ଓଡ଼ିଆ ଭାଷାରେ ଆସୁଛି “ବାହୁବଳୀ’
ଭୁବନେଶ୍ୱର: ଓଡ଼ିଆ ଦର୍ଶକଙ୍କ ପାଇଁ ଖୁସି ଖବର । କାରଣ ଓଡ଼ିଆ ଭାଷାରେ ହିଟ୍ ଫିଲ୍ମ ବାହୁବଳୀକୁ ଦର୍ଶକ ଦେଖିବାକୁ ପାଇବେ । ଜି ସାର୍ଥକରେ ଆଗାମୀ ୨୨ ତାରିଖରେ ଏହି ଫିଲ୍ମ ପ୍ରସାରଣ ହେବାକୁ ଯାଉଛି । ୨୦୧୫ ମସିହାରେ ବାହୁବଳୀ ବିଗିନିଙ୍ଗ ନାମରେ ଏହି ଫିଲ୍ମର ତେଲୁଗୁ ସହ ହିନ୍ଦୀ ଭର୍ସନ ରିଲିଜ୍ ହୋଇଥିଲା ଯେଉଁଥିରେ ମୁଖ୍ୟ ଭୂମିକାରେ ପ୍ରଭାସ, ରାଣା ଦଗୁବତି, ଅନୁଷ୍କା ସେଟ୍ଟୀ ଓ ତମନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ଏହି ଫିଲ୍ମର ନିର୍ଦ୍ଦେଶନା ରାଜମୌଲି ଦେଇଥିବାବେଳେ ୧୮୦ କୋଟି ଟଙ୍କାରେ ଫିଲ୍ମ ନିର୍ମାଣ ହୋଇଥିଲା । କିନ୍ତୁ ଫିଲ୍ମଟି ରିଲିଜ ହେବା ପରେ ଦର୍ଶକଙ୍କ ବିପୁଳ ସମର୍ଥନ ମିଳିଥିଲା । ଏହି ଫିଲ୍ମଟି ୬୫୦ କୋଟି ଟଙ୍କା ଆୟ କରିଥିଲା । ନୂଆ ରେକର୍ଡ ସୃଷ୍ଟି କରିପାରିଥିଲା ବାହୁବଳୀ । ଏହି ଫିଲ୍ମଟି ଭାରତର ସର୍ବାଧିକ ଆୟ କରୁଥିବା ଫିଲ୍ମ ଭାବେ ରେକର୍ଡ ସହ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତରେ ମଧ୍ୟ ସର୍ବାଧିକ ଆୟକାରୀ ଫିଲ୍ମ ହୋଇପାରିଥିଲା । ବାହୁବଳୀ ବିଗିନିଙ୍ଗ ପରେ ବାହୁବଳୀ ୨ ମଧ୍ୟ ରିଲିଜ ହୋଇଥିଲା ।


