡିଛି । କର୍ମଚାରୀମାନେ ପାଣି ଭିତରେ ଚୈାକିରେ ବସି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଆଣ୍ଠୁଏ ପାଣିରେ ପଶି ଅଫିସ ଭିତରକୁ ଯିବା ଦ୍ୱାରା ସେମାନଙ୍କ ଗୋଡ କୁଣ୍ଡେଇ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ସେହିପରି ତହସିଲ କାର୍ଯ୍ୟାଳୟ ଭିତରେ ବର୍ଷା ପାଣି ପଶି ଯାଇଥିବା ବେଳେ ସହରର ପ୍ରାୟ ସମସ୍ତ ତଳିଆ ଅଚଂଳରେ ବର୍ଷା ପାଣି ପଶି କୃତିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି । ଆଗକୁ ଲଘୁଚାପ ପ୍ରଭାବରେ ଆହୁରି ବର୍ଷା ହେବାର ସମ୍ଭାବନା ରହିଥିବାରୁ ପରିସ୍ଥିତି ଅସମ୍ଭାଳ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ସହରର ତଳିଆ ଅଂଚଳ ଗୁଡିକ ମଧ୍ୟରେ ଜୟୀପୁରା, ଏକଣାଖଣ୍ଡି, ଅଯୋଦ୍ଧାନଗର, ଗୋପ, ନସଡିପୁର, ଦିଲାରପୁର, ଇଛାପୁର ନିକଟ ଶ୍ୟାମଗୁଡିଆ, ଆର.ସି.ଏମ.ଏସ. ନିକଟ ଆଦିବାସୀ ବସ୍ତି, ରସୁଲବାଗ, ସୁନାଇଲୋ, ମନକରପୁର, ମାଳ ଠାକୁରାଣି ରାସ୍ତା, କଜଳା ଆଦିବାସୀ ବସ୍ତି, ତିନିମୁହାଣି ରାମମନ୍ଦିର ନିକଟ ଭ୍ରମରଦିଆପାଟଣା, ରଣପଡା, କେନ୍ଦ୍ରାପଡା ଟାଉନ ହାଇସ୍କୁଲ ପଡିଆ ପ୍ରଭୃତି ସମ୍ପୂର୍ଣ୍ଣ ଜଳମଗ୍ମ ହୋଇପଡିଥିବା ଦେଖିବାକୁ ମିଳିଛି । ସେହିପରି ଗ୍ରାମାଂଚଳ ମଧ୍ୟରେ ଭରତପୁର, ଶ୍ୟାମସୁନ୍ଦରପୁର, ମଡରପୁର, ହାଲପୁର, ଚକ୍ରୋଡା, ଜମଧର, ଭାଗବତପୁର, ଗୁଲନଗର ଓ କପାଳେଶ୍ୱର ପଂଚାୟତର ଅଧିକାଂଶ ଗ୍ରାମଗୁଡିକ ଜଳମଗ୍ମ ହୋଇପଡିଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ପାଣି ଘେରରେ ଥିବା ଲୋକମାନଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କୁ ଖାଦ୍ୟ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ