ବାଲି ମାଫିଆ ଓ ଅଫିସରଙ୍କ ମଧୁଚନ୍ଦ୍ରିକା
ଶେରଗଡ଼,(ବିଭୁ ପ୍ରସାଦ ଦାସ): ଲିଜ ଅବଧି ସରିଲା ପରେ ବି ଅବାଧରେ ଚାଲିଛି ବାଲି ଉଠାଣ | ମାଫିଆ ମାନେ ଦିନ ଦିପହରେ ଲୁଟୁଛନ୍ତି ବାଲି ଏପରି ଅଭିଯୋଗ ଆସିଛି ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ । ଶେରଗଡ ତହସିଲ ଅଧୀନରେ ଥିବା ପିତ୍ତଳ ସର୍କଲର ସନ୍ତୋଷପୁର, ଗୋବିନ୍ଦପୁର ସର୍କଲର ଗୋଠଗାଁ, ଅଲାରି ଗଡ ସର୍କଲର ଲକ୍ଷ୍ମୀପୁର ଆଦି ଗ୍ରାମରେ ଥିବା ବାଲିଘାଟ ଗୁଡ଼ିକ ଦୀର୍ଘ ଦେଢ଼ ବର୍ଷ ହେଲା ଲିଜ ଅବଧି ଶେଷ ହୋଇ ଯାଇଥିଲେ ମଧ୍ୟ ଏଠାରୁ ବାଲି ଚୋରା ଚାଲାଣ ହେଉଥିବାରୁ ମାଫିଆ ଓ ଅଫିସର ମାଲାମାଲ ହେଉଥିବା ବେଳେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟୁଥିବା ଅଭିଯୋଗ ହୋଇଛି । ପ୍ରତିଦିନ ଶହ ଶହ ଗାଡି ଆନ୍ଧ୍ର ପ୍ରଦେଶରୁ ଆସି ହିଟାଚି ମେସିନ ଓ ଜେସିବି ଦ୍ୱାରା ନଦୀର ବାଲି ଉଠାଇ ଚାଲୁଛନ୍ତି । ଏଥିପ୍ରତି ତହସିଲଦାରଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ତହସିଲଦାରଙ୍କ ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ତହସିଲଦାରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିବା ବେଳେ ପିତ୍ତଳ ରାଜସ୍ୱ ନିରୀକ୍ଷକ ଲିଜ ହୋଇଛି କି ନାହିଁ ସେ ଜାଣି ନଥିବା କହିଛନ୍ତି । ଅପରପକ୍ଷେ ବହୁବାର ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନଥିବା ଏବଂ କିଛି ଅଘଟଣ ଘଟିଲେ ହିଁ ପ୍ରଶାସନ ଚେତିବ ବୋଲି ଗ୍ରାମବାସୀ କହିଛନ୍ତି । ଶୁଣିବାକୁ ମିଳୁଛି ଜଣେ ଜମି ମାଫିଆ ଶେରଗଡ ଅଞ୍ଚଳରେ ଏକ ବୋହୁ ମୁଲ୍ୟର ଜାଗା ଉପହାର ସ୍ବରୂପ ଦେଇଛନ୍ତି ଯାହାକି ସମ୍ପୃକ୍ତ ଅଧୁକାରୀଙ୍କ ପତ୍ନୀଙ୍କ ନାମରେ ରେଜିଷ୍ଟ୍ରେସନ ହୋଇଛି । ଏହାର ତଦନ୍ତ କରାଗଲେ ପ୍ରକୃତ କଥା ଲୋକ ଲୋଚନ କୁ ଆସି ପାରିବ ବୋଲି ଜନ ସାଧାରଣ ମତ ଦେଇଛନ୍ତି ।


