ହଜାର ହଜାର ହେକ୍ଟର ଚାଷଜମି ଜଳବନ୍ଦୀରେ
ଛତ୍ରପୁର,(ଦେବଦତ୍ତ ମହାରଣା) : ଚାଷ ଜମିକୁ ସଂଲଗ୍ନ ହେଉଥିବା କେନାଲ ଗୁଡିକ ମରାମତି ହେଉ ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଚାଷଜମିରେ ଜମି ରହୁଛି । ଛତ୍ରପୁର ଅଞ୍ଚଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ବର୍ଷାଦିନ ପୂର୍ବରୁ ଚାଷୀମାନେ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ କିନ୍ତୁ କିଛି ପଦକ୍ଷେପ ନିଆଗଲା ନାହିଁ । ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଛତ୍ରପୁର ବ୍ଲକର ହଜାର ହଜାର ହେକ୍ଟର ଚାଷଜମିରୁ ବର୍ଷାଜଳ ନିଷ୍କାସନ ହୋଇ ନପାରି ଜଳବନ୍ଦୀ ହୋଇ ରହିଛି । ବଡମାଧପୁର, ପୋଟଲାମପୁର, ବିପୁଳିଙ୍ଗି, ପୋଡାପଦର ଆଦି ଅଞ୍ଚଳର ଚାଷ ଜମି ପାଣିରେ ବୁଡି ରହିଛି । ଛତ୍ରପୁର ବ୍ଲକ ବିପୁଳିଙ୍ଗି, ପୋଡାପଦର ଓ ବଡମାଧପୁର ପଞ୍ଚାୟତର ଚାଷଜମି ଗୁଡିକରୁ ତୁରନ୍ତ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା କରିବା ସହିତ ଚାଷୀଙ୍କ ପରାମର୍ଶରେ ବ୍ଲକ ଅଧୀନରେ ଥିବା ସମସ୍ତ କେନାଲର ମରାମତି କରିବା ନେଇ ଋଷିକୁଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ ଓ ଯୁବନେତା ସପନ ନାହାକ ପ୍ରମୁଖ ଦାବି ଜଣାଇଛନ୍ତି । ଏହାସହ ବର୍ଷା ପାଣି ଚାଷ ଜମିରେ ଜମିରହିଥିବା ଯୋଗୁଁ ଚାଷୀ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ରହିଛି । ଫସଲ ନଷ୍ଟ ସହ ତାର ପେଟ ପାଟଣା କିପରି ଚାଲିବ ସେ ନେଇ ବହୁ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି । କୋରନା ମହାମାରୀ ଯୋଗୁଁ ବହୁ ଚାଷୀ ପୂର୍ବରୁ ନାହିଁନଥିବା ଅସୁବିଧା ସମ୍ମୁଖୀନ ହୋଇଥିବା ବେଳେ ୪୦ହଜାରରୁ ଉର୍ଦ୍ଧ୍ୱ ଚାଷୀ ଧାନ ବିକ୍ରିବାରେ ବଞ୍ଚିତ ହୋଇଛନ୍ତି । କୋରନା ଯୋଗୁଁ ଲକଡାଉନ ସମୟରେ ପନିପରିବା ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ନିଜ ଆଦାୟ ପନିପରିବା ଗୁଡିକ କମ୍ ଦରରେ ବିକ୍ରୟ କରି କ୍ଷତି ସହିଥିବା ବେଳେ ଆଉ କେତକ ଚାଷୀଙ୍କ ପନିପରିବା ତୋଳି ନକରି ଗଛରେ ଆକା ନଷ୍ଟ ହୋଇଛି । ତେଣୁ ଜିଲ୍ଲାରେ ଚାଷୀ ବିଭିନ୍ନ ସମୟରେ କ୍ଷତି ସହି ଆସୁଥିବା ବେଳେ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷାରେ ଚାଷୀମାନଙ୍କ ବିଭିନ୍ନ କ୍ଷତି ହେବାର ଆଶଙ୍କା ରହିଛି । ତେଣୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଚାଷୀ ନେତା ସିମାଞ୍ଚଳ ନାହାକ ଦାବୀ କରିଛନ୍ତି ।


