ବିଜାତଳା ବିଡ଼ିଓଙ୍କ ନିଖୋଜ ନେଇ ସମିତି ସଭ୍ୟ ସଭ୍ୟା ଙ୍କ ଥାନାରେ ଏତଲା
ରାଇରଙ୍ଗପୁର,(ରଜନୀକାନ୍ତ ମିଶ୍ର): ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ସବୁଠାରୁ ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଇଲାକା । ବିକାଶର ହାର ଏଠି ପଛୁଆ ଶିକ୍ଷା,ଗମନାଗମନ,ବିଜୁଳି,ପାଣି, ସ୍ବାସ୍ଥ୍ୟ,କୃଷି ସବୁଥିରେ ବିକାଶର ହାର କମ୍ । ଏହିଭଳି ଏକ ବ୍ଲକର ବିଡିଓ ତ୍ରିନାଥ ମାଝୀ ସେପ୍ଟେମ୍ବର ୭ ତାରିଖରୁ ଅନୁପସ୍ଥିତ ଅଛନ୍ତି । ବ୍ଲକ ଅଧ୍ୟକ୍ଷ କି ଅଫିସ କର୍ମଚାରୀ ଜଣାଇ ନାହାନ୍ତି ଏବଂ ମୋବାଇଲ ସୁଇଚ ଅଫ୍ କରି ଦେଇଛନ୍ତି । ବର୍ତମାନ କରୋନା ମହାମାରୀ ରେ ବିଜାତଳା ବ୍ଳକ ବହୁ ପ୍ରଭାବିତ ସହ ବିଡ଼ିଓଙ୍କ ଅନୁପସ୍ଥିତି ଯୋଗୁଁ ବହୁ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ପ୍ରାପ୍ତ ହେଉଛି । ଅଧ୍ୟକ୍ଷ ଓ ସମିତି ସଭ୍ୟ ସଭ୍ୟା ବିଡ଼ିଓଙ୍କ ସହ ଯୋଗାଯୋଗ କଲେ ମଧ୍ୟ ମୋବାଇଲ ସୁଇଚ ଅଫ୍ ଅଛି । ତେଣୁ ବାଧ୍ୟ ହୋଇ ବିଜାତଳା ବ୍ଲକ ଅଧ୍ୟକ୍ଷ ନିମାଇଁ ମାଝୀ,ବିଜାତଳା ସମିତି ସଭ୍ୟା ରାଣୀ ମୁର୍ମୁ,ଚଢେଇପାହାଡି ସମିତି ସଭ୍ୟ ମହେନ୍ଦ୍ର ହାଁସଦା,ରାମହରି ସମିତି ସଭ୍ୟ ରାମଚନ୍ଦ୍ର ବେଶ୍ୟା,ଲୁହାଶିଳଖ ସମିତି ସଭ୍ୟା ଫୁଲମଣି ସୋରେନ୍,ସରିବା ସମିତି ସଭ୍ୟ ତିରୁପତି ହାଁସଦା,ବଡଧରଣର ସମିତି ସଭ୍ୟା ରଶ୍ମି ରେଖା ମହାନ୍ତ,ମୁଣ୍ଡା ଠାକୁରାଣୀ ସମିତି ସଭ୍ୟା ଯମୁନା ବାସ୍କେ,ବଣକାଟି ସମିତି ସଭ୍ୟ ଯଜ୍ଞେଶ୍ଵର ପାତ୍ର,ନୁସାଡିହି ସମିତି ସଭ୍ୟା କଳ୍ପନା ପାତ୍ର ପ୍ରମୁଖ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ବିଡ଼ିଓ ଙ୍କ ପତ୍ତା ମିଳୁ ନାହିଁ ବୋଲି ମଙ୍ଗଳବାର ଦିନ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହାକୁ ନେଇ ମୟୁରଭଞ୍ଜ ଜିଲ୍ଲା ସମେତ ବିଜାତଳା ବ୍ଲକରେ ଚର୍ଚ୍ଚା ଚାଲିଛି । ବିଡ଼ିଓ ବନାମ ଜନପ୍ରତିନିଧି ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଜିଲ୍ଲାପାଳ ମହୋଦୟ ତୁରନ୍ତ ଉଚିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।


