କେନ୍ଦ୍ରୀୟ ଯୋଜନାରେ ବ୍ୟାପକ ଦୁର୍ନୀତି ପ୍ରତିବାଦରେ ବିଜେପିର ବିକ୍ଷୋଭ ଓ ପ୍ରତିବାଦ ସଭା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକରେ କେନ୍ଦ୍ରୀୟ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଶୁକ୍ରବାର ବ୍ଲକ ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବନ୍ତସ୍ଥିତ ଜଳସେଚନ ଅଫିସ ଠାରୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ଶତାଧିକ କର୍ମୀ ହାତରେ ବ୍ୟାନର ଓ ପତାକା ଧରି ବିଭିନ୍ନ ନାରାବାଜି କରି ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ôଚଥିଲେ । ପ୍ରାକ୍ତନ ମଣ୍ଡଳ ସଭାନେତ୍ରୀ ପଙ୍କଜିନୀ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ରାଜ୍ୟ ବିଜେପି ସଂପାଦକ ଅଭିମନ୍ୟୁ ସେଠୀ, ବିଧାନସଭା ନେତା ବଦ୍ରୀ ନାରାୟଣ ଧଳ, ରାଜ୍ୟ କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ଶଙ୍କର୍ଷଣ ଜେନା ଯୋଗ ଦେଇ ବନ୍ତ ବ୍ଲକରେ କେନ୍ଦ୍ରୀୟ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଇ ବକ୍ତବ୍ୟ ରଖିଥିଲେ । ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ନିରପେକ୍ଷତା ଅବଲମ୍ବନ କରିବା, ଭୂମିହୀନ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଜମି ପଟ୍ଟା ପ୍ରଦାନ କରିବା, ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ପ୍ରଦାନ କରିବା, ମନରେଗାରେ ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେବା, ମନରେଗା ଯୋଜନା ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଆବେଦନକାରୀ ମାନଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରିବା, କେନ୍ଦ୍ର ସରକାରଙ୍କ ଅମ୍ଫାନ ଅନୁଦାନରେ ପ୍ରକଳ୍ପ ଚୟନ ଓ କାର୍ଯ୍ୟକାରିତା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରିବା ଆଦି ବିଭିନ୍ନ ଦାବୀ ସମ୍ବଳିତ ପତ୍ରକୁ ବିଡିଓ ରେବେକା ବିଲୁଙ୍ଗଙ୍କୁ ପ୍ରଦାନ କରାଯାଇଥିଲା । ଉପରୋକ୍ତ ଦାବୀ ପ୍ରତି ଯତ୍ନବାନ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନରେ ନବ କିଶୋର ବଳ, ତପନ କୁମାର ବାରିକ, ଜିତେନ କିଶୋର ବାରିକ, ଉମାକାନ୍ତ ଜେନା, ମଦନ ମୋହନ ଖୁଣ୍ଟିଆ, ନରେନ୍ଦ୍ର ବେହେରା, ନାରାୟଣ ସାହୁ, ଅକ୍ଷୟ କୁମାର ନାୟକ, ଲକ୍ଷ୍ମୀଧର ନାୟକ, କିଶୋର ବିଶ୍ୱାଳ, ଅନିରୁଦ୍ଧ ଜେନା, ମନୋଜ କୁମାର ବିଶ୍ୱାଳଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ ।