ମିଳୁନି ୟୁରିଆ ସାର;କଳା ବଜାରରେ ବିକ୍ରି

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକରେ ୬ଟି ସମବାୟ ସମିତି ଓ ୧୫ଟି ସରକାରୀ ଅଧିକୃତ ସାର ଦୋକାନରେ ସାର ସରକାରୀ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରିବା ପାଇଁ ନିୟମ ରହିଛି । କିନ୍ତୁ ଉକ୍ତ ବ୍ଳକରେ ୪୦ରୁ ଉଦ୍ଦ୍ୱର୍ ଅଣପଂଜୀକୃତ ସାର ଦୋକାନୀ କଳା ବଜାରରେ ସାର ଚଢା ଦରରେ ବିକ୍ରି କରି ଚାଷିମାନଙ୍କୁ ଶୋଷଣ କରୁଥିବା ଜଣାଯାଇଛି । ବର୍ତମାନ ୟୁରିଆ ସାରର ଚାହିଁଦା ଥିବା ବେଳେ ସାରର ଅଭାବ ଦେଖାଇ ଦୋକାନୀମାନେ ଲୁଚା ଛପାରେ ମୂଲ୍ୟ ବୃଦ୍ଧି କରି ବିକ୍ରି କରୁଛନ୍ତି । ଯାହାକୁ ବିରୋଧ କରି ଚାଷି ଓ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବାରମ୍ବାର ନାଉଗାଁ କୃଷି ସହ ଅଧିକାରୀ ଓ ଜିଲା କୃଷି ଉପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ଏହାର କୈାଣସି ସୁଫଳ ନମିଳିବାରୁ ସୋମବାର ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସୋମବାର କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ପ୍ରତିବାଦ କରୁଥିବା ବେଳେ ବହୁ କର୍ମଚାରୀ କାର୍ଯାଳୟକୁ ବିଳମ୍ବରେ ଆସିଥିଲେ । ଯାହାଫଳରେ ଉପସ୍ଥିତ ବିକ୍ଷୋଭକାରୀ କାର୍ଯ୍ୟାଳୟ ମଧ୍ୟକୁ ସେମାନଙ୍କୁ ଛାଡି ନଥିଲେ । ସଠିକ ଭାବେ ତଦନ୍ତ କରାଯିବା ସହିତ କଳା ବଜାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନବ ନିର୍ମାଣ ପକ୍ଷରୁ ଦାବି କରାଯାଇଥିଲା । ଏପରିକି ସାର କଳା ବଜାରରେ ବିକ୍ରି ହେବା ସମୟରେ କୃଷି ଅଧିକାରୀଙ୍କୁ ଫୋନ କଲେ ସେମାନେ ଜାଣି ଶୁଣି ଉଠାଉ ନଥିବାରୁ ଯାହାର ଫାଇଦା କଳା ବ୍ୟବସାୟୀ ମାନେ ନେଉଥିବା ସଙ୍ଗଠନ ପକ୍ଷରୁ କୁହାଯାଇଥିଲା । ଘଟଣାସ୍ଥଳକୁ ନାଉଗାଁ ଥାନାଧିକାରୀ ଭରତ ବେହେରା,ଗାରୋଇ ଫାଣ୍ଡି ଅଧିକାରୀ ବନମାଳି ବେହୁରା, ଆତ୍ମା କମିଟି ଚେୟାରମ୍ୟାନ ବସନ୍ତ ପାଢୀ ପହଂଚି ବିକ୍ଷୋଭକାରିଙ୍କ ସହ ଆଲୋଚନା କରିଥିଲେ । ଯେଉଁ ସାର ବ୍ୟବସାୟୀ ମାନେ ସରକାରୀ ପଂଜୀକରଣ କରିନାହାନ୍ତି ସେମାନେ କଳା ବଜାରରେ ସାର ବିକ୍ରି କଲେ ସେମାନଙ୍କ ବିରୁଦ୍ଧରେ ଥାନାରେ ମାମାଲା ରୁଜୁ କରାଯିବା ସହିତ ପଂଜୀକୃତ ଦୋକାନୀ ଚଢା ଦରରେ ବିକ୍ରି କଲେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହିତ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଗଲା । ସେହିପରି ବିଳମ୍ବରେ କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀଙ୍କ ପାଇଁ ଆତ୍ମା କମିଟିର ଚେୟାରମ୍ୟାନ କ୍ଷମା ମାଗିବା ପରେ ବିକ୍ଷୋଭକାରୀ ବିକ୍ଷୋଭ ପ୍ରତ୍ୟାହାର କରିଥିଲେ । ସୂଚନା ଯୋଗ୍ୟ ଯେ ୭ ସେପ୍ଟମ୍ବରରେ ଓ ୧୧ ସେପ୍ଟମ୍ବର ୨୦୨୦ରେ ସାର କଳା ବଜାର ବିକ୍ରି ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ବିକ୍ଷୋଭକାରୀଙ୍କ ମଧ୍ୟରେ ନବ ନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁ, ବ୍ଳକ ସଂଯୋଜକ କୈଳାସ ଚନ୍ଦ୍ର ପରିଡା, ପ୍ରଫୁଲ୍ଲ ପରିଡା, ବଂଶୀଧର ବେହେରା, ଶରତ ନାୟକ ସହିତ ଅନେକ ଚାଷି କୃଷି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ