୨୦୦ ଛକା କ୍ଲବ୍ରେ କୋହଲି
ନୂଆଦିଲ୍ଲୀ: ରବିବାରର ପ୍ରଥମ ଆଇପିଏଲ୍ ମୁକାବିଲାରେ ଗୁରୁବାର ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଶିଷ୍ୟ ବିରାଟ କୋହଲି ହାରି ଯାଇଥିଲେ । ହେଲେ ତାଙ୍କୁ ଧୋନି ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁବାରୁ ରୋକି ପାରି ନଥିଲେ । ରବୀନ୍ଦ୍ର ଜାଦେଜାଙ୍କୁ ଛକା ମାରି କୋହଲି ତୃତୀୟ ଭାରତୀୟ ଖେଳାଳି ଭାବେ ଆଇପିଏଲ୍ରେ ୨୦୦ ଛକା ପୂରଣ କରିଥିଲେ । ଏହା କରି ସେ ମହେନ୍ଦ୍ର ସିଂହ ଧୋନି (୨୧୬) ଏବଂ ରୋହିତ ଶର୍ମା (୨୦୯) ଙ୍କ କ୍ଲବ୍ରେ ଯୋଗ ଦେଇଥିଲେ । ଏହି ମ୍ୟାଚ୍ ପୂର୍ବରୁ କୋହଲି ୧୯୯ ଛକାରେ ଥିଲେ । ନିଜ ଅର୍ଦ୍ଧଶତକୀୟ ପାଳିରେ ସେ ମଧ୍ୟ ଏହି ଗୋଟିଏ ଛକା ମାରିଥିଲେ । ରୟାଲ ଚାଲେଞ୍ଜର୍ସ ପାଳିର ସପ୍ତଦଶ ଓଭରରେ ଜାଦେଜାଙ୍କୁ ଏକ ଦର୍ଶନୀୟ ଛକା ମାରିଥିଲେ କୋହଲି । ଯାହା ଆଇପିଏଲ୍ରେ ତାଙ୍କର ଦ୍ୱିଶତକୀୟ ଛକା ଥିଲା । ଏହି ମାଇଲଖୁଣ୍ଟ ଛୁଇଁବାକୁ କୋହଲି ୧୮୮ ମ୍ୟାଚ୍ ଓ ୧୮୦ ପାଳି ନେଇଥିଲେ । ମୋଟ ଟ୍ବେଣ୍ଟି-୨୦ରେ ୩୦୦ ଛକା ମାରିବାରୁ ସେ ଏବେ ମାତ୍ର ୪ ଛକା ଦୂରରେ ରହିଛନ୍ତି । ତାଙ୍କ ପୂର୍ବରୁ ତିନି ଜଣ ଭାରତୀୟ ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ଟ୍ବେଣ୍ଟି-୨୦ରେ ୩୦୦ ଛକା ମାରି ସାରିଛନ୍ତି । ଆଇପିଏଲ୍ରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ କିନ୍ତୁ ୱେଷ୍ଟଇଣ୍ଡିଜ୍ର ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ (୩୩୬) ଙ୍କ ନାଁରେ ରହିଛି । ତାଙ୍କ ପଛରେ ଦକ୍ଷିଣ ଆଫ୍ରିକୀୟ ଏବି ଡି’ଭିଲିୟର୍ସ (୨୩୧) ରହିଛନ୍ତି ।


