ବେରୋଜଗାରୀଙ୍କୁ ରୋଜଗାର ଓ ସହାୟତା ପ୍ରଦାନ ଦାବି

ନାଉଗାଁ,(ଓ୍ବାଇଏନ୍ଏସ୍): ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଏଥିରେ ବିଶେଷ କରି ଶ୍ରମିକ ଶ୍ରେଣୀର ଲୋକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଶ୍ରମିକ ସମସ୍ୟାର ସମାଧନ ନିମନ୍ତେ ଭାରତୀୟ ମଜଦୁର ସଂଘ ଜଗତସିଂହପୁର ଜିଲ୍ଲା କମିଟିର ନାଉଗାଁ ବ୍ଳକ ଶାଖା ପକ୍ଷରୁ ୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବି ମଧ୍ୟରେ ସମସ୍ତ ପ୍ରବାସୀ ଶ୍ରମିକ ତଥା ବେକାର ଯୁବକ ଯୁବତୀମାନଙ୍କ ଦକ୍ଷତା ସର୍ବେକ୍ଷଣ କରାଯାଇ ଅନୁରୂପ କର୍ମସଂସ୍ଥାନ ଯୋଗାଇ ଦିଆଯାଉ, ହସ୍ପିଟାଲ କର୍ମଚାରୀଙ୍କ ପରି ସମସ୍ତ ଅଙ୍ଗନୱାର୍ଡୀ ଓ ଆଶା କର୍ମୀଙ୍କୁ ଦୈନିକ ୫ ଶହ ଟଙ୍କା ଭତା ପ୍ରଦାନ କରାଯାଉ, ଅର୍ଥାଭାବ ଦର୍ଶାଇ କୌଣସି ଠିକା କର୍ମଚାରୀଙ୍କୁ ଛଟେଇ ନକରି ବନ୍ଦ ଥିବା ସମସ୍ତ ସରକାରୀ ନିଯୁକ୍ତିକୁ ତୁରନ୍ତ କରାଯାଉ, ନିର୍ମାଣ ଶ୍ରମିକ, ବିଡି ଶ୍ରମିକ ,ଟାକ୍ସି ଚାଳକ, ଉଠା ଦୋକାନୀ ଆଦି ଅଣ ସଂଗଠିତ ଶ୍ରମିକଙ୍କୁ ତାଲା ବନ୍ଦ ସମୟର ମାସିକ ୨ ହଜାର ଟଙ୍କା କରୋନା ସହାୟତା ରାଶି ପ୍ରଦାନ କରାଯାଉ, ସମସ୍ତ ପ୍ରବାସୀ ଓ ଦାଦନ ଶ୍ରମିକଙ୍କୁ ନିଶ୍ଚିତ ପଂଜୀକରଣ କରାଯାଉ ଆଦି ଦାବି ଗୁଡିକ ରହିଛି । ଜିଲ୍ଲା ସଂପାଦକ ଅକ୍ଷୟ କୁମାର ଦାସଙ୍କ ନେତୃତ୍ୱରେ ନାଉଗାଁ ବ୍ଳକ ସଭାପତି କେଶବ ଚରଣ ଦାସ, ସଂପାଦକ ଶିଶିର ପରିଡା, ଭଗବାନ କାଣ୍ଡୀ, ଚନ୍ଦ୍ରଶେଖର ଭୋଇ, ଜୟନ୍ତୀ ଜେନା ଆଦି ଉକ୍ତ ଦାବିପତ୍ରକୁ ବିଡିଓଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ