ନାଉଗାଁ ବସଷ୍ଟାଣ୍ଡ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି 

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଲକର ମୁଖ୍ୟରାସ୍ତା ଦେଇ ଯାତ୍ରୀମାନେ ବସରେ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, କଟକ, କୋର୍ଣାକ ଆଦି ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି । ନାଉଗାଁ ବଜାରରେ ବସ ରଖିବା ପାଇଁ ସ୍ଥାୟୀ ବସଷ୍ଟାଣ୍ଡ ନଥିବା କାରଣରୁ ନାଉଗାଁ ବଜାରର ମୁଖ୍ୟରାସ୍ତା କଡରେ ବସ ରହିବା ହେତୁ ନାଉଗାଁ ବଜାରରେ ଟ୍ରାଫିକ ସମସ୍ୟା ଲାଗି ରହିଥିଲା । ଏହି ସମସ୍ୟାକୁ ସମାଧାନ କରିବା ପାଇଁ ନାଉଗାଁ ସଚେତନ ନାଗରିକ ମଂଚ, ନାଉଗାଁ ଆମ ପୋଲିସ ସମିତି ପକ୍ଷରୁ ଦାବି କରାଯାଇଥିଲା । ଏହି ସମସ୍ୟାର ସମାଧାନ ପାଇଁ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟର ତତ୍କାଳିନ ଟ୍ରଷ୍ଟୀ ପ୍ରତାପ ମିଶ୍ରଙ୍କ ଉଦ୍ୟମରେ ଟ୍ରଷ୍ଟର ପାରିପାଶ୍ୱିକ ଉନ୍ନୟନ ପାଣ୍ଠିରୁ ଅର୍ଥ ମଂଜୁର କରାଯାଇ ପୂର୍ତ ବିଭାଗ ମାଧ୍ୟମରେ ଟେଣ୍ଡର ହୋଇ ଠିକାଦାର ଚୟନ କରାଯାଇଥିଲା । ଉକ୍ତ କାର୍ଯ୍ୟ ୨୦୧୭ ମସିହା ଜୁଲାଇ ମାସରେ ନାଉଗାଁ ବଜାରରେ ଆରମ୍ଭ କରାଯାଇ ୨୦୧୭ ଡିସେମ୍ବର ମାସରେ ଶେଷ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ କାର୍ଯ୍ୟର ଅବଧି ଅଢେଇ ବର୍ଷରୁ ଉର୍ଦ୍ଧ ସମୟ ଅତିବାହିତ ହୋଇଥିଲେ ମଧ୍ୟ ଅଦ୍ୟାବଧି ବସଷ୍ଟାଣ୍ଡ କାର୍ଯ୍ୟ ଶେଷ ହୋଇ ନଥିବା ଦେଖିବାକୁ ମିଳୁଛି । ଉକ୍ତ ଷ୍ଟାଣ୍ଡର ବିଶ୍ରାମଗାର କାର୍ଯ୍ୟ ସରିଥିଲେ ମଧ୍ୟ ମହିଳା ଯାତ୍ରୀମାନେ ଶୌଚାଳୟ ବ୍ୟବହାର କରିପାରୁ ନାହନ୍ତି । ନାଉଗାଁ ଜନସାଧାରଣ ଓ ଯାତ୍ରୀମାନଙ୍କ ସମସ୍ୟାକୁ ବିଭାଗୀୟ କତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବାକୁ ସମାଜସେବୀ ରବିନ୍ଦ୍ର ପଟ୍ଟନାୟକ, ସଚେତନ ନାଗରିକ ମଂଚ ସଭାପତି ଗିରିଧାରୀ ମହାନ୍ତି, ସଂପାଦକ ବସନ୍ତ କୁମାର ମହାନ୍ତି ଆଦି ଦାବି କରିଛନ୍ତି । ଏସଂର୍ପକରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ