ବିଲରେ ତଳି ରୋଇଥିବା ବେଳେ ଅଘଟଣ ,ଚାଷୀଙ୍କୁ ଗିଳିଦେଲା କୁମ୍ଭୀର
ଚାନ୍ଦବାଲି : (ଯୁଗାବ୍ଦ ନ୍ୟୁଜ୍) : ଘଟଣା ଛାତି ଥରାଇଦେବା ଭଳି । ଜଣେ ଚାଷୀ ବିଲରେ କାମ କରୁଥିବା ବେଳେ ମୃତ୍ୟୁ ସହ ଲଢ଼େଇ କରିଛନ୍ତି । ହେଲେ ଶେଷରେ ତାଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି । ଚାଷୀ ଜଣଙ୍କୁ କୁମ୍ଭୀର ଖାଇ ଦେଇଥିବା ବେଳେ ଶରୀରର ମାତ୍ର ୩୦ ଭାଗ ଅଂଶ ଉଦ୍ଧାର ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ ନେଢ଼ୁଆଳି ଗାଁରେ । ସୂଚନା ଅନୁସାରେ, ନେଢ଼ୁଆଳ ଗ୍ରାମର ବରଜୁ ମାଝୀଙ୍କ ସାନ ପୁଅ ହେମନ୍ତ ମାଝୀ (୨୮) ବୈତରଣୀ ନଦୀ କୂଳରେ ଥିବା ବିଲରେ ଧାନ ତଳି ରୋଉଥିଲେ । ଏହି ସମୟରେ ତାଙ୍କୁ ଏକ କୁମ୍ଭୀର ଆକ୍ରମଣ କରିଥିଲା । ହେମନ୍ତଙ୍କ ଫେରିବା ବିଳମ୍ବ ହେବାକୁ ପରିବାର ଲୋକେ ଖୋଜାଖୋଜି କରିବା ସହ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ପରେ ନଦୀ ପଠାରେ ହେମନ୍ତଙ୍କୁ କୁମ୍ଭୀର ଖାଉଥିବା ଦେଖିବାକୁ ମିଳିଥିଲା । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ତାଙ୍କ ଶରୀରର ୭୦ ଭାଗ ଅଂଶ କୁମ୍ଭୀର ପେଟକୁ ଚାଲିଯାଇଥିବା ବେଳେ କେବଳ ଛାତିରୁ ମୁଣ୍ଡ ପର୍ଯ୍ୟନ୍ତ ଅଂଶ ଉଦ୍ଧାର ହୋଇପାରିଛି ।


