ନବୀନ ମନ୍ତ୍ରରେ ସମସ୍ତେ ଚୁପ
ବ୍ରହ୍ମପୁର,(ପ୍ରଦୀପ ପଣ୍ଡା)- ଶାସକ ବିଜେଡି ଦଳ ପକ୍ଷରୁ କେତେକ ଲୋକସଭା ଓ ବିଧାନ ସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଖୋଦ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟୟକ ଏହି ତାଲିକା ଘୋଷଣା କରିଛନ୍ତି। ଗଂଜାମ ଜିଲ୍ଲାରେ କେତେକ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। କେତେକ ପୁରୁଣାଙ୍କୁ ବାଦ ଦିଆଯାଇ ନୂଆଙ୍କୁ ସୁଯୋଗ ମିଳିଛି। ଟିକେଟ ପାଇଥିବା ନେତାଙ୍କ ଶିବିରରେ ଖୁସିର ମହୋଲ ଦେଖିବାକୁ ମିଳିଥିବା ବେଳେ ଟିକେଟ କଟିଥିବା ନେତା ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ନିରସାର ମହୋଲ ଲାଗିରହିଛି। ହେଲେ ସମସ୍ତେ ଚୁପ।
ଗତଥର ବିଜେଡି ଟିକେଟ ପାଇଁ ବ୍ରହ୍ମପୁର ଲୋକସଭା ସିଟରୁ ସିଦ୍ଧାନ୍ତ ମହାପାତ୍ର ବିଜୟୀ ହୋଇ ଥିଲେ। ବିଧାନ ସଭା ସିଟରୁ ମଧ୍ୟ ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ ଲଗାତାର ଭାବେ ବିଜେଡି ଟିକେଟରେ ଜିତି ଆସୁଥିଲେ। ହେଲେ ଏଥର ଉଭୟ ସିଟରେ ନୁଆଁ ମୁହଁ। ଚନ୍ଦ୍ରଶେଖର ସାହୁ ଲୋକସଭା ଓ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ଟିକେଟ ଦେଇଛନ୍ତି। ପୂର୍ବରୁ ଏହାର ଆଭାସ ମିଳିବା ପରେ ଚ୍ୟାଉପଟନାୟକ ମହୋଦୟ ପରୋକ୍ଷ ଭାବେ ସାମାନ୍ୟ ବିଦ୍ରୋହ ସ୍ୱର ଛାଡି ଥିଲେ। ତାଙ୍କ ସମର୍ଥକ ମାନେ ମଧ୍ୟ ସାମ୍ବାଦିକ ସମିଳନୀ କରି ତାଙ୍କୁ ଟିକେଟ ଦେବାକୁ ଦାବିଜଣାଇ ଥିଲେ। ଏଥି ସହିତ ସିଦ୍ଧାନ୍ତ ବାବୁ ମଧ୍ୟ ତାଙ୍କ ସପକ୍ଷରେ ବାହାରି ମିଡ଼ିଆ ଆଗରେ ନିଜ ସପକ୍ଷରେ ପଦେ ଅଧେ କହିଦେଇଥିଲେ। ଉଭୟଙ୍କୁ ନବୀନ ବାବୁ ଡକାଇ କି ମନ୍ତ୍ର ପଢିଲେ କେଜାଣି ଟିକେଟ ଘୋଷଣା ପରେ କାହାର ସ୍ୱର ଶବ୍ଦ ନାହିଁ। ସେହି ଭଳି ଖଲ୍ଲିକୋଟ, କବିସୂର୍ୟ୍ୟନଗର, ଛତ୍ରପୁର ବିଧାନସଭା ପାଇଁ ନୁଆଁ ପାର୍ଥି ଘୋଷଣା ହୋଇଥିଲେ ମଧ୍ୟ ପୁରୁଣା ମାନେ ଚୁପ। କାହାପାଟିରୁ ପଦଟିଏ ହେଲେ ବିଦ୍ରୋହର ଶବ୍ଦ ବାହାରୁ ନାହିଁ। କାରଣ ସମସ୍ତେ ଜାଣନ୍ତି ବିଦ୍ରୋହ କଲେ କଣ ଫଳ ମିଳିବ। ତେଣୁ ସମସ୍ତେ ନିରବ ରହି ଦଳ ପାଇଁ କାମ କରିବାକୁ ଚିନ୍ତା କରୁଛନ୍ତି।


