ସାହିତ୍ୟିକ ପ୍ରଫେସର ରାଜକିଶୋର ମିଶ୍ରଙ୍କୁ ‘ମିଡ଼ିଆ ଏକାଡେମୀ’ ସମ୍ମାନରେ ସମ୍ବର୍ଦ୍ଧିତ

ଭୁବନେଶ୍ୱର, : ଓଡ଼ିଶାର ବୁଦ୍ଧିଜୀବୀ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ପାଇଁ ପ୍ରତିଷ୍ଠିତ ‘ମିଡ଼ିଆ ଏକାଡ଼େମୀ’, ଓଡ଼ିଶା ଆଜି ତାର ଏକବିଂଶତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏକାଡ଼େମୀର ପ୍ରତିଷ୍ଠାତା ସମ୍ପାଦକ ବିଶିଷ୍ଟ ସାମ୍ବାଦିକ ବସନ୍ତ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବ ତଥା ‘ଓଡ଼ିଶାରେ ସମ୍ବାଦପତ୍ରର ଭବିଷ୍ୟତ’ ଶୀର୍ଷକ ଆଲୋଚନା ଚକ୍ରକୁ ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଉଦ୍ଘାଟକ ଡଃ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ଓଡ଼ିଶାରେ୧୭୦ରୁ ଉଦ୍ଧ୍ୱର୍ ଦୈନିକ ସମ୍ବାଦ ପତ୍ର ପ୍ରକାଶିତ ହେଉଥିଲେ ମଧ୍ୟ ୧୩ ବା ୧୪ଟି ଦୈନିକ ସମ୍ବାଦ ପତ୍ର ଆମ ନଜରକୁ ଆସିଥାଏ । ଓଡ଼ିଆଭାଷାକୁ ଆମ ଉତ୍ତର ପିଢୀ ଯେପର୍ଯ୍ୟନ୍ତ ନିଜର କରିନାହାଁନ୍ତି ସେ ପର୍ଯ୍ୟନ୍ତ ଓଡ଼ିଆ ସମ୍ବାଦ ପତ୍ରର ଭବିଷ୍ୟତ ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ମିଡ଼ିଆ ଏକାଡ଼େମୀ ଓଡ଼ିଆ ସାହିତ୍ୟ ଓ ଭାଷା ସହିତ ଗଣମାଧ୍ୟମ ପାଇଁ ଯେଉଁ ମୂଲ୍ୟକାଠି କାର୍ଯ୍ୟଗୁଡ଼ିକ ଦୀର୍ଘ ୨୧ ବର୍ଷ ହେବ କରି ଆସୁଛି ତାର ସେ ପ୍ରଶଂସା କରିଥିଲେ । ବିଶିଷ୍ଟ ଅତିଥି, ବିଶିଷ୍ଟ ଭାଷାତତ୍ତ୍ୱବିତ୍ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା, ସରକାରୀ କାର୍ଯ୍ୟାଳୟର ରକ୍ଷା ହେଲା । କିନ୍ତୁ ଆମ ବାବୁମାନେ ଭାଷାର ପ୍ରୟୋଗ ସବୁ କ୍ଷେତ୍ରରେ ହେବା ପାଇଁ ଯେଉଁ ନିଷ୍ଠାର ଆବଶ୍ୟକତା ରହିଛି, ତାହା ହେଉନାହିଁ । ସରକାରଙ୍କ ପକ୍ଷରୁ ତଦାରଖର ମଧ୍ୟ ଅଭାବ ରହୁଛି । ଏଣୁ ଓଡ଼ିଆ ସମ୍ବାଦ ପତ୍ରର ଭବିଷ୍ୟତ ପାଇଁ ଏହା ଏକ ବାଧକ ହେବ । ମୁଖ୍ୟ ବକ୍ତା ସୁବାର୍ତ୍ତାର ସମ୍ପାଦକ, ଓଡ଼ିଆ ଭାଷା ଆନ୍ଦୋଳନର ପ୍ରମୁଖ ବ୍ୟକ୍ତି ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ସରକାରୀ ବିଜ୍ଞାପନରେ ଯେଉଁ ପକ୍ଷପାତିତା ରହିଛି ତାର ସେ କଟୁ ସମାଲୋଚନା କରିବା ସହ ଓଡ଼ିଆ ଭାଷା ବିଶ୍ୱ ବିଦ୍ୟାଳୟ ପାଇଁ ସରକାରଙ୍କ ଆନ୍ତରିକତାର ଅଭାବକୁ ସେ କଟୁ ସମାଲୋଚନା କରିଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ର ତଥା ଜଣେ ସ୍ତମ୍ଭକାର ଭାବେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଫେସର ରାଜକିଶୋର ମିଶ୍ରଙ୍କୁ ‘ମିଡ଼ିଆ ଏକାଡ଼େମୀ ସମ୍ମାନ’ରେ ସମ୍ମାନିତ କରାଯିବା ଅବସରରେ ପ୍ରଫେସର ମିଶ୍ର କହିଲେ ଯେ, ଆମ ଛାତ୍ର ଯୁବକଙ୍କ ଭିତରେ ଆମ ଭାଷା ସଂସ୍କୃତି, ପରମ୍ପରା ପ୍ରତି ଆକୃଷ୍ଟ କରିବା ପାଇଁ ପ୍ରତ୍ୟେକ ପରିବାରରେ କାର୍ଯ୍ୟ ଆରମ୍ଭ ହେବା ଉଚିତ୍ । ଆମ ଓଡ଼ିଶାର ଭାଷା କାର୍ଯ୍ୟକ୍ରମକୁ ସେ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକାଡ଼େମୀର ଯୁଗ୍ମ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବରିଷ୍ଠ ପ୍ରଶାସକ ସୁରେଶ ମନ୍ତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରଫେସର ନିକୁଞ୍ଜ କିଶୋର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ