ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ଭାରତୀୟ ମେଟ୍ରୋଲୋଜି ବିଭାଗର ପୂର୍ବ ସୂଚନା ଅନୁଯାୟୀ ଆଗାମୀ ୧୯ ଓ ୨୦ ତାରିଖ ଦୁଇଦିନ ଧରି ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ହେବ ବୋଲି ଜଣାଇଛନ୍ତି । ଅନେକ କ୍ଷୟକ୍ଷତି ର ସମ୍ଭାବନା  ରହିଛି, ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲାର ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତି କରି ରହିବାକୁ କୁହାଯାଇଛି, ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ନିଜ ହେଡକ୍ବାର୍ଟରରେ ରହିବେ  । କେହି ହେଡକ୍ବାର୍ଟର ଛାଡିବେ ନାହିଁ ବୋଲି ଜିଲ୍ଲାପାଳ ରୋକଠୋକ୍ ଜଣାଇଛନ୍ତି  ।ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ମୁତାବକ ଆଗାମୀ ୧୯ ଓ ୨୦ ତାରିଖ ଦିନ ଲଗାଣ ବର୍ଷାରେ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି  । ଜିଲ୍ଲାରେ ଯେପରି ଜିରୋ କାଜୁଆଲିଟ ରହିବ ସେ ଦିଗରେ ସମସ୍ତ ଲାଇନ୍ ବିଭାଗ ଓ ରାଜସ୍ବ ବିଭାଗ ପୂର୍ବ ପ୍ରସ୍ତୁତି କରି ରଖିବାକୁ ଜଣାଇ ଦିଆଯାଇଛି  । ଗତ ସପ୍ତାହରେ ଯେଉଁ ଲଗାଣ ବର୍ଷା ହୋଇଥିଲା ସେଥିରେ ଡ୍ୟାମ୍, ଭୂମିର ଜଳପତ୍ତନ, ନଦୀ, ପୋଖରୀ ସବୁଥିରେ ପୂର୍ଣ୍ଣମାତ୍ରାରେ ଜଳ ଭରି ରହିଛି  । ଆଗକୁ ଆସୁଥିବା ବର୍ଷାଜଳ ଯୋଗୁଁ ନିଶ୍ଚିତ ରୂପେ ଅନେକ କ୍ଷୟକ୍ଷତି ହୋଇ ପରିସ୍ଥିତି ସାଂଘାତିକ ହେବ  । ତିତିଲିରେ ଯେଉଁ ପରିସ୍ଥିତି ଦେଖାଦେଇଥିଲା ତାହାର ପୂନରାବୃତି ହୋଇପାରେ, ପବନର ଭୟ ନାହିଁ କିନ୍ତୁ ଜଳବୃଦ୍ଧି ଭୟ ରହିଛି  । ଜିଲ୍ଲାର ଯେଉଁଯେଉଁ ଅଞ୍ଚଳ ଗୁଡିକରେ ବନ୍ୟା ପରିସ୍ଥିତି ଦେଖାଯାଉଛି ତାହାକୁ ଦେଖି ପୂର୍ବ ପ୍ରସ୍ତୁତି କରି ରହିବା ଜରୁରୀ  । ଆସ୍କା, ପାତ୍ରପୁର, ସୋରଡା,ପୁରୁଷୋତ୍ତମପୁର,ଛତ୍ରପୁର,ଗଞ୍ଜାମ,ବ୍ରହ୍ମପୁର ଇତ୍ୟାଦି ଅଞ୍ଚଳର ଖାଲ ସ୍ଥାନ ଗୁଡିକରେ ବର୍ଷାଜଳ ପୂର୍ଣ୍ଣ ହୋଇ ବିପଦ ଅବସ୍ଥା ଆସିବାକୁ ବହୁତ ସମୟ ଲାଗିବ ନାହିଁ  । ଏଣୁ ଖାଲୁଆ ଅଞ୍ଚଳରେ, କଚ୍ଚା ଘରେ, ବହୁ ପୂରାତନ କୋଠାଘରେ ଓ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଘରେ ରହୁଥିବା ପରିବାର ବର୍ଗଙ୍କୁ ସ୍ଥାନାନ୍ତର କରି ଉଚ୍ଚ ସ୍ଥାନ, ବାତ୍ୟା ଆଶ୍ରୟ ସ୍ଥଳ, ସୁରକ୍ଷିତ ସ୍କୁଲ ଗୃହ ଇତ୍ୟାଦିରେ ରଖାଯିବ  । ଲୋକଙ୍କୁ ସ୍ଥାନାନ୍ତରୀତ ଏବଂ ସେମାନଙ୍କର ରହିବା ବ୍ୟବସ୍ଥା ବେଳେ କୋଭିଡ୍ ନିୟମ ଯେପରି ପାଳନ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ଜଣାଇଦିଆଯାଇଛି  । ଆଜି ଠାରୁ ଚିହ୍ନଟ କରି ମାଇକ୍ ଦ୍ବାରା ପ୍ରଚାର କରି ସ୍ଥାନାନ୍ତର ଯୋଜନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ଏତଦ୍ ବ୍ୟତୀତ ଲୋକଙ୍କ ଘରେ ରଖାଯାଇଥିବା ଖାଦ୍ୟ ଓ ବସ୍ତ୍ର ଗୁଡିକୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସୁରକ୍ଷିତ ସ୍ଥାନରେ ରଖାଯିବ  । ପୂର୍ବ ପରିସ୍ଥିତି ଫେରିଲା ପରେ ସେମାନେ ସେମାନଙ୍କ ସାମଗ୍ରୀ ଧରି ନିଜ ଗୃହକୁ ଫେରିବେ  । ସେମାନଙ୍କ ରହିବା ସ୍ଥାନରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ,ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି  । କୌଣସି ଅଞ୍ଚଳ ବିଚ୍ଛିନ୍ନ ହେବା ପରେ ସେଠାରେ କୌଣସି ସାମଗ୍ରୀ ପହଞ୍ଚି ପାରିବ ନାହିଁ  । ଏଣୁ ପୂର୍ବ ପ୍ରସ୍ତୁତି କରି ସେ ସବୁ ରଖିବାପାଇଁ ଜଣାଇ ଦିଆଯାଇଛି  । ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରି ଏହି ତିନିଦିନ ସକାଶେ ସେମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ରଖାଯାଉ  । ସେଠାରେ ସେମାନଙ୍କୁ ଖାଇବା ଓ ସ୍ବାସ୍ଥ୍ୟ ପ୍ରତି ସତର୍କ ଦୃଷ୍ଟି ଦିଆଯିବ  । ଯେଉଁ ରାସ୍ତା ଧୋଇଯିବା ଅବସ୍ଥାରେ ଅଛି କିମ୍ବା କେଉଁଠି ପାହାଡ ଧସିବାର ସମ୍ଭାବନା ଅଛି ସେହି ସବୁ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ବୋଲେରୋ, ଟ୍ରାକ୍ଟର ସମେତ ଲାଇଫ୍ ଜ୍ୟାକେଟ୍, ଟ୍ରକ୍ କିମ୍ବା ବସ୍ ଟ୍ୟୁବ୍, ନୌକା, ଜେନେରେଟର୍, ଡିଜେଲ, ଶୁଖିଲା ଖାଦ୍ୟ,ପାନୀୟ ଜଳ, ହାଲୋଜେନ୍ ବଟିକା, ଔଷଧ, ଓ.ଆର୍.ଏସ୍. ପ୍ୟାକେଟ୍, ସାପ କାମୁଡା ଔଷଧ, ଡାଲି, ଚାଉଳ, ତେଲ, ପଲିଥିନ୍ ବ୍ୟାଗ୍, ବଡ ପଲିଥିନ୍, ଅତି ଜରୁରୀ ସାମଗ୍ରୀ ପ୍ରଭୃତି ପୂର୍ବପ୍ରସ୍ତୁତି କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି  । ଆବଶ୍ୟକ ସ୍ଥଳେ ଫ୍ରି କିଚେନ୍ ର ବ୍ୟବସ୍ଥା ମଧ୍ୟ କରାଯିବ । ଅପ୍ରିତିକର ପରିସ୍ଥିତି ଦେଖାଗଲେ ନାଭାଲ୍ ର ସାହାଯ୍ୟ ନେଇ ହେଲିକପଟର୍ ଦ୍ବାରା ମଧ୍ୟ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ରହିବାକୁ ହେବ  । ବର୍ଷା ସହ ବିଜୁଳି ମାରିବାର ସମ୍ଭାବନା ହେତୁ ଜନ ଜୀବନ ସୁରକ୍ଷିତ କରିବାକୁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି  ।      ଉପଜିଲ୍ଲାପାଳ ଗଣ ସରପଞ୍ଚ ମାନଙ୍କ ସହିତ ଆଲୋଚନା କରି ଗ୍ରାମାଞ୍ଚଳ ସ୍ତରରେ ପୂର୍ବ ପ୍ରସ୍ତୁତି କରି ରହିବାକୁ ଜଣାଇଦିଆଯାଇଛି  । ସ୍ବୟଂ ସିଦ୍ଧା, କୋଭିଡ୍ ମନିଟର୍, କୋଭିଡ୍ ସଖୀ, ଯୁବଗୋଷ୍ଠୀ ଇତ୍ୟାଦି ସ୍ବେଚ୍ଛାସେବୀ ମାନଙ୍କୁ ପ୍ରସ୍ତୁତ କରି ରଖିବା ଏବଂ ଭଲ ପହଁରିପାରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରିରଖିବାକୁ ଜଣାଇ ଦିଆଯାଇଥିଲା  । ସମସ୍ତେ ନିଜ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ସହିତ ବୈଠକ କରି ପୂର୍ବ ପ୍ରସ୍ତୁତି କରି ରହିବାକୁ ଜଣାଇ ଦିଆଯାଇଛି  । ସମସ୍ତେ ଜୁମ୍ ଆପ୍ ଡାଉନ୍ ଲୋଡ କରି ରଖିବେ, ଆବଶ୍ୟକ ସ୍ଥଳେ ଜୁମ୍ ଭିଡିଓ ଦ୍ବାରା ଆଲୋଚନା ହେବ  । ଧସିଯିବା ଅବସ୍ଥାରେ ଥିବା ପୋଲ, ଜଳପୂର୍ଣ୍ଣ ହେବାକୁ ଥିବା ଖାଲୁଆ ରାସ୍ତା ପ୍ରତି ନଜର ରଖନ୍ତୁ, ଆବଶ୍ୟକ ସ୍ଥଳେ ଉକ୍ତ ରାସ୍ତା ବନ୍ଦ କରି ଲୋକଙ୍କ ୟାତାୟତ ଓ ଯାନବାହନ ଚଳପ୍ରଚଳକୁ ବନ୍ଦ କରାଯିବ  । ମତ୍ସ୍ୟଜୀବୀମାନେ ଖାଲୁଆ ଅଞ୍ଚଳକୁ ଯାଇ ମାଛ ଧରିବାକୁ ବାରଣ କରିବା ନିମନ୍ତ ସତର୍କ କରିବାକୁ କୁହାଯାଇଛି  । ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଓ୍ବାସନ ଭି, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଖଣ୍ଡୀୟ ବନ ଅଧିକାରୀ ଅମ୍ଳାନ ନାୟକ   ଏବଂ ସମସ୍ତ ଜିଲ୍ଲା ସ୍ତରୀୟ  ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ