ସିଭିଲ ସେବା ଦକ୍ଷତା ନିର୍ମାଣ ଜାତୀୟ କାର୍ଯ୍ୟକ୍ରମ ‘ମିଶନ କର୍ମଯୋଗୀ’କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆ ଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ସିଭିଲ ସେବା ଦକ୍ଷତା ନିର୍ମାଣ ଜାତୀୟ କାର୍ଯ୍ୟକ୍ରମ ବା ଏନ୍‌ପିସିଏସ୍‌ଇବି ଅନୁମୋଦନ ଲାଭ କରିଛି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ମନ୍ତ୍ରୀ ପରିଷଦ ସ୍ୱୀକୃତି ଦେଇଛି । ଏହାର ରୂପରେଖ ନିମ୍ନ ପ୍ରକାରର ରହିଛି ।
1. ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବସାଧାରଣ ମାନବ ସମ୍ବଳ ପରିଷଦ ଗଠିତ ହେବ,
2. ଏକ ନୂଆ ଦକ୍ଷତା ନିର୍ମାଣ ଆୟୋଗ ଗଠନ କରାଯିବ,
3. ଅନ୍‌ଲାଇନ ଟ୍ରେନିଂ ନିମନ୍ତେ ଡିଜିଟାଲ ଆସେଟ୍‌ ଏବଂ ଟେକ୍ନୋଲଜିକାଲ ପ୍ଲାଟଫର୍ମକୁ ଚଳାଇବା ପାଇଁ ଏକ ସ୍ପେଶାଲ ପର୍ପସ ଭେଇକିଲ ବା ଏସ୍‌ପିଭି ଗଠିତ ହେବ,
4. କ୍ୟାବିନେଟ ସେକ୍ରେଟେରିଏଟଙ୍କ ନେତୃତ୍ୱରେ ଏକ କୋର୍ଡିନେସନ ୟୁନିଟ ଗଠନ କରାଯିବ ।
ମୁଖ୍ୟ ବିଷୟବସ୍ତୁ
ସିଭିଲ ସର୍ଭେଣ୍ଟମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ଏନ୍‌ପିସିଏସ୍‌ସିଭି ବେଶ୍‌ ସତର୍କତାର ସହିତ ତିଆରି କରାଯାଉଛି । ଏହି ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏପରି ତାଲିମ ଦିଆଯିବ ଯାହାଫଳରେ ସେମାନେ ଭାରତୀୟ ସଂସ୍କୃତି ଓ ଦାୟିତ୍ୱବୋଧ ସହିତ ଯୋଡି ହୋଇ ରହିବେ । ବିଦେଶର ଯେକୌଣସି ଶ୍ରେଷ୍ଠ ଅନୁଷ୍ଠାନ ଓ ବ୍ୟବସ୍ଥାରେ ପାଠ ପଢିଲେ ମଧ୍ୟ ସେମାନେ ମାନସିକଭାବେ ଭାରତୀୟ ବିଚାର ସହିତ ନିବିଡ଼ ରହିବେ । ଏହି କାର୍ଯ୍ୟକ୍ରମ ଏକ ସମନ୍ୱିତ ସରକାରୀ ଅନ୍‌ଲାଇନ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ । ସେଥିପାଇଁ ଆଇଗଟ୍‌ କର୍ମୟୋଗୀ ପ୍ଲାଟଫର୍ମ (Integrated Government Online Training) ଗଠନ କରାଯିବ । ଏହି କାର୍ଯ୍ୟକ୍ରମର ପ୍ରମୁଖ ସଞ୍ଚାଳନକାରୀ ନୀତିନିୟମ ନିମ୍ନରେ ପ୍ରଦାନ କରାଯାଇଛି ।
1. ଏଚ୍‌ଆର ମ୍ୟାନେଜମେଣ୍ଟ ବ୍ୟବସ୍ଥାରେ ନିୟମଭିତ୍ତିକ କାର୍ଯ୍ୟକୁ ଭୂମିକାଭିତ୍ତିକ କାର୍ଯ୍ୟରେ ପରିବର୍ତ୍ତିତ କରିବା ପାଇଁ ପ୍ରକ୍ରିୟାଗତ ସମର୍ଥନ ଯୋଗାଇ ଦିଆଯିବ । ପଦର ଆବଶ୍ୟକତା ଏବଂ ତାହାକୁ ଖାପଖାଇଲା ଭଳି ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତାକୁ ବିଚାରକୁ ନେଇ ଦାୟିତ୍ୱ ବଣ୍ଟନ କରାଯିବ ।
2. ଅନ୍‌ସାଇଟ ଶିକ୍ଷଣ ମାଧ୍ୟମରେ ଅଫ୍‌ସାଇଟ ଶିକ୍ଷଣକୁ ନିର୍ବାହ କରିବା ଉପରେ ଗୁରୁତ୍ୱ ଦିଆଯିବ ।
3. ଭାଗିଦାରୀଭିତ୍ତିକ ତାଲିମ ଭିତ୍ତିଭୂମି ସୃଷ୍ଟି କରିବାର ପରିବେଶ ତିଆରି କରାଯିବ । ଏଥିରେ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଶିକ୍ଷଣ ଉପକରଣର ଆଦାନପ୍ରଦାନ ହେବ ।
4. ସବୁ ସିଭିଲ ସର୍ଭିସ ପଦକୁ ନୂଆ ଢାଞ୍ଚା ଦେଇ ଏହାର ଭୂମିକା, କାର୍ଯ୍ୟକ୍ରମ ଏବଂ ଦକ୍ଷତାକୁ ଅଗ୍ରାଧିକାର ଦେବା ସହିତ ପ୍ରତ୍ୟେକ ସରକାରୀସ୍ତରରେ ଏଥିପାଇଁ ଆବଶ୍ୟକ ଶିକ୍ଷଣ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ।
5. ସବୁ ସିଭିଲ ସର୍ଭେଣ୍ଟଙ୍କୁ ସେମାନଙ୍କର ବ୍ୟବହାର, କାର୍ଯ୍ୟ ନିର୍ବାହନ ଏବଂ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ନିଜେ ନିଜେ ଅଧିକ କିଛି ଶିଖିବା ପାଇଁ ସୁଯୋଗ ଦିଆଯିବ ।
6. ପ୍ରତ୍ୟେକ କର୍ମଚାରୀଙ୍କ ନିମନ୍ତେ ବାର୍ଷିକ ଚାନ୍ଦାଭିତ୍ତିରେ ମିଳିତ ପ୍ରକ୍ରିୟାରେ ଶିକ୍ଷଣ ଉପକରଣ ଓ ଯୋଗାଣ ତଥା ଏଥିପାଇଁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ତଥା ସବୁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ଏହି କାର୍ଯ୍ୟରେ ମିଳିତଭାବେ ଅର୍ଥ ନିବେଶ କରିବେ ।
7. ଅଂଶୀଦାରୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ବିଶେଷକରି ବେଷ୍ଟ ଇନ୍‌ କ୍ଲାସ ଲର୍ଣ୍ଣିଂ, କଣ୍ଟେଣ୍ଟ କ୍ରିଏଟର, ସର୍ବସାଧାରଣ ତାଲିମ ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ, ଷ୍ଟାର୍ଟ-ଟିପ୍ସ ଏବଂ ବ୍ୟକ୍ତିଗତ ବିଶେଷଜ୍ଞମାନଙ୍କୁ ଏଥିରେ ଯୋଡାଯିବ ।
8. ଆଇଗଟ୍‌ କର୍ମଯୋଗୀ ପ୍ଲାଟଫର୍ମ ଦ୍ୱାରା ଯୋଗାଇ ଦିଆଯାଉଥିବା ଡେଟାର ଅନୁଶୀଳନ କରାଯିବ । ବିଶେଷକରି ଦକ୍ଷତା ବିକାଶ ସଂକ୍ରାନ୍ତ ତଥ୍ୟାବଳୀର ଆକଳନ, କଣ୍ଟେଣ୍ଟ କ୍ରିଏସନ, ୟୁଜର ଫିଡ୍‌ବ୍ୟାକ୍‌, ଦକ୍ଷତା ଅଙ୍କନ ଏବଂ ନୀତିଗତ ସଂସ୍କାର ପାଇଁ କ୍ଷେତ୍ର ଚିହ୍ନଟ କରିବା ଆଦି ଏଥିରେ ଅନ୍ତର୍ଭୁକ୍ତ । ଏଥିରେ ଆହୁରି ମଧ୍ୟ ଏକ ଦକ୍ଷତା ନିର୍ମାଣ ଆୟୋଗ ଗଠନର ପ୍ରସ୍ତାବ ରହିଛି । ଦକ୍ଷତା ବିକାଶ ପରିବେଶକୁ ସହଯୋଗୀଭିତ୍ତିରେ କିପରି ସୁନିୟନ୍ତ୍ରିତ କରିହେବ ଏବଂ ଏହା କିପରି ଭଲଭାବେ କାମ କରିବ ତାହା ନିଶ୍ଚିତ କରିବା ଦାୟିତ୍ୱ ଏହି ଆୟୋଗ ଉପରେ ନ୍ୟସ୍ତ । ଆୟୋଗର କାର୍ଯ୍ୟ ନିମ୍ନରେ ପ୍ରଦାନ କରାଯାଇଛି ।
• ବାର୍ଷିକ ଦକ୍ଷତା ବିକାଶ ପ୍ରସ୍ତୁତ କରିବାରେ ଏହା ପିଏମ୍‌ ପବ୍ଲିକ ହୁ୍ୟମାନ୍‌ ରିସୋର୍ସ କାଉନସିଲ୍‌କୁ ସହାୟତା କରିବ ।
• ସିଭିଲ ସର୍ଭିସ ଦକ୍ଷତା ନିର୍ମାଣ କାର୍ଯ୍ୟ ତୁଲାଉଥିବା କେନ୍ଦ୍ରୀୟ ତାଲିମ ପ୍ରତିଷ୍ଠାନଗୁଡିକର କାର୍ଯ୍ୟର ତଦାରଖ କରିବା ଦାୟିତ୍ୱ ଏହା ଉପରେ ନ୍ୟସ୍ତ କରାଯିବ ।
• ଏହା ସେୟାର ଲର୍ଣ୍ଣିଂ ରିସୋର୍ସସେସ ସୃଷ୍ଟି କରିବ । ଏହାଛଡା ଆଭ୍ୟନ୍ତରୀଣ ଓ ବାହ୍ୟ ଫାକ୍‌ଲଟି ଏବଂ ରିସୋର୍ସ ସେଣ୍ଟରଗୁଡିକର ଦାୟିତ୍ୱ ମଧ୍ୟ ବୁଝିବ ।
• ଏହା ମଧ୍ୟ ବିଭିନ୍ନ ସଂପୃକ୍ତ ପକ୍ଷଙ୍କ ସହ ଦକ୍ଷତା ବିକାଶ ଯୋଜନାର କାର୍ଯ୍ୟକାରିତା ସଂକ୍ରାନ୍ତ ସମନ୍ୱୟ ଓ ତଦାରଖ କାର୍ଯ୍ୟ ନିର୍ବାହ କରିବ ।
• ତାଲିମର ମାନ, ସମାନତା, ଦକ୍ଷତା ନିର୍ମାଣ, ଶିକ୍ଷାଦାନ ଏବଂ ଶିକ୍ଷା ପଦ୍ଧତି ଆଦି ବିଷୟରେ ଏହା ସୁପାରିସ କରିବ ।
• ସବୁ ସିଭିଲ ସେବାରେ କମନ୍‌ ମିଡ୍‌ କ୍ୟାରିୟର ଟ୍ରେନିଂ କାର୍ଯ୍ୟକ୍ରମର ନୀତି ଏହାଦ୍ୱାରା ନିର୍ଦ୍ଧାରିତ ହେବ ।
• ଏଚ୍‌ଆର ମ୍ୟାନେଜମେଣ୍ଟ ଏବଂ ସରକାରଙ୍କ ଦକ୍ଷତା ନିର୍ମାଣ କାର୍ଯ୍ୟ ସଂପର୍କରେ କୌଣସି ନୀତିଗତ ଆବଶ୍ୟକତା ପଡିଲେ ଏହା ସେ ବିଷୟରେ ପ୍ରସ୍ତାବ ଦେବ ।
ଆଇଗଟ୍‌-କର୍ମଯୋଗୀ ପ୍ଲାଟଫର୍ମ ଅତ୍ୟାଧୁନିକ ଭିତ୍ତିଭୂମି ଓ ଜ୍ଞାନକୌଶଳରେ ସମୃଦ୍ଧ ହୋଇ ଦେଶର ଦୁଇକୋଟିରୁ ଅଧିକ ସରକାରୀ କର୍ମଚାରୀଙ୍କୁ ଦକ୍ଷତା ବିକାଶର ମନ୍ତ୍ର ଦେବ । ବିଷୟବସ୍ତୁ ଦୃଷ୍ଟିରୁ ତାଲିମ କାର୍ଯ୍ୟକ୍ରମକୁ ବିଶ୍ୱର ସର୍ବଶ୍ରେଷ୍ଠ କରିବାକୁ ଉଦ୍ୟମ କରାଯାଉଛି । ଏଥିପାଇଁ ଯେଉଁସବୁ ଡିଜିଟାଲ ଇ-ଲର୍ଣ୍ଣିଂ ମେଟେରିଆଲ ଉପଲବ୍‌ଧ ହେଉଛି ସେଗୁଡିକ ବେଶ୍‌ ସତର୍କତାର ସହ ପ୍ରସ୍ତୁତ କରାଯାଇଛି । ଏହାଛଡା କର୍ମଚାରୀଙ୍କ ଦକ୍ଷତା ନିର୍ମାଣ ସେମାନଙ୍କର ସର୍ଭିସ ମ୍ୟାଟର ଯଥା ପ୍ରୋବେସନ, କନ୍‌ଫରମେସନ, ଡେପ୍ଲୟମେଣ୍ଟ, ୱାର୍କ ଆସାଇନ୍‌ମେଣ୍ଟ, ଭ୍ୟାକାନ୍ସି ନୋଟିଫିକେସନ ଆଦି ସମସ୍ତ ତଥ୍ୟ ନୂଆ ଢାଞ୍ଚାରେ ଅନ୍ତର୍ଭୁକ୍ତ ହେବ ।
ମିଶନ କର୍ମଯୋଗୀ ଭାରତୀୟ ସିଭିଲ ସର୍ଭେଣ୍ଟମାନଙ୍କୁ ଅଧିକ ରଚନାତ୍ମକ, ଗଠନମୂଳକ, କଳ୍ପନାପ୍ରୟାସୀ, ଇନୋଭେଟିଭ୍‌ ଏବଂ ସକ୍ରିୟ ପ୍ରଗତିଶୀଳ, ସମର୍ଥ, ସ୍ୱଚ୍ଛ ଏବଂ ବୈଷୟିକ ବିଦ୍ୟାରେ ନିପୁଣକରି ଭବିଷ୍ୟତର ଆବଶ୍ୟକତା ପୂରଣ କରିବାକୁ ଉଦ୍ଦିଷ୍ଟ । ସଂସ୍କାରିତ ବ୍ୟବସ୍ଥାରେ ସରକାରୀ କର୍ମଚାରୀମାନଙ୍କୁ ସୁଦକ୍ଷ ଓ ସମର୍ଥ କରି ଲୋକଙ୍କୁ ଶ୍ରେଷ୍ଠମାନର ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ଆର୍ଥିକ ଆବଶ୍ୟକତା
ପ୍ରଥମ ପର୍ଯ୍ୟାୟରେ ୨୦୨୧ରୁ ୨୦୨୪ -୨୫ ପାଞ୍ଚବର୍ଷ ମଧ୍ୟରେ୪୬ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ତାଲିମ ଓ ଦକ୍ଷତା ନିର୍ମାଣ ପାଇଁ ୫୧୦.୮୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଆବଶ୍ୟକ ଅର୍ଥ ମଧ୍ୟରୁ ବହୁପାକ୍ଷିକ ସହାୟତା ଯୋଗାଣକାରୀ ସଂସ୍ଥା ୫୦ ନିୟୁତ ଆମେରିକୀୟ ଡଲାର ସାହାଯ୍ୟ ଆକାରରେ ଯୋଗାଇଦେବେ । ୨୦୧୩ କଂପାନୀ ଆଇନର ଧାରା ୮ ଅନୁସାରେ ଏନ୍‌ପିସିଏସ୍‌ସିବି ପାଇଁ ଏକ ସ୍ପେଶାଲ ପର୍ପସ ଭେଇକିଲ ତିଆରି ହେବ; ଯାହା ସଂପୂର୍ଣ୍ଣଭାବେ ସରକାରୀ ନିୟନ୍ତ୍ରଣରେ କାର୍ଯ୍ୟ କରିବ । ଏହି ଏସ୍‌ପିଭି ଏକ ଅଣଲାଭଦାୟକ କଂପାନୀଭାବେ କାର୍ଯ୍ୟ କରିବ । ଏହାର ମୁଖ୍ୟ କାମ ହେବ ଆଇଗଟ୍‌ ପ୍ଲାଟଫର୍ମର ପରିଚାଳନା କରିବା । ଏହି ପ୍ଲାଟଫର୍ମର ମାଲିକାନା ଦାୟିତ୍ୱ ମଧ୍ୟ ଏହା ଉପରେ ରହିବ । ପ୍ଲାଟଫର୍ମର ପରିଚାଳନା, କାରବାର, ବିଷୟବସ୍ତୁ, ବଜାର, ଗୁରୁତ୍ୱପୂର୍ଣ୍ଣ ସେବା ଓ ବ୍ୟବସାୟ ସବୁ ଏହି ଏସ୍‌ପିଭି ଦ୍ୱାରା ପରିଚାଳିତ ହେବ । ଆଇଗଟ୍‌ କର୍ମଯୋଗୀ ପ୍ଲାଟଫର୍ମର ବୌଦ୍ଧିକ ସ୍ୱତ୍ୱାଧିକାର ଏହି ଏସ୍‌ପିଭି ଉପରେ ନ୍ୟସ୍ତ କରାଯିବ । ଆଇଗଟ୍‌ କର୍ମଯୋଗୀ ପ୍ଲାଟଫର୍ମ ବ୍ୟବହାରକାରୀଙ୍କ ପ୍ରଦର୍ଶନ ଓ ମୂଲ୍ୟାୟନ କରିବା ପାଇଁ ଏକ ମନିଟରିଂ ଓ ଇଭାଲ୍ୟୁସନ ଫ୍ରେମୱାର୍କ ରହିବ । ଫଳରେ ଶ୍ରେଷ୍ଠ ପ୍ରଦର୍ଶନ ସୂଚୀଗୁଡିକୁ ନେଇ ଏକ ଡ୍ୟାସ୍‌ବୋର୍ଡ ତିଆରି କରାଯାଇପାରିବ ।
ପୃଷ୍ଠଭୂମି
ସିଭିଲ ସେବା ବା ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦକ୍ଷତା ଉପରେ ଅନେକ ସେବା ଓ ଯୋଜନାର ଭବିଷ୍ୟତ ନିର୍ଭର କରେ । ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ପ୍ରମୁଖ ସରକାରୀ କାର୍ଯ୍ୟକ୍ରମର ରୂପାୟନରେ ଏହି କର୍ମଚାରୀମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ସେମାନଙ୍କର ଦକ୍ଷତା ଓ ପ୍ରଦର୍ଶନର ମାନ ଉପରେ ସରକାରୀ କାର୍ଯ୍ୟକ୍ରମର ସଫଳତା ନିର୍ଭର କରିଥାଏ । ଏ କ୍ଷେତ୍ରରେ କିଛି ସଂସ୍କାର ଆଣିବା ପାଇଁ ସରକାର ପ୍ରୟାସ କରିଛନ୍ତି । କର୍ମସଂସ୍କୃତିରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ପାଇଁ କର୍ମଚାରୀଙ୍କୁ ସଶକ୍ତ, ଦକ୍ଷ କରିବା ସହ ସରକାରୀ ପ୍ରତିଷ୍ଠାନ ଓ ଅନୁଷ୍ଠାନଗୁଡିକୁ ମଜଭୁତ କରିବାକୁ ଆଧୁନିକ ଟେକ୍ନୋଲଜିର ଉପଯୋଗ କରାଯାଉଛି । ଏହାଦ୍ୱାରା ନାଗରିକଙ୍କୁ ଉତ୍ତମ ସରକାରୀ ସେବା ଅବିଳମ୍ବେ ଯୋଗାଇ ଦିଆଯିବ ବୋଲି ସରକାର ଆଶା ରଖିଛନ୍ତି ।
ଏଚ୍‌ଆର କାଉନ୍‌ସିଲ
କିଛି ବଛା ବଛା କେନ୍ଦ୍ରୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରମୁଖ ବେସରକାରୀ ମାନବ ସମ୍ବଳ ବିଶେଷଜ୍ଞ, ଚିନ୍ତକ, ଆନ୍ତର୍ଜାତିକ ସ୍ତରର ପ୍ରମୁଖ ଚିନ୍ତକ ଏବଂ ସରକାରୀ ସେବା ଯୋଗାଣକାରୀ କର୍ମକର୍ତ୍ତାମାନଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଶୀର୍ଷ ପରିଷଦ ଗଠନ ହେବ । ପବ୍ଲିକ ହ୍ୟୁମାନ କାଉନସିଲ ନାମରେ ନାମିତ ଏହି ପରିଷଦ ସିଭିଲ ସର୍ଭିସ ସଂସ୍କାର ଓ ଦକ୍ଷତା ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଓ ସୁପାରିସ ମାନ ପ୍ରଦାନ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ