କନ୍ଧମାଳ  ସ୍ଥିତି ଅସମ୍ଭାଳ;ବଜ଼ାରରେ ଦିନକୁ ଦିନ ଗହଳି ବୃଦ୍ଧି ପାଉଛି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ ରେ ପୁଣି ଦୈନିକ ସଂକ୍ରମଣ  ଚିହ୍ନଟ ଶତକ ଟପିଛି। ପ୍ରତିଦିନ ଶତାଧିକ ଉପରେ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା ହୋଇଛି। ଏକ ସପ୍ତାହ ମଧ୍ୟରେ ଫୁଲବାଣୀରେ ପ୍ରତ୍ୟେକ ଦିନ ୩୦ରୁ ୪୦ ଜଣ ଲେଖାଏଁ ଚିହ୍ନଟ ହେଉଛନ୍ତି। ଫୁଲବାଣୀ ପୌର ପରିଷଦର ଏଭଳି ପରିସ୍ଥିତି ହୋଇଛି ୧୩ଟି ୱାର୍ଡ଼ର ବିଭିନ୍ନ ସାହି ସାହିରେ ପ୍ରଶାସନ ପକ୍ଷରୁ ହୋଇଛି କଣ୍ଟେନମେଣ୍ଟ ଘୋଷଣା। ପରିସ୍ଥିତି ଏକ ପ୍ରକାର ଅଣାୟତ ହୋଇ ପଡ଼ିଥିଲେ ମଧ୍ୟ ଅମାନିଆ  ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଗୋଟିଏ ପଟେ ଖୋଦ୍ ପ୍ରଶାସନ ପକ୍ଷରୁ କରୋନାକୁ ପ୍ରତିହତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି। ଫୁଲବାଣୀ ସହରରେ ପ୍ରତ୍ୟେକ ଦିନ ଏକାଧିକ ଅଧିକାରୀ କେବଳ ଫାଇନ୍ କାଟିବା ପାଇଁ ବୋଲେରୋ ଗାଡ଼ିରେ ତୁହାକୁ ତୁହା ସହରରେ ଚକର ମାରୁଥିବାର ଦେଖାଯାଇଛି। କିନ୍ତୁ ଉକ୍ତ କର୍ମଚାରୀ ମାନେ ଆଖି ଆଗରେ ଶହ ଶହ ଲୋକ କରୋନା କଟକଣାକୁ ଭୁଲିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୃଷ୍ଟିନପଡ଼ିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ ଖୋଦ୍ ସଂକ୍ରମଣ ବଢିବାରେ ଏକ ପ୍ରକାର ସହାୟକ ହେବ ସରକାରୀ କଣ୍ଟ୍ରୋଲ୍ ଦୋକାନ ବୋଲି ସହରରେ ଆଲୋଚନା ଜୋର ଧରିଛି। ଚାଉଳ ପାଇଁ ଲାଗୁଥିବା ଲମ୍ବା ଲାଇନରେ କୌଣସି ପ୍ରକାର ସାମାଜିକ ଦୂରତ୍ୱ ରହୁନଥିବା ବେଳେ ଅନେକ ଲୋକ ବିନା ମାକ୍ସରେ ଖୋଲାଖୋଲି ଭାବେ ଉକ୍ତ କଣ୍ଟୋଲ୍ ଦୋକାନ ସମ୍ମୁଖରେ ଠିଆ ହେଉଛନ୍ତି। ପରିସ୍ଥିତି ଏଭଳି ସୃଷ୍ଟି ହେଉଛି ଯେ, ପ୍ରଶାସନର କୌଣସି ପ୍ରକାର ଦାୟିତ୍ୱ ନଥିବା ଭଳି ମନେ ହେଉଛି। ଏଭଳି ଦୃଶ୍ୟ ଖୋଦ୍ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓ ଜିଲାପାଳଙ୍କ କାର୍ଯ୍ୟାଳୟରୁ ମାତ୍ର ୫୦ ମିଟର ଓ ଥାନାରୁ ମାତ୍ର ୫୦୦ ମିଟର ଦୂରରେ ଦେଖାଯାଇଛି। ଭିଡ଼ ଏଭଳି ଭାବେ ଜମୁଛି ଯେ, ସାଧାରଣ ଲୋକ ଟିଏ ଉକ୍ତ ରାସ୍ତା ଦେଇ ଯିବାକୁ ମଧ୍ୟ ଭୟ କରିବା ଆରମ୍ଭ କଲେଣି। ଆଖପାଖରେ ଥିବା ବ୍ୟବସାୟୀ ମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଏଥିପ୍ରତି କାହାର ମଧ୍ୟ ଦାୟିତ୍ୱ ନାହିଁ। ଗତ କିଛିଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଏସଂପର୍କରେ ଅଭିଯୋଗ କଲେ ଆମେ କଣ କରିବୁ ବୋଲି ଓଲଟା ପ୍ରଶ୍ନ କରୁଛନ୍ତି। ତେବେ ସରକାରୀ ଘୋଷଣା ପ୍ରକାରେ, ଘରେ ଘରେ ଚାଉଳ ଯୋଗାଇ ଦିଆଯିବ କେବଳ କାଗଜ କଲମରେ ସିମିତି ରହିଯାଇଛି। ପୂର୍ବରୁ ପ୍ରତ୍ୟେକ ୱାର୍ଡ଼ ମାନଙ୍କରେ ଯେଭଳି ଭାବେ ଦିଆଯାଉଥିଲା ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ପ୍ରତି ସାହିମାନଙ୍କୁ ଯାଇ ଚାଉଳ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ଦିନକୁ ଦିନ ସହରରେ ସଂକ୍ରମଣ ବୃଦ୍ଧି ପାଉଛି ଓ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଉଛି। ପ୍ରଶାସନ ଏହିଭଳି କ୍ଷେତ୍ରରେ କିଭଳି ଭାବେ ସାମାଜିକ ଦୂରତ୍ୱ ରହିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ