ମେରୁଦଣ୍ଡ ଅପରେସନ ପାଇଁ ସରକାରୀ ସହାୟତା ନିବେଦନ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜଣେ ଦିନ ମଜୁରିଆ ଗରୀବ ଓ ଅସହାୟ ଲୋକର ମେରୁଦଣ୍ଡ ଅପରେସନ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରାଯାଇଛି । ଘଟଣାରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ପଞ୍ଚାୟତ ଗୋପାଳପୁର ଗ୍ରାମର ସର୍ବେଶ୍ୱର ବାରିକଙ୍କ ଜଣେ ଗରୀବ ଦିନମଜୁରିଆ ଶ୍ରେଣୀର ଲୋକ ତାଙ୍କର ହଠାତ ୨ଟି ହାତ ଓ ଗୋଡ ଅଚଳ ହୋଇଯିବାରୁ ତାଙ୍କୁ ଗ୍ରାମବାସୀମାନେ ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ତାଙ୍କର ପରୀକ୍ଷା ନିରୀକ୍ଷା କରାଯିବା ପରେ ମେରୁଦଣ୍ଡରେ ଜରୁରୀ ଅପରେସନ କରାଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏହି ଅପରେସନ ପାଇଁ ପ୍ରାୟ ୨ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ତାଙ୍କୁ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଥିଲା । ସର୍ବେଶ୍ୱର ଜଣେ ଭୂମିହୀନ, ଅସହାୟ ଓ ଗରୀବ ଲୋକ ହୋଇଥିବାରୁ ତାଙ୍କ ପାଖରେ ଅପରେସନ ପାଇଁ ଆବଶ୍ୟକ ସମ୍ବଳ ନାହିଁ । ତେଣୁ ତାଙ୍କ ଅପରେସନ ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ସହାୟତା ତାଙ୍କୁ ପ୍ରଦାନ କରାଯିବାକୁ ସେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀଙ୍କୁ ଭେଟି ନିବେଦନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ଜିଲ୍ଲା ଜରୁରୀ ବିଭାଗକୁ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।