ଲକ୍‌ଡାଉନ୍‌ ଦେଖାଇଲା ରୋଜଗାର ରାସ୍ତା; ୟୁଟୁବ୍ ଦେଲା ଶିକ୍ଷା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର  ସାରଙ୍ଗଗଡ଼ ଗ୍ରାମର ଜଣେ ସଫଳ ଛତୁ ଚାଷୀ ହେଉଛନ୍ତି ସୁଶ୍ରୀ ଜଲ୍ଲି ନାୟକ। ତିନି ଭଉଣୀ ଓ ବାପା ମାଆଙ୍କୁ ନେଇ ତାଙ୍କର ପରିବାର। ଅଭାବ ଅନଟନ ସତ୍ତ୍ବେ ସେ ପାଠ ପଢାରୁ ଓହରି ଯାଇନାହାନ୍ତି କିମ୍ବା ନିଜ ଭଉଣୀ ମାନଙ୍କର ପାଠ ପଢାକୁ ମଧ୍ୟ ବନ୍ଦ କରିବା ପାଇଁ କେବେ ଚିନ୍ତା କରିନାହାନ୍ତି। ନିଜେ ଉଚ୍ଚ ଶିକ୍ଷା ଲାଭ କରିବେ ଓ ଭଉଣୀ ମାନଙ୍କୁ ମଧ୍ୟ ଉଚ୍ଚ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ପାଇଁ ସର୍ବଦା ଚିନ୍ତିତ,  ଜଲ୍ଲି ବର୍ତ୍ତମାନ ସାରଙ୍ଗଡ଼ ସ୍ଥିତ କନ୍ଧମାଳ କଲେଜରେ ଯୁକ୍ତ ୩ କଳାରେ ଶିକ୍ଷା ଗ୍ରହଣ କରିଛନ୍ତି। କରୋନା କଟକଣା ଯୋଗୁଁ ସରକାର ସମଗ୍ର ଦେଶରେ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଏହି ସମୟରେ ତାଙ୍କର  କଲେଜ ଯିବା ବନ୍ଦ ହୋଇଯାଏ। ଆଉ ଏହି ଲକଡ଼ାଉନ୍ ହିଁ ଦେଖାଇଲା ପାଠୁଆ ଜଲ୍ଲିଙ୍କ ପାଇଁ ରୋଜଗାର ରାସ୍ତା। ନିଜେ ଚିନ୍ତା କରି ଛତୁଚାଷ କରିବା ପାଇଁ ଆରମ୍ଭ କରିଥିଲେ ନିଜ ପକ୍ଷରୁ ଉଦ୍ୟମ। ଏହି ଉଦ୍ୟମରେ ତାଙ୍କୁ ସହଯୋଗରର ହାତ ବଢାଇଥିଲେ ନିଜେ ତାଙ୍କର ଚାଷୀ ବାପା ଶିବରାମ ନାୟକ। ଏହି ସମୟକୁ ସଠିକ୍ ସମୟ ଭାବି ପୂର୍ବରୁ କିଛି ରୋଜଗାର କରି ପରିବାରକୁ ସାହାଯ୍ୟ କରିବା ପାଇଁ ଆଶା କରିଥିବା ଜଲ୍ଲି ବାପାଙ୍କ ମୋବାଇଲ୍ ଆଣି ନିଜେ ରୋଜଗାରକ୍ଷମ ହେବାର ଉପାୟ ୟୁଟ୍ୟୁବ୍‌ରେ ଖୋଜିବାରେ ଲାଗିପଡିଲେ। ଏହି ସମୟରେ ଛତୁ ଚାଷ କରିବାର ପ୍ରଣାଳୀ, ଆବଶ୍ୟକୀୟ ସାମଗ୍ରୀ ଓ ଏଥିରୁ ହେଉଥିବା ଲାଭ ବିଷୟରେ ଶୁଣି ସେ ମଧ୍ୟ ଛତୁ ଚାଷ କରିବା ପାଇଁ ମନସ୍ଥ କରିଥିଲେ ବୋଲି ପ୍ରକାଶ କରିଛନ୍ତି। ବାପାଙ୍କ ପ୍ରେରଣା ଓ ମାଆ ଓ ଭଉଣୀ ମାନଙ୍କର ସହଯୋଗ ଫଳରେ ସେ ୧୨ ହଜାର ଟଙ୍କାରେ ଆରମ୍ଭ କରିଥିଲେ ତାଙ୍କର ଛତୁଚାଷ। ନିଜେ ନିଜ ଗୋଡରେ ଠିଆ ହୋବାର ଉଦ୍ୟମକୁ ଦେଖି ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ ଓ ସେଭ୍ ଦି ଚିଲ୍ଡ୍ରେନ୍ ପ୍ରଦାନ କରିଥିଲେ ୫ ହଜାର ଟଙ୍କାର ଆର୍ଥିକ ସାହାର୍ଯ୍ୟ। ବଳକା ୭ ହଜାର ଟଙ୍କା ତାଙ୍କ ବାପା ଅନ୍ୟ ଠାରୁ ଉଦ୍ଧାର ଆଣି ଆରମ୍ଭ କରିଥିଲେ ଏହି ଛତୁଚାଷ। ଅଗଷ୍ଟ ୯ ତାରିଖରେ ଆରମ୍ଭ କରିଥିବା ଏହି ଛତୁଚାଷ ଆଜି ମଧ୍ୟରେ ପ୍ରାୟ ୫୦ କେଜି ବିକ୍ରି କରିସାରିଛନ୍ତି। ଏହି ବାବଦକୁ ସେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୧ ହଜାର ଟଙ୍କା ରୋଜଗାର କରିଥିବା ବେଳେ ଆହୁରି ପ୍ରାୟ ୫ ରୁ ୭ ହଜାର ଟଙ୍କାର ଛତୁ ବାହାରିବ ବୋଲି ମଧ୍ୟ ଆକଳନ କରିଛନ୍ତି ଜଲ୍ଲି। ଖୋଦ୍ ସାରଙ୍ଗଡ଼ ବଜାରରେ ହିଁ ଆଦାୟ ଛତୁକୁ କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି କରି ବେଶ୍ ଉପକୃତ ହୋଇଥିବା ଜଲ୍ଲି ପ୍ରକାଶ କରିଥିବା ବେଳେ ତାହା ମଧ୍ୟ ତାଙ୍କ ପରିବାର ଅନେକଥର ଖାଦ୍ୟଭାବେ ଗ୍ରହଣ କରିଛନ୍ତି। ପାଢ ପଢିବା ସହିତ ଏହି ଚାଷରେ ସେ ନିଶ୍ଚିତ ଭାବେ ବେଶ୍ ଲାଭବାନ ହୋଇଛନ୍ତି ବୋଲି ପ୍ରକାଶ କରିଥିବା ବେଳେ ବାପା ଯେଉଁ ଟଙ୍କାଧାର ଆଣିଥିଲେ ସେଥିରୁ ୫ ହଜାର ଟଙ୍କା ମଧ୍ୟ ଶୁଝିଦେଇଛନ୍ତି। ବାପା କୁଲି ମଜୁରି କରି କିମ୍ବା ଚାଷବାଷ କରି ପରିବାର ପୋଷଣ କରୁଥିବା ବେଳେ ନିଜ ବଡ଼ଝିଅଙ୍କ ଉଦ୍ୟମ ଓ ଇଛାଶକ୍ତି ଯୋଗୁଁ ତାଙ୍କ ପରିବାର ବର୍ତ୍ତମାନ ବେଶ୍ ହସଖୁସିରେ ସମୟ କାଟୁଥିବା ବେଳେ ଏହା ଦିନକୁ ଦିନ ଅଧିକରୁ ଅଧିକ ରୋଜଗାର ଦେଉଛି ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ଅଧିକ କିଭଳି ଲାଭ ହୋଇ ପାରିବ ଏବଂ ଅନ୍ୟ ଯୁବକ ଯୁବତୀ ମାନଙ୍କୁ କିଭଳି ପ୍ରେରଣା ମିଳି ପାରିବ ସେଥି ନିମନ୍ତେ ସ୍ୱାତୀ ସଂଗଠନର କର୍ମକର୍ତ୍ତା ସରସ୍ୱତୀ ବିନ୍ଧାଣୀ ସମସ୍ତ ପ୍ରକାରର ସାହାଯ୍ୟ ମଧ୍ୟ କରିଛନ୍ତି। ପାଠ ପଢା ସହିତ ଛତୁ ଚାଷ କରିବାରେ କୈାଣସି ପ୍ରକାରର ଅସୁବିଧା ନାହିଁ ଓ ପାଠ ପଢିବା ସହିତ ଛତୁ ଚାଷ କରି ସେ ନିଜ ପରିବାରକୁ ଆର୍ଥୀକ କ୍ଷେତ୍ରରେ ସାହାର୍ଯ୍ୟ କରିପାରୁଥିବାରୁ ଅତ୍ୟନ୍ତ ଖୁସି ଓ ଯୁବ ସମାଜ କେବଳ ଚାକିରି ପଛରେ ନଦୌଡ଼ି ଓ ବେକାର ହୋଇ ନରହି ନିଜ ଉଦ୍ୟମରେ ନିଜେ ରୋଜଗାର କରିବାକୁ ମଧ୍ୟ ସେ ପରାମର୍ଶ ଦେବା ସହିତ ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେଇ ଆତ୍ମନିର୍ଭର ଶୀଳପାଇଁ ଏଭଳି ଉଦ୍ୟମ କଲେ ନିଶ୍ଚିତ ଭାବେ ଅନେକ ଉପକୃତ ହୋଇ ପାରିବ ବୋଲି ମଧ୍ୟ ଜଲ୍ଲି ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ