ପାଲାଗାୟକଙ୍କୁ କେନ୍ଦ୍ର ସରକାରଙ୍କ ମାନ୍ୟତା
କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ)ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ମା’ବୁଢୀ ଜାଗୁଳାଇ ପାଲା ସଙ୍ଘର ସମ୍ପାଦକ ତଥା ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ପାଲାଗାୟକ ଗଗନବିହାରୀ ସିଂହ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଂଗୀତ ଓ ଡ୍ରାମା ଡିଭିଜନ ପକ୍ଷରୁ ସ୍ୱୀକୃତିପାପ୍ତ କଳାକାର ଭାବେ ମାନ୍ୟତାପ୍ରାପ୍ତ ହୋଇଛନ୍ତି । ପୂର୍ବରୁ ପାଲାଗାୟକ ଶ୍ରୀ ସିଂହ ବିଭିନ୍ନ ସମୟରେ ଆକାଶବାଣୀ ଓ ଦୂରଦର୍ଶନରେ ପାଲା ପରିବେଶଣ କରି ଆଦୃତ ହୋଇଥିବା ବେଳେ ପ୍ରାର୍ଥନା ଚ୍ୟାନେଲର ବାଦୀପାଲା ମଂଚରେ ମଧ୍ୟ ପାଲା ପରିବେଷଣ କରି ଉଚ୍ଚ ପ୍ରସଂଶିତ ହୋଇଛନ୍ତ । ତାଙ୍କର ପ୍ରଥମ ଓ ଦ୍ୱିତୀୟ ପାଲାଗୁରୁ ଭାବେ ଯଥାକ୍ରମେ ଗାୟକ ଦୋଳଗୋବିନ୍ଦ ମିଶ୍ର ଓ ଗାୟକ ସମ୍ରାଟ ବୈଷ୍ଣବ ଚରଣ ପ୍ରଧାନଙ୍କ ଠାରୁ ଶିକ୍ଷାଲାଭ କରି ସାରା ଓଡିଶାରେ ସୁନାମ ଅର୍ଜ୍ଜନ କରିପାରିଛନ୍ତି । ଏବେ କେନ୍ଦ୍ର ସରକାରଙ୍କ ସ୍ୱୀକୃତିଲାଭ କରିବା ପରେ ଗାୟକ ଶ୍ରୀ ସିଂହ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ବିଭିନ୍ନ ଜନ ସଚେତନତା ଧର୍ମୀ କାର୍ଯ୍ୟକ୍ରମକୁ ପାଲା ମାଧ୍ୟମରେ ବହୁଳ ଭାବରେ ପ୍ରଚାରପ୍ରସାର କରିପାରିବେ । ତାଙ୍କ ସହିତ ବାୟକ ଭାଗବତ ପ୍ରସାଦ ମହାନ୍ତି,ଶ୍ରୀପାଳିଆ ଶାରଦା ପ୍ରସନ୍ନ ରଣା,ପାଳିଆ ଧରଣୀଧର ମୁଦୁଲି,ମଧୁସୁଦନ ସାମଲ,ଗୋପିନାଥ ରଣା,କାର୍ତ୍ତିକ ଚନ୍ଦ୍ର ପତି ଓ ଚଣ୍ଡେଶ୍ୱର ବେହେରା ପାଲା ପରିବେଷଣ କରି ବିଭିନ୍ନ ସ୍ଥାନରେ ପ୍ରସଂଶିତ ହୋଇ ପାରିଛନ୍ତି । ଏହି ସ୍ୱୀକୃତି ପାଇଁ ଗାୟକ ଶ୍ରୀ ସିଂହଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଛା ମିଳିଥିବା ଜଣାପଡିଛି ।