ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହର ଦାବିରେ ସରପଞ୍ଚଙ୍କ ସମେତ ଗ୍ରାମବାସୀଙ୍କ ଧାରଣା
ଛତ୍ରପୁର,(ଦେବଦତ୍ତ ମହାରଣା): ୨୦ ଜଣରୁ କମ୍ ଛାତ୍ରଛାତ୍ରୀ ପଢୁଥିବା ବିଦ୍ୟାଳୟ ଗୁଡିକୁ ସରକାର ବନ୍ଦ କରି ଉକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ନିକଟ ବିଦ୍ୟାଳୟରେ ଥଇଥାନ୍ କରିବାକୁ ସରକାର ଯୋଜନା କରିଥିଲେ । ଏହି ପ୍ରକ୍ରିୟାରେ ଗଞ୍ଜାମ ଜିଲ୍ଲାର ୪୦୦ରୁ ଅଧିକ ବିଦ୍ୟାଳୟ ବର୍ତ୍ତମାନ ବନ୍ଦ ହେବାକୁ ଯାଉଛି । ବନ୍ଦ ହେବାକୁ ଥିବା ଅନୁଷ୍ଠାନର ତାଲିକାରେ ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ଚଷା କଣମଣା ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ରଖାଯାଇଛି । ତେବେ ଏହାକୁ ବନ୍ଦ କରି ଅନ୍ୟ ପଞ୍ଚାୟତର ଥିବା ବିଦ୍ୟାଳୟରେ ଥଇଥାନା କରିବାକୁ ସ୍ଥିର କରାଯାଇଛି । ଏହାକୁ ପଞ୍ଚାୟତ ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀଙ୍କ ସମେତ ଚଷା କଣମଣାର ଗ୍ରାମବାସୀ ସଂପୂର୍ଣ୍ଣ ବିରୋଧ କରିଥିଲେ । ଚଷା କଣମଣା ଗ୍ରାମକୁ ପରିମଳ ଗ୍ରାମ ଭାବରେ ଘୋଷଣା କରାଯାଇଥିବା ବେଳେ ଏହି ଗ୍ରାମରେ ସମସ୍ତ ପ୍ରକାର ସୁବିଧା ଥାଇ ଅନ୍ୟ ପଞ୍ଚାୟତର ବିଦ୍ୟାଳୟକୁ ଛୋଟ ପିଲାମାନେ ଯିବା ପ୍ରସଙ୍ଗକୁ ସମୂହ ବିରୋଧ କରି ବିଦ୍ୟାଳୟକୁ ତାଲା ପକାଇ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ସୂଚନା ପାଇ ବ୍ଲକ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳେ ଜଣେ ସିଆରସିସି ପହଞ୍ଚି ଉପରୋକ୍ତ ବିଷୟକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ଲିଖିତ ପତ୍ର ପ୍ରଦାନ କରାଗଲେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଧାରଣାରୁ ଓହରିଥିଲେ ଏବଂ ଯେତେବେଳ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ପ୍ରସଙ୍ଗକୁ ପ୍ରତ୍ୟାହର କରାଯାଇ ନାହିଁ ସେ ଦିନ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ଝୁଲି ରହିବ ବୋଲି ସରପଞ୍ଚ ଶ୍ରୀ ରେଡ୍ଡୀଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଥିଲେ ।