ଗଜପତିରେ ପ୍ରବଳ ବର୍ଷା ୫ଶହଙ୍କୁ ସ୍ଥାନାନ୍ତର;ଆହୁରି ଅନେକଙ୍କୁ ନିରାପଦ ସ୍ଥଳୀକୁ ଅଣାଯାଉଛି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ଜାରି ରହିଛି । ଏ ନେଇ ବିଭିନ୍ନ ନଦୀ ଓ ପାହାଡିଆ ନାଳ ଗୁଡିକରେ ବନ୍ୟା ଜଳ ଦେଖାଦେଇଛି । ବଂଶଧାରା ନଦୀ ସହ ହରଭଙ୍ଗି,ଅଠରନଳା ଆଦି ନଦୀରେ ବନ୍ୟା ଜଳ ଦେଖାଦେଇଛି । ବଂଶଧାରା ନଦୀରେ ବିପଦ ସଂକେତ ୫୪.୬୦ ଥିବା ବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ୫୩.୪୭ରେ ଜଳ ପ୍ରବାହିତ ହେଉଛି । ସେହିପରି ହରଭଙ୍ଗିରେ ବିପଦ ସଂକେତ ଅତିକ୍ରମ କରିଛି । ଅଠରନଳା ନଦୀ ପୋଲ ଉପର ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ଗଜପତି ଜିଲ୍ଲାର ମୋହନା,ଆର.ଉଦୟଗିରି,ନୁଆଗଡ,ରାୟଗଡ,ଗୁମ୍ମା ଆଦି ବ୍ଲକର ପାହ।।ଡିଆ ଅଞ୍ଚଳରେ ଥିବା ଛୋଟବଡ ନାଳ ଗୁଡିକରେ ପ୍ରବଳ ସ୍ରୋତରେ ବନ୍ୟା ଜଳ ପ୍ରବାହିତ ହେଉଛି । ବିଶେଷ କରି ଏହି ଅଞ୍ଚଳରେ ରହୁଥିବା ଲୋକେ ଏକ ରକମର ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତ୍ରରୁ ଆଜି ସକାଳ ସୁଦ୍ଧା ଏହି ଜିଲ୍ଲାର କାଶୀନଗର,ରାୟଗଡ,ଆର.ଉଦୟଗିରି,ଗୁମ୍ମା ଆଦି ଅଞ୍ଚଳର ବିପଦପୁର୍ଣ୍ଣ ସ୍ଥାନରେ ଥିବା ୫୦୦ ଲୋକଙ୍କୁ ନିରାପଦ ସ୍ଥଳୀକୁ ସ୍ଥାନନ୍ତରିତ କରାଯାଇଛି । ଏମାନଙ୍କୁ ଆବଶ୍ୟକାୟ ଯତ୍ନ ନେବା ସହ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଆଜି ବର୍ଷାର ପରିମାଣ ଆହୁରି ବୃଦ୍ଧିପାଉଥିବାକୁ ଲକ୍ଷ କରାଯାଇ ଜିଲ୍ଲାର ବିଭିନ୍ନ ବିପଦପୁର୍ଣ୍ଣ ଅଞ୍ଚଳରୁ ଆହୁରି ଅନେକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।


