ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆ ଦିଲ୍ଲୀ:ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ନିକଟରେ ସମ୍ପ୍ରସାରିତ ଅଟଳ ବୀମିତ କଲ୍ୟାଣ ଯୋଜନା ଅନ୍ତର୍ଗତ ଚାକିରି ହରାଇଥିବା କର୍ମଚାରୀମାନେ ସହାୟତା ପାଇବା ଲାଗି ଆବେଦନ ଦାଖଲ କରିବା ନିମନ୍ତେ ଇଏସଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ସହାୟତା ପାଇବା ଲାଗି ଅନଲାଇନରେ www.esic.in ୱେବସାଇଟରେ ଆବେଦନ ଦାଖଲ କରାଯାଇପାରିବ। ଏଥିସହିତ ଆବେଦନକାରୀ ଏକ ସତ୍ୟପାଠ, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ବିବରଣୀର ଫଟୋକପି ସହିତ ଅଧିକୃତ ଇଏସଆଇସି ଶାଖା କାର୍ଯ୍ୟ|ଳୟରେ ବ୍ୟକ୍ତିଗତ ଭାବେ କିମ୍ବା ଡାକ ଯୋଗେ ସେମାନଙ୍କର ଆବେଦନ ଦାଖଲ କରିପାରିବେ।ଏଠାରେ ସୂଚନାଯୋଗ୍ୟ ଯେ ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଇଏସଆଇ ନିଗମ ପକ୍ଷରୁ ଅଟଳ ବୀମିତ କଲ୍ୟାଣ ଯୋଜନାକୁ ଅତିରିକ୍ତ ୧ ବର୍ଷ ପାଇଁ ସମ୍ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ଅନୁରୂପ ଯୋଜନାକୁ ଜୁଲାଇ ପହିଲା ୨୦୨୦ ଠାରୁ ୩୦ ଜୁନ, ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କୋଭିଡ-୧୯ ମହାମାରୀ ଏବଂ ତତସଂକ୍ରାନ୍ତ ଲକଡାଉନ କାରଣରୁ ଚାକିରି ହରାଇଥିବା ବୀମାଭୁକ୍ତ କର୍ମଚାରୀମାନଙ୍କ ପାଇଁ ଯୋଗ୍ୟତା ସର୍ତ୍ତାବଳୀକୁ କୋହଳ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଏହି ଯୋଜନାରେ ସେମାନେ କ୍ଷତିପୂରଣ ଆକାରରେ ସେମାନଙ୍କ ଦରମାର ୫୦% ପାଇପାରିବେ। ପୂର୍ବରୁ ଏହି ପରିମାଣ ୨୫% ଥିବା ବେଳେ ବର୍ତ୍ତମାନ ଏହାକୁ ବଢ଼ାଇ ୫୦% କରି ଦିଆଯାଇଛି। ବର୍ତ୍ତମାନର ଗାଇଡଲାଇନ ଅନୁଯାୟୀ, ଚାକିରି ହରାଇଥିବା କର୍ମଚାରୀମାନଙ୍କୁ ଲାଭ ଦେବା ଲାଗି ନିଯୁକ୍ତିଦାତା ଆବେଦନ କରିବେ । ଶ୍ରୀ ଗଙ୍ଗୱାର କହିଛନ୍ତି ଯେ ଆବେଦନ ପ୍ରକ୍ରିୟାରେ ଏବେ ଏକ ଜରୁରି ରିହାତି ପ୍ରଦାନ କରାଯାଇଛି। ତାହା ହେଉଛି ଏବେ ଇଏସଆଇସି ଶାଖା କାର୍ଯ୍ୟ|ଳୟରେ ସିଧାସଳଖ ଆବେଦନ କରାଯାଇପାରିବ। ଏହି ସମ୍ପ୍ରସାରିତ ଲାଭ ଏବଂ ସର୍ତ୍ତାବଳୀ କୋହଳ ହେବାର ବ୍ୟବସ୍ଥା ୨୪ ମାର୍ଚ୍ଚ ୨୦୨୦ରୁ ୩୧ ଡିସେମ୍ବର ୨୦୨୦ର ଅବଧି ମଧ୍ୟରେ ଲାଗୁ ହେବ। ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରାଯାଇସାରିଛି।ସହାୟତା ରାଶି ସିଧାସଳଖ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ। ଶ୍ରମ ମନ୍ତ୍ରୀ ଇଏସଆଇସିର ପ୍ରୟାସକୁ ପ୍ରଶଂସା କରି କହିଛନ୍ତି ଯେ ବର୍ତ୍ତମାନ ୩.୪୯ କୋଟି କର୍ମଚାରୀଙ୍କ ପରିବାରକୁ ଲାଭ/ସେବା ଯୋଗାଇ ଦେଉଛି। ଏଥିସହିତ ୧୩.୫୬ କୋଟି ଲାଭାର୍ଥୀ ଅତୁଳନୀୟ ନଗଦ ସହାୟତା ଏବଂ ଶସ୍ତା ଚିକିତ୍ସା ସେବା ପାଇପାରୁଛନ୍ତି। ବର୍ତ୍ତମାନ ଇଏସଆଇସିର ଭିତ୍ତିଭୂମି ବହୁଗୁଣରେ ବୃଦ୍ଧି ପାଇଛି। ଏହା ଅଧୀନରେ ୧୫୨୦ଟି ଡିସପେନ୍ସରୀ (ମୋବାଇଲ ଡିସପେନ୍ସରୀ ସମେତ)/୩୦୭ ଆଇଏସଏମ ୟୁନିଟ ଏବଂ ୧୫୯ ଇଏସଆଇ ଡାକ୍ତରଖାନା, ୭୯୩ ଶାଖା/ପଇଠ କାର‌୍ୟ୍ୟାଳୟ ଏବଂ ୬୪ କ୍ଷେତ୍ରୀୟ ଓ ଉପକ୍ଷେତ୍ରୀୟ କାର୍ଯ୍ୟ|ଳୟ ରହିଛି। ୩୪ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୫୬୬ ଜିଲ୍ଲାରେ ଏହା ସେବା ଯୋଗାଇ ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ