ଖଣି ନେଲ, ଜଙ୍ଗଲ ନେଲ ଏବେ ନିଯୁକ୍ତି ଦିଅ ନଚେତ୍ କରିବୁ ଆତ୍ମହୁତି;ତେଜିଲେ ଶ୍ରମିକ ବସିଲେ ଧାରଣାରେ
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଖଣିମଣ୍ଡଳର ବଳଦା ପଂଚାୟତର ସିଲ୍ଯୋଡା ସ୍ଥିତ କାସଭି ଇନ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ ଖଣିରେ ସ୍ଥାନୀୟ ନିଯୁକ୍ତି ଦାବି କରି ଗ୍ରାମବାସୀ ମାନେ ମଙ୍ଗଳବାର ପୂର୍ବାହ୍ନ ରେ ଖଣି ସମ୍ମୁଖରେ ଧାରଣା ଦେଇଥିବା ଜଣାପଡିଛି । ଆଦିବାସୀ କଲ୍ୟାଣ ସମିତି ଓ ବିର୍ଶାମୁଣ୍ଡା ଲେବର କନ୍ଟ୍ରାକ୍ଟ ପକ୍ଷରୁ ଏହି ଧାରଣା ଦିଆଯାଇଛି । ପ୍ରଶାସନକୁ ଜଣାଇ କୋଭିଡ୍ ନିୟମକୁ ପାଳନ କରି ଖଣି ପ୍ରଭାବିତ ସିଲଯୋଡା, ଗୁରୁଡା, ତାଟପାଣି ପ୍ରଭୃତି ଗ୍ରାମର ଗ୍ରାମବାସୀ ମାନେ ବିଭିନ୍ନ ଦାବି କରି କାସଭି ଖଣି ପରିସରରେ ଧାରଣାରେ ବସିଛନ୍ତି । ପୂର୍ବରୁ ଏହି ଖଣି ରୁଙ୍ଗଟା ଅଧିନରେ ଥିଲା । ନିଲାମ ପ୍ରକ୍ରିଆରେ ଅଧିକ ମୂଲ୍ୟ ଦେଇ କାସଭି ଇନଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ କମ୍ପାନୀ ହାତେଇବା ପରେ ପୂର୍ବରୁ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ପୁନଃ ନିଯୁକ୍ତି ଦେଇନାହିଁ । ଯୋଗ୍ୟତା ଥାଇ ମଧ୍ୟ ସ୍ଥାନୀୟ ଲୋକଙ୍କୁ ସାମାନ୍ୟ ସୁରକ୍ଷା କର୍ମୀ ଚାକିରୀ ମଧ୍ୟ ଦିଆଯାଉନାହିଁ । ଖଣିରେ ବାଜୁଆ ଇନ୍ଫ୍ରାଷ୍ଟ୍ରୋକଚର୍ ଏବଂ ବି.ଏମ୍.ସି ନାମକ ଠିକା ସଂସ୍ଥାକୁ ଖଣିଜ କାର୍ଯ୍ୟ ଦିଆଯାଇଛି । ଏହି ଠିକା ସଂସ୍ଥାମାନେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନଦେଇ ବାହାର ଅଂଚଳର ଲୋକଙ୍କୁ ଅଳ୍ପ ମଜୁରୀରେ ନିଯୁକ୍ତି ଦେଉଛନ୍ତି । ହେଲେ ସେମାନେ ଏଠାରେ କାର୍ଯ୍ୟ କରିବା ପାଇଁ ଅକ୍ଷମତା ପ୍ରକାଶ କରୁଛନ୍ତି । ଏହି ଖଣିରେ ନିଯୁକ୍ତିକୁ କେନ୍ଦ୍ର କରି ଗତ ତା-୨୫.୦୯.୨୦୨୦ରିଖ ରେ ଏକ ହିଂସାତ୍ମକ ଆକ୍ରମଣ ଘଟଣା ଘଟିଥିଲା । ଖଣିର ଖଣି ସପକ୍ଷ ବାଦୀ ମାନେ ଏହି ଆକ୍ରମଣ ଭିଆଇଥିବା ଗ୍ରାମବାସୀ ସୁଶାନ୍ତ ଖିଲାର, ସୁବିଦାର ଗାଗରାଇ, ଯୋସେଫ ବେଙ୍ଗରା, ବିକାଶ ମହାକୁଡ ପ୍ରମୁଖ ଅଭିଯୋଗ କରିଛନ୍ତି । ସ୍ଥାନୀୟ ମହିଳା ମିନା କୁମାରୀ ସିଂ, ମୁସକୁନି ସଏ, ସରସ୍ୱତୀ ପିଙ୍ଗୁଆ, ସୁମିତ୍ରା ଗଇପାଇ, ସଙ୍ଗିତା ପିଙ୍ଗୁଆ, ଚାମାନୁ ଲାକ୍ରା, ଡାଳିମ୍ବ ଗାଗରାଇ, ରିଙ୍ଗି ହେମ୍ବ୍ରମ ପ୍ରମୁଖ ଲୁହ ଓ କୋହଭରା କଣ୍ଠରେ କହିଛନ୍ତି ଯେ ଦୀର୍ଘ ୬ ରୁ ୭ ମାସ ହେଲାଣି ଖଣିରେ ନିଯୁକ୍ତି ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି । ସ୍ଥାନୀୟ କାସଭି ଖଣି କମ୍ପାନୀ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ଦେଉନଥିବାରୁ ବେରୋଜଗାର ହୋଇ ଘରେ ରହିଛନ୍ତି । ଖଣିରେ କାର୍ଯ୍ୟ କରି ଜିବୀକା ନିର୍ବାହ କରୁଥିବାରୁ ବର୍ତମାନ କାର୍ଯ୍ୟହରା ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ଗ୍ରାମର ନରେନ୍ଦ୍ର କୁମାର ପାତ୍ର ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ସିଲଯୋଡା-କାଳିମାଟି ମାଙ୍ଗାନିଜ୍ ଆଇରନ୍ ମାଇନ୍ସ ଦୁଇଟି ଗ୍ରାମପନ୍ଚାୟତ ନାମରେ ହୋଇଅଛି । ହେଲେ ଏହି ଦୁଇଟି ପନ୍ଚାୟତ ବାସୀଙ୍କୁ କୌଣସି ସୁବିଧା ସୁଯୋଗ ମିଳିପାରୁନାହିଁ । ଆଦିବାସୀ କଲ୍ୟାଣ ସମିତିର ସଭାପତି ବିଦ୍ୟାସାଗର ରଣା, ସମ୍ପାଦକ ଭିମ ପିଙ୍ଗୁଆ କହିଛନ୍ତି ଯେ ଜିଲ୍ଲାପାଳ ଓ ଏସ୍ପି ଙ୍କ ଠାରେ ଏ ସଂକ୍ରାନ୍ତରେ ଅଭିଯୋଗ କରାଯାଇଛି । ଖଣି କର୍ତୃପକ୍ଷଙ୍କୁ ଅଭିଯୋଗ ଦେବାରୁ ଖଣି କର୍ତୃପକ୍ଷ ନେଇ ନଥିଲେ । ଏଣୁ ତାଙ୍କୁ ଡାକ ଜରିଆରେ ଦାବି ପତ୍ର ଦିଆଯାଇଛି । ବିର୍ଶାମୁଣ୍ଡା ଲେବର କନ୍ଟ୍ରାକ୍ଟ ଲିମିଟେଡ୍ ର ସଭାପତି ସେଲେଇ ତିରିଆ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଶ୍ରମିକମାନେ ରହୁଥିବା ଜମି ଗୁଡିକ ସରକାରୀ ଜମି ହେଲେ ଖଣି କର୍ତୃପକ୍ଷ ସେମାନଙ୍କୁ ବିତାଡିତ କରି ଖଣି କାର୍ଯ୍ୟ କରିବା ପାଇଁ ଚକ୍ରାନ୍ତ ଚଳାଇଥିବା ରୁ ସେମାନେ କମ୍ପାନିର ଏହି ପ୍ରଚେଷ୍ଟା କୁ ସଫଳ କରାଇଦେବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଦିବାସୀ ନେତା ତିରିଆ କ୍ରୋଧ ଏବଂ କ୍ଷୋଭର ସହ ପ୍ରକାଶ କରିଥିଲେ ଯେ ଜଙ୍ଗଲ ନେଲ, ଜମି ନେଲ, ପାଣି ନେଲ, ଆଦିବାସୀଙ୍କର ମୌଳିକ ସୁବିଧାରୁ କାସଭି ଖଣି କମ୍ପାନି ବନ୍ଚିତ କଲ ଯଦି ଦମ୍ ନାହିଁ ତେବେ ସରକାରଙ୍କ ଠାରୁ ଖଣି ନେଲ କାହିଁକି । ସେଠାରେ ଉପସ୍ଥିତ ଥିବା ଆଦିବାସୀ ଶ୍ରମିକ ନେତା ମାନେ କହିଥିଲେ ଯେ ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ସହିତ ଆତ୍ମହୁତି ଦେବା ପାଇଁ ପ୍ରସ୍ତୁତ ଅଛୁ । ତେଣେ ଏହି ଧାରଣା ସମ୍ପର୍କରେ ଖବର ପାଇ କେନ୍ଦୁଝର ଜିଲ୍ଲା ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଂଯୋଜକ ପ୍ରେମାନନ୍ଦ ସିଂ ଙ୍କ ସମେତ ଅନ୍ୟାନ୍ୟ ଦଳିୟ ନେତାମାନେ ଧାରଣା ସ୍ଥଳରେ ପହଂଚି ଶ୍ରମିକ ମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ ଓ ଗରିବ ଆଦିବାସୀ ମାନଙ୍କର ବିକାଶ ରେ ଓଡିଶାର ନବୀନ ସରକାର କେବଳ ଆଲୋଚନା ଯୋଜନା କରୁଥିବା ବେଳେ ଏହାର ବାସ୍ତବ ରୂପ ଖଣି ଅଂଚଳର ଶ୍ରମିକ ମାନଙ୍କଠାରେ ଦେଖିବାକୁ ମିଳୁନାହିଁ । ଏ ସଂକ୍ରାନ୍ତରେ କାସଭି ଖଣି କମ୍ପାନୀର ମାନବ ସମ୍ବଳ ଅଧିକାରୀ ଅନୁପ କୁମାର ରଥ ପ୍ରତିକ୍ରିଆରେ କହିଛନ୍ତି ଯେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବିଶେଷ ଏହି କମ୍ପାନି ବିରୋଧରେ ଅପପ୍ରଚାର ଚଳାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଖଣିରେ ପୂର୍ବରୁ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଠିକାଦାର ମାନେ ନିଯୁକ୍ତି ଦେଉଛନ୍ତି । ପରବର୍ତର୍ୀ ସମୟରେ ଖଣି ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ ।


