ସଂସ୍କୃତ ସଂଘ ପକ୍ଷରୁ ସଂସ୍କୃତ ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ସଂସ୍କୃତ ମଣ୍ଡଳ ପକ୍ଷରୁ ସ୍ଥାନୀୟ ଜେ.ଆର.ସି ଭବନରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଉତ୍ସବରେ ସଭାପତିତ୍ୱ କରି ପଣ୍ଡିତ ରବିନାରାୟଣ ମିଶ୍ର ସଂସ୍କୃତର ପ୍ରଚାର ପ୍ରସାର କରିବା ପାଇଁ ଶପଥ ନେବାକୁୁ ସମସ୍ତଙ୍କୁ ନିବେଦନ କରିଥିଲେ । ମୁଖ୍ୟଅତିଥି ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦେଇ ବିଶ୍ୱବିଖ୍ୟାତ ଟିକାକାର ଶ୍ରୀଧର ସ୍ୱାମୀଙ୍କ ପାଇଁ ବାଲେଶ୍ୱର ଗର୍ବିର୍ତ ବୋଲି ମତବ୍ୟକ୍ତ କରି ସଂସ୍କୃତ ଶିକ୍ଷା ଓ ଭାଷାପ୍ରତି ସରକାରୀ ବିମୁଖତାକୁ ପ୍ରତିହତ କରିବା ପାଇଁ ସଂସ୍କୃତ ପଣ୍ଡିତ ଓ ଛାତ୍ରଛାତ୍ରୀମାନେ ଆଗାମୀ ଜନଗଣନାରେ ସଂସ୍କୃତକୁ ପ୍ରଥମ ଭାଷା ଭାବେ ଉଲ୍ଲେଖ କରିବାକୁ ନିବେଦନ କରିଥିଲେ । ସମ୍ମାନିତ ବକ୍ତାଭାବେ ପୂର୍ବତନ ଅଧ୍ୟକ୍ଷ ଡ. କ୍ଷିତୀଶ୍ୱର ଦାଶ ସଂସ୍କୃତ ସ୍ୱଚ୍ଛତା, ପବିତ୍ରତା, ସଂସ୍କାର, ଅଖଣ୍ଡତା, ସ୍ୱୟଂସମ୍ପନ୍ନା, ସୌନ୍ଦର୍ଯ୍ୟ ଓ ଲାତିତ୍ୟର ଭାଷା ଭାବେ ଅଭିହିତ କରି ବେଦ, ବିଜ୍ଞାନ, ବ୍ୟାକରଣ, ଅଣୁପରମାଣୁ, କମ୍ପ୍ୟୁଟର, ନୀତିଶାସ୍ତ୍ର ଆଦିର ମୂଳ ଭାଷା ଓ ଏହା ବିନା ସଂସ୍କୃତିର ସୁରକ୍ଷା ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂସ୍କୃତ ଭାଷା ସଂସ୍କୃତିର ସୁରକ୍ଷା ଦେଇପାରିବ ଓ ଏହି ଭାଷାକୁ ଆମେ ଆଗେଇନେବା ସହ ଏହାର ଉନ୍ନତି କରିବାକୁ ଆହ୍ନ୍ାନ ଦେଇଥିଲେ । ଜିଲ୍ଲା ସଂପାଦକ ପଣ୍ଡିତ ମନ୍ମଥ କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ ସହ ସଂସ୍କୃତର କବିତା ପାଠ କରିଥିଲେ । ଏହି ଅବସରରେ ଜିଲ୍ଲାର ଅବସରପ୍ରାପ୍ତ ପ୍ରଧାନ ପଣ୍ଡିତ ଆନନ୍ଦ ବିହାରୀ ପତ୍ରୀ, ପଣ୍ଡିତ ଶାନ୍ତନୁ କୁମାର ପତି, ପୂର୍ଣ୍ଣଚନ୍ଦ୍ର ମିଶ୍ର, ପଞ୍ଚାନନ ପଣ୍ଡା, ଗୋବିନ୍ଦଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସ୍ତରରେ ସଂସ୍କୃତର ମଧ୍ୟମା କେନ୍ଦ୍ର ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସାଗରିକା ରାୟ, କିଶୋରୀମୋହନ ଟୋଲ, ସୀମା ସିଂ କୋକିଳମଣି ଟୋଲ, କୁମ୍ଭାରୀ ଓ କୁନା ହେମ୍ବ୍ରମ୍ ବାଗୀଶ୍ୱରୀ ଟୋଲ ତିନିଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ହେମଚନ୍ଦ୍ର ସଂସ୍କୃତ ବିିଦ୍ୟାପୀଠର ଛାତ୍ରଛାତ୍ରୀମାନେ ସଂସ୍କୃତରେ ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରି ଆପ୍ୟାୟିତ କରିଥିଲେ । ମୀନତି ମୁର୍ମୂ, କୁନା ହେମ୍ବ୍ରମ୍ ସଂସ୍କୃତରେ ଭାଷଣ ଦେଇଥିଲେ । ସଂଗ୍ରାମ ମହାପାତ୍ରଙ୍କ ବେଦପାଠ ପରେ ଅତିଥିôମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଓ ସେମାନଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପଣ୍ଡିତ ସଂଜୟ କୁମାର ପଣ୍ଡା ମଂଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲାର ସଂସ୍କୃତ ବିଦ୍ୟାଳୟରୁ ଶତାଧିକ ପଣ୍ଡିତ ଓ ଶିକ୍ଷକ ଯୋଗ ଦେଇଥିଲେ । ସୁଧୀର ପଣ୍ଡା, ସୁରେନ୍ଦ୍ର ଜେନା ଓ ରମେଶଚନ୍ଦ୍ର ପ୍ରଧାନ ମଂଚ ପରିଚାଳନାରେ ସହଯୋଗ କରିଥିଲେ । କମଳାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।