ନବୀନଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ୍) : ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ଲାଗି ସରକାର ୧୦ ଏକରର ଜମି ପ୍ରଦାନ ପାଇଁ ସହମତି ପ୍ରକାଶ କରିଛନ୍ତି । ଏହାକୁ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି, ଏହାଦ୍ୱାରା ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣର ପ୍ରସ୍ତୁତି ଆଉ ଗୋଟିଏ ପାଦ ଆଗକୁ ଯାଇଛି । ଏଥିପାଇଁ ଜଣେ ଓଡ଼ିଆ ଭାବରେ ସେ ଗର୍ବିତ ।ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ବଜେଟରେ ବିଶେଷ ବ୍ୟବସ୍ଥା କରାଯାଇଛି । ବ୍ରିଟିଶ ଶାନ ବିରୋଧରେ ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସଂଗ୍ରାମ ପାଇକ ବିଦ୍ରୋହ ଓଡ଼ିଶା ମାଟିରୁ ହିଁ ହୋଇଥିଲା । ଏହି ଅନନ୍ୟ ଇତିହାସକୁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶା ଓ ସାରା ଦେଶର ଯୁବପିଢ଼ିଙ୍କ ପ୍ରେରଣାର ଉତ୍ସ କରିବା ପାଇଁ ଏହି ସ୍ମାରକୀ ନିର୍ମାଣର ପରିକଳ୍ପନା କରାଯାଇଛି । ଓଡ଼ିଆ ଜାତିର ବୀରତ୍ୱ ଓ ସ୍ୱାଭିମାନର ଚିହ୍ନ ରୂପରେ ଏହି ସ୍ମାରକୀ ବରୁଣେଇ ପାହାଡ଼ର ପାଦଦେଶରେ ଖୁବଶୀଘ୍ର ସମସ୍ତଙ୍କ ସହଯୋଗରେ ନିର୍ମିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ