ହୋମ୍ଗାର୍ଡଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୩ ଅଭିଯୁକ୍ତ ଗିରଫ
କୋରାପୁଟ,(ହେମନ୍ତ ପାଣିଗ୍ରାହୀ) : ବୈପାରିଗୁଡା ଥାନା ଅନ୍ତର୍ଗତ ହୋମ୍ଗାର୍ଡ ପ୍ରସାଦ ପୂଜାରୀଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ତ୍ୱରିତ ତଦନ୍ତ କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ ପରେ ବୈପାରିଗୁଡା ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବାରେ ସଫଳ ହୋଇଛି। ଜୟପୁର ସଦର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ କୁମାରୀ ଅର୍ଚ୍ଚିତା ମିତ୍ତଲ ସୂଚନା ଦେଇ କହିଥିଲେ ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଡ୍ୟୁଟିରେ ଥିବା ହୋମ୍ଗାର୍ଡ ପ୍ରସାଦ ପୂଜାରୀ ନିଜ ଗ୍ରାମ ଗୁମାକୁ ଯାଇ ଫେରୁଥିବା ବେଳେ ତାଙ୍କ ଉପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଘଟଣା ପରେ ବୈପାରିଗୁଡା ଥାନାରେ ମାମଲା ରୁଜୁ କରାଯାଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ତଦନ୍ତ ସମୟରେ ସଂଗୃହୀତ ସାକ୍ଷ୍ୟ, ବୈଜ୍ଞାନିକ ପ୍ରମାଣ ଏବଂ ଅନ୍ୟାନ୍ୟ ତଥ୍ୟର ଆଧାରରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ପୂଜାରୀଗୁଡା ଗ୍ରାମର ଅଜୟ ହରିଜନ, ଅଜିତ ସଗରିଆ ଏବଂ ମାଧବ ମାଝି। ସେମାନଙ୍କୁ ଆଇନାନୁସାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ କୁମାରୀ ଅର୍ଚ୍ଚିତା ମିତ୍ତଲ ସୂଚନା ଦେଇଛନ୍ତି। ପୋଲିସର ଏହି ତ୍ୱରିତ ଓ ଦକ୍ଷ ତଦନ୍ତ କାର୍ଯ୍ୟ ଫଳରେ ଘଟଣାର ପର୍ଦ୍ଦାଫାଶ ହେବା ସହ ଅଭିଯୁକ୍ତମାନଙ୍କୁ ଆଇନର ସମ୍ମୁଖୀନ କରାଯାଇପାରିଛି।


