ଧୋନିଙ୍କଠାରୁ ହାରିଲେ କୋହଲି
ନୂଆଦିଲ୍ଲୀ: ବିଳମ୍ବରେ ହେଲେ ମଧ୍ୟ ଆଇପିଏଲ୍ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଋତୁରେ ତା’ର ଅସଲ ଚମକ ଦେଖାଇଛି। ୧୧ ମ୍ୟାଚ୍ରୁ ମାତ୍ର ୩ ବିଜୟ ହାସଲ କରିବା ପରେ ବୟସ୍କ ଦଳର ଠପା ଲାଗି ସାରିଥିବା ଚେନ୍ନାଇ ରବିବାର ଉଭୟ ବଲ୍ ଓ ବ୍ୟାଟ୍ରେ କମାଲ କରି ବିରାଟ କୋହଲିଙ୍କ ଶକ୍ତିଶାଳୀ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ଏକତରଫା ଭାବେ ୮ ୱିକେଟ୍ରେ ହରାଇ ଦେଇଛି। କଷ୍ଟକର ପିଚ୍ରେ କୋହଲି ନିଜେ ଅର୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଆରସିବିକୁ ଚେନ୍ନାଇ ସୁପରକିଙ୍ଗ୍ସ ସଫଳତାର ସହ ମାତ୍ର ଦେଢ଼ ଶହ ରନ୍ ତଳେ ଅଟକାଇ ଦେଇଥିଲା। ଷ୍ଟମ୍ପରୁ ଷ୍ଟମ୍ପ ବୋଲିଂ ସହ ଆରସିବି ବ୍ୟାଟ୍ସମ୍ୟାନ୍ଙ୍କୁ ହାତଖୋଲା ସଟ୍ ଖେଳିବାର କୌଣସି ସୁଯୋଗ ଦେଇ ନଥିଲେ ଚେନ୍ନାଇ ସୁପରକିଙ୍ଗ୍ସ ବୋଲର। ଫଳରେ ଏହି ଦଳ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ କେବଳ ୧୪୫ ରନ୍ କରି ପାରିଥିଲା। ଏହା ପରେ ପୁଣି ଥରେ ପାଳି ଆରବାର ସୁବର୍ଣ୍ଣ ସୁଯୋଗ ଲାଭ କରିଥିବା ଋତୁରାଜ ଗାଏକ୍ବାଡ୍ଙ୍କ ପ୍ରଥମ ଅର୍ଧଶତକ ବଳରେ ୮ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଗାଏକ୍ବାଡଙ୍କ ବିଳମ୍ବିତ ଗର୍ଜନ ପରେ ମଧ୍ୟ ପ୍ଲେ ଅଫ୍ ଦୌଡ଼ରୁ ପଛରେ ପଡ଼ି ସାରିଥିବା ଚେନ୍ନାଇ ଶେଷରେ ଆଶ୍ବସ୍ତ ହୋଇଥିଲା। ଦଳ ପାଖରେ ଆଉ ମାତ୍ର ଦୁଇଟି ମ୍ୟାଚ୍ ଥିଲା ବେଳେ ଏହାକୁ ଜିତି ସମ୍ମାନର ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ ବୋଲି ମ୍ୟାଚ୍ ପରେ ଅଧିନାୟକ ଧୋନି କହିଥିଲେ। ଦ୍ବାଦଶ ମ୍ୟାଚ୍ରୁ ଚେନ୍ନାଇ ରବିବାର ଚତୁର୍ଥ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଆର୍ସିବି ୧୧ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଥିଲା। ଋତୁରାଜ ତାଙ୍କ ସ୍ମରଣୀୟ ଓ ମ୍ୟାଚ୍ ବିଜୟୀ ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।


