ଶାଶ୍ୱତ ଯୋଶୀଙ୍କ ବିରୋଧରେ ସଂଗିନ ଅଭିଯୋଗ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଶାଶ୍ୱତଙ୍କ ବିରୋଧରେ ସୋସିଆଲ ମିଡିଆରେ ଯୌନ ଶୋଷଣ, ଦୁବ୍ୟବହାର ଅଭିଯୋଗ ଆଣିଛନ୍ତି ତାଙ୍କ ଛାତ୍ରଛାତ୍ରୀ । ସଙ୍ଗୀତ ରତ୍ନ ପୁରସ୍କାର ସହ ଆମେରିକା, ଫ୍ରାନ୍ସ, ଇଟାଲୀ, ଫିନଲାଣ୍ଡ, ଜାପାନ, ଥାଇଲାଣ୍ଡ ଓ ଅନ୍ୟ ଦେଶଗୁଡ଼ିକରେ ବଡ଼ ବଡ଼ କାର୍ଯ୍ୟକ୍ରମ କରି ବେଶ ଆଦୃତ ହେଉଥିବା ଏହି ନୃତ୍ୟଶିଳ୍ପୀଙ୍କୁ ଏବେ ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରେ ଘେରିଛନ୍ତି । ଓଡ଼ିଶୀ ନୃତ୍ୟକୁ ଦେଶ ତଥା ଦେଶ ବାହାରେ ଲୋକପ୍ରିୟ କରିଥିବା ଏହି ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଯାଦୁକାରୀ ପ୍ରଦର୍ଶନ ଯେତିକି ଆକର୍ଷଣୀୟ, ଆଜି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସେତିକି ସାଂଘାତିକ ।ନାଚ ଶିଖିବାକୁ ଯାଉଥିବା ଜଣେ ଛାତ୍ର ଆଜି ଗଣମାଧ୍ୟମ ସାମ୍ନାକୁ ଆସି ଶାଶ୍ୱତଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଏ ନେଇ ସେ ପ୍ରଥମେ କିଛି କହିବାକୁ ସାହସ କରିପାରୁନଥିଲେ । ସେଥିପାଇଁ ସେ ଚୁପ୍ ଥିଲେ । ଗୁରୁଦିବସ ଦିନ ଫେସବୁକରେ ଜଣେ ଛାତ୍ରୀ ମଧ୍ୟ ଶାଶ୍ୱତଙ୍କ ବିଷୟରେ ଅଭିଯୋଗର ଲମ୍ବା ତାଲିକା ରଖିଛନ୍ତି । ଏହା ଛଡ଼ା ଏକ ଅଡ଼ିଓ କ୍ଲିପ ଭାଇରାଲ କରିଛନ୍ତି । ତାଙ୍କୁ ଶାଶ୍ୱତ ଦୁର୍ବ୍ୟବହାର କରନ୍ତି, ଖରାପ ଭାଷାରେ ଗାଳି ଗୁଲଜ କରନ୍ତି ଏବଂ ମାଡ଼ ମଧ୍ୟ ମାରନ୍ତି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ଏ ସମ୍ପର୍କରେ ଶ୍ରୀ ଯୋଶୀ କହିଛନ୍ତି ତାଙ୍କ ବିରୋଧରେ କିଛି ଛାତ୍ରଛାତ୍ରୀ ଅପପ୍ରଚାର ଚଳାଇଛନ୍ତି । ତାଙ୍କୁ ବ୍ଲାକମେଲିଂ କରିବା ପାଇଁ ଏପରି କରାଯାଉଛି । ଏ ସମ୍ପର୍କରେ ସେ ଶ୍ରୀ ଲିଙ୍ଗରାଜ ଥାନାରେ ଜଣାଇଛନ୍ତି । ସେ ଓଡ଼ିଶା ଫେରିବା ପରେ ଆଇନର ଆଶ୍ରୟ ନେବେ । ଶାଶ୍ୱତଙ୍କ ପତ୍ନୀ ସୁଚରିତା ରଥ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏ ସବୁ ମିଛ ଅଭିଯୋଗ, ବିଦେଶ ଟ୍ରିପରେ ଏମାନଙ୍କୁ ନିଆନଯିବାରୁ ଏଭଳି ଅଭିଯୋଗ ଆଣିଛନ୍ତି ।


