ବିଶ୍ୱରେ ସର୍ବାଧିକ ଆରୋଗ୍ୟ ହାର ସହିତ ଭାରତ ୧ନଂ

ନୂଆ ଦିଲ୍ଲୀ:କୋଭିଡ-୧୯ ଆରୋଗ୍ୟ ମାମଲାରେ ଭାରତ ଆଜି ଏକ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ମୋଟ ଆରୋଗ୍ୟଙ୍କ ସଂଖ୍ୟାରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇ ଭାରତ ଆଜି ବିଶ୍ୱର ୧ନମ୍ବର ରାଷ୍ଟ୍ର ହୋଇପାରିଛି।ଦେଶରେ ମୋଟ ୪୨ ଲକ୍ଷରୁ ଅଧିକ (୪୨,୦୮,୪୩୧) କୋଭିଡ ସଂକ୍ରମିତ ସୁସ୍ଥ ହୋଇ ଛାଡ଼ ପାଇଛନ୍ତି। ଭାରତରେ ବର୍ତ୍ତମାନ ବିଶ୍ୱର ୧୯% କୋଭିଡ ଆରୋଗ୍ୟ ରହିଛନ୍ତି। ଏହା ଜାତୀୟ ଆରୋଗ୍ୟ ହାରକୁ ପାଖାପାଖି ୮୦% (୭୯.୨୮%)ରେ ପହଞ୍ଚାଇଛି।ମୋଟ ଆରୋଗ୍ୟ ହାର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି।କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ଆଗୁଆ ଏବଂ ଅଧିକ ସଂଖ୍ୟକ ନମୁନା ପରୀକ୍ଷା, ନିରୀକ୍ଷଣ ଏବଂ ମାମଲା ଚିହ୍ନଟ ପାଇଁ ସମର୍ପିତ, ଯୋଜନାବଦ୍ଧ, ତ୍ୱରିତ ଏବଂ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ସହିତ ଉଚ୍ଚ ମାନର ଚିକିତ୍ସା ସହାୟତା ଯୋଗୁ ଏହି ସଫଳତା ହାସଲ କରାଯାଇ ପାରିଛି।
କୋଭିଡ-୧୯ ବିରୋଧରେ ସମର୍ପିତ ଓ ସଂକଳ୍ପବଦ୍ଧ ପ୍ରୟାସ କାରଣରୁ ଭାରତ ପୁଣିଥରେ ବିଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟକ ରୋଗୀ ଆରୋଗ୍ୟ ହେବାର ରେକର୍ଡ ହାସଲ କରିଛି। ଦେଶରେ ଦିନକେ ୯୫,୮୮୦ ଜଣ କୋଭିଡ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ୯୦% ନୂଆ ଆରୋଗ୍ୟ ରହିଛନ୍ତି।ନୂଆ ଆରୋଗ୍ୟ ମାମଲା ମଧ୍ୟରେ ୬୦% ପାଞ୍ଚଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶରେ ରହିଛନ୍ତି।
ଦୈନିକ ନୂଆ ଆରୋଗ୍ୟଙ୍କ ମଧ୍ୟରେ କେବଳ ମହାରାଷ୍ଟ୍ରରେ ୨୨,୦୦୦ରୁ ଅଧିକ (୨୩%) ଆରୋଗ୍ୟ ଥିବା ବେଳେ ଆନ୍ଧ୍ର ପ୍ରଦେଶରେ ୧୧,୦୦୦ (୧୨.୩%) ଆରୋଗ୍ୟ ରହିଛନ୍ତି। ମୋଟ ଆରୋଗ୍ୟଙ୍କ ମଧ୍ୟରୁ ୯୦% ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ରହିଛନ୍ତି।ଅଧିକ ମାମଲା ଥିବା ରାଜ୍ୟ ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶରେ ମଧ୍ୟ ମୋଟ ଆରୋଗ୍ୟଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ଆରୋଗ୍ୟ ରହିଛନ୍ତି।
ଭାରତରେ ଆରୋଗ୍ୟଙ୍କ ସଂଖ୍ୟା ସ୍ଥିର ଭାବେ ବୃଦ୍ଧି ପାଉଛି। ଲକ୍ଷ୍ୟବଦ୍ଧ ରଣନୀତି ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ସମନ୍ୱୟ ସ୍ଥାପନ କରାଯାଇ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କାରଣରୁ ଏପରି ସଫଳତା ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବିସ୍ତୃତ କ୍ଲିନିକାଲ୍ ପରିଚାଳନା ଏବଂ ଚିକିତ୍ସା ପ୍ରୋଟୋକଲ ଜାରି କରାଯାଇଛି। ବୈଶ୍ୱିକ ଆଧୁନିକ ଚିକିତ୍ସା ପଦ୍ଧତି ବିକାଶ ସହିତ ଏଗୁଡ଼ିକୁ ନିୟମିତ ବ୍ୟବଧାନରେ ସଂଶୋଧିତ ଏବଂ ସୁଦୃଢ଼ କରାଯାଇଛି। କୋଭିଡ ରୋଗୀଙ୍କ ଚିକିତ୍ସା ଲାଗି ଭାରତରେ ରେମଡିସିଭିର, କୋଭାଲସେଣ୍ଟ ପ୍ଲାଜମା ଏବଂ ତୋସିଲିଜୁମାବ ଭଳି ‘ଅନୁସନ୍ଧାନକାରୀ ଚିକିତ୍ସା’ର ଯୁକ୍ତିଯୁକ୍ତ ପ୍ରୟୋଗକୁ ଅନୁମତି ମିଳିଛି। ଏହାବ୍ୟତୀତ ପ୍ରୋନିଂ, ହାଇ ଫ୍ଲୋ ଅକ୍ସିଜେନ, ନନ-ଇନଭାସିଭ ଭେଣ୍ଟିଲେସନ, ଷ୍ଟେରୋଏଡ ଏବଂ ଆଣ୍ଟି-କୋଗ୍ୟୁଲାଣ୍ଟର ଭଳି ଚିକିତ୍ସା ପଦ୍ଧତି କାର‌୍ୟ୍ୟକାରୀ କରାଯାଇଛି। ଘରୋଇ ସଙ୍ଗରୋଧର ଅନୁଧ୍ୟାନ, ରୋଗୀଙ୍କୁ ତୁରନ୍ତ ଏବଂ ସମୟବଦ୍ଧ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଉନ୍ନତ ଆମ୍ବୁଲାନ୍ସ ସୁବିଧା ଫଳରେ ରୋଗୀଙ୍କ ଚିକିତ୍ସା ପରିଚାଳନା ବାଧାମୁକ୍ତ ଓ ପ୍ରଭାବୀ ହୋଇପାରିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସର ସହଯୋଗରେ ‘କୋଭିଡ-୧୯ ପରିଚାଳନା ଲାଗି ଜାତୀୟ ଇ-ଆଇସିୟୁ ପରିଚାଳନା’ କାର‌୍ୟ୍ୟକ୍ରମ କାର‌୍ୟ୍ୟକାରୀ କରାଯାଉଛି। ଉତ୍କର୍ଷ କେନ୍ଦ୍ର ଜରିଆରେ ଏହି କାର‌୍ୟ୍ୟକ୍ରମ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଆଇସିୟୁ ଡାକ୍ତରମାନଙ୍କୁ ସାମିଲ କରାଯାଉଛି। ସପ୍ତାହକୁ ଦୁଇ ଥର ମଙ୍ଗଳବାର ଓ ଶୁକ୍ରବାର ଆୟୋଜିତ ହେଉଥିବା ଏସବୁ ଅଧିବେଶନ କାରଣରୁ ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବା ଏବଂ ମୃତ୍ୟୁହାର ହ୍ରାସ ପାଇବାରେ ବିଶେଷ ସହାୟତା ମିଳିପାରିଛି। ବର୍ତ୍ତମାନସୁଦ୍ଧା ଦେଶର ୨୮ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୨୪୯ଟି ଡାକ୍ତରଖାନା ପାଇଁ ୧୯ ଏପରି ଇ-ଆଇସିୟୁ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇସାରିଛି।
ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କୁ ଯୋଗାଇ ଦିଆଯାଉଥିବା ସହାୟତାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମିତ ସମୀକ୍ଷା କରାଯାଇଛି। ବିଭିନ୍ନ ବହୁ-ବିଶେଷଜ୍ଞ କେନ୍ଦ୍ରୀୟ ଦଳକୁ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ମୁତୟନ କରାଯାଇଛି। କଣ୍ଟେନମେଣ୍ଟ, ସର୍ଭିଲେନ୍ସ, ପରୀକ୍ଷଣ ଏବଂ ଦକ୍ଷ କ୍ଲିନିକାଲ ପରିଚାଳନାକୁ ସୁଦୃଢ଼ କରିବାକୁ ଏହି ଦଳ ସହାୟତା ଯୋଗାଇ ଦେଉଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଚିକିତ୍ସା ଅକ୍ସିଜେନ ବ୍ୟବସ୍ଥାର ଯଥେଷ୍ଟ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ନିୟମିତ ସମୀକ୍ଷା କରାଯାଉଛି। ଏସବୁ ପଦକ୍ଷେପ କାରଣରୁ ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହିତ ନିମ୍ନ ମୃତ୍ୟୁ ହାର (ସିଏଫଆର) ବଜାୟ ରହିଛି ଯାହାକି ବର୍ତ୍ତମାନ ୧.୬୧% ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ