ଧର୍ମରକ୍ଷା ଦିବସରେ ଘରେ ଘରେ ଘଂଟ, ଶଙ୍ଖ ବଜାଇବା ସହ ଦୀପ ଜାଳନ୍ତୁ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଧର୍ମଯୋଦ୍ଧା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଅଗଷ୍ଟ ୨୩ ତାରିଖ ରବିବାର ଦିନକୁ ଧର୍ମରକ୍ଷା ଦିବସ ରୂପେ ପାଳନ କରିବା ପାଇଁ ଧର୍ମ ଜାଗରଣ ସମନ୍ୱୟ,ଓଡିଶା ତରଫରୁ ନିବେଦନ କରାଯାଇଛି । ଏହି ଦିନ ସଂଧ୍ୟା ୭.୧୫ ମିନିଟରେ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ଘର ସାମନାରେ ଛିଡା ହୋଇ ୫ ମିନିଟ ଘଂଟ, ଶଙ୍ଖ ବଜେଇବା, ହରିବୋଲ ଓ ହୁଳହୁଳି ଦେଇ ଦୀପ ଜାଳିବାକୁ ସଂଗଠନର ପୂର୍ବକ୍ଷେତ୍ର ଧର୍ମ ଜାଗରଣ ପ୍ରମୁଖ ଶ୍ରୀ ବିନୟ କୁମାର ଭୂୟାଁ ନିବେଦନ କରିଛନ୍ତି । ଶ୍ରୀ ଭୂୟାଁ କହିଛନ୍ତି ଯେ,ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସମାଜକୁ ଜାଗ୍ରତ କରି ତାହାର ପ୍ରତିଶୋଧ ନେବା ପାଇଁ ଯେପରି ଶ୍ରୀକୃଷ୍ଣ ଅବହେଳିତଙ୍କୁ ନେଇ କାମ କରିଥିଲେ ସେହିପରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କନ୍ଧମାଳ ଉପେକ୍ଷିତ ଲୋକମାନଙ୍କୁ ଜାଗ୍ରତ କରି ଶିକ୍ଷିତ କରିବା ସହ ଧର୍ମ ସଂସ୍କୃତିର ସୁରକ୍ଷା ପାଇଁ ପ୍ରସ୍ତୁତ କରିଥିଲେ । ସ୍ୱାମୀଜୀଙ୍କ ପ୍ରଚେଷ୍ଟାରେ କନ୍ଧମାଳରେ ଗୋହତ୍ୟା ବନ୍ଦ ହୋଇଥିଲା । ସେ ଗାଁ ଗାଁରେ ସଂକୀର୍ତନ ମଣ୍ଡଳୀ ତିଆରି କରିବା ସହ ମହିଳାମାନଙ୍କୁ ମଧ୍ୟ ଏହି ସମ୍ମିଳନୀରେ ସାମିଲ କରିଥିଲେ । ଜାଣିଶୁଣି କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ତାଙ୍କର କାର୍ଯ୍ୟରେ ଭୟଭୀତ ହୋଇ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ । ବିଭିନ୍ନ କମିଟି ଗଠନ କରାଯାଇ ତଦନ୍ତ କରାଯାଇଥିଲେ ମଧ୍ୟ ତାର ରିପୋର୍ଟ ସାର୍ବଜନୀନ କରାଯାଇ ନାହିଁ । ଆଜି ମଧ୍ୟ ଏହି ଷଡଯନ୍ତ୍ରକାରୀ ଓ ହତ୍ୟାକାରୀମାନେ ଖୋଲାରେ ବୁଲୁଛନ୍ତି । ସେମାନଙ୍କୁ କଠୋର ଦଣ୍ଡ ଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ ଦାବୀ କରିଛନ୍ତି । ବନବାସୀ ପିଲାମାନଙ୍କ ମୁହଁରେ ଅର୍ନଗଳ ସଂସ୍କୃତ କଥା କୁହାଇବା ଏବଂ ଓଡିଶାର ବିଭିନ୍ନ ସ୍ଥାନରେ ସଂସ୍କୃତ ଶିକ୍ଷକ ରୂପେ ବନବାସୀ ପିଲାମାନଙ୍କୁ ଯୋଗ୍ୟ କରାଇବାରେ ସ୍ୱାମୀଜୀଙ୍କର ସମକକ୍ଷ କେହି ନାହାଁନ୍ତି । ବନବାସୀମାନଙ୍କ ସମ୍ବନ୍ଧରେ ଲୋକମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣାକୁ ସ୍ୱାମୀଜୀ ପରିବର୍ତନ କରିଥିଲେ । ଏପରି ଜଣେ ବିଶିଷ୍ଟ ସମାଜସେବୀ ତଥା ସନ୍ଥ ଏବଂ ତାଙ୍କର ଚାରିଜଣ ସହଯୋଗୀଙ୍କୁ ନିର୍ମମଭାବେ ହତ୍ୟା କରିବାର ୧୨ବର୍ଷ ବିତି ଯାଇଥିଲେ ମଧ୍ୟ ହତ୍ୟାକାରୀଙ୍କୁ ଧରି ଦଣ୍ଡଦେବାରେ ସରକାରୀ ଉଦାସୀନତା ଏବଂ ପୋଲିସର ଅବହେଳାକୁ ଶ୍ରୀ ଭୂୟାଁ ଘୋର ନିନ୍ଦା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ