ନାଉଗାଁ ଥାନାରେ ଅଫିସର ସଙ୍କଟ

ନାଉଗାଁ:ନାଉଗାଁ ଅଂଚଳର ଜନସାଧାରଣକୁ ସୁରକ୍ଷା ଦେବା ସହିତ ଅଂଚଳରେ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ନାଉଗାଁରେ ଥାନା ଖୋଲାଯାଇଛି । କିନ୍ତୁ ଥାନାରେ ଆବଶ୍ୟକ ଠାରୁ ବହୁତ କମ ସଂଖ୍ୟକ ଅଫିସର ଥିବା ଜଣାଯାଇଛି । ଏଥିମଧ୍ୟରୁ ଯଦି କୌଣସି କର୍ମଚାରୀ ତଥା ଅଫିସରଙ୍କ ଦେହ ଅସୁସ୍ଥ କିମ୍ବା ଜରୁରୀ କାମରେ ବାହାରକୁ ଯିବାକୁ ପଡେ ତେବେ ଥାନାରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଦେଖାଯାଉଛି ।ଏହାଫଳରେ ଥାନାର ଅଫିସରଙ୍କ ସମେତ ଅଂଚଳର ଜନସାଧାରଣମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି । ସୂଚନା ମୁତାବକ ନାଉଗାଁ ଥାନାରେ ଜଣେ ଆଇଆଇସି ପଦବୀ,୨ ଜଣ ଏସଆଇ, ୩ ଜଣ ଏଏସଆଇଙ୍କ ସମେତ ୯ଜଣ କନେଷ୍ଠବଳଙ୍କ ମଧ୍ୟରେ ୨ଜଣ ମହିଳା କନେଷ୍ଠବଳଙ୍କ ପଦବୀ ରହିଛି । କିନ୍ତୁ ଏଥିମଧ୍ୟରୁ ୩ ଜଣ କନେଷ୍ଠବଳ ଓ ୨ଜଣ ଏଏସଆଇଙ୍କ ପଦବି ଫାଙ୍କା ରହିଛି । ବର୍ତମାନ ୨ ଜଣ ଏସଆଇଙ୍କ ମଧ୍ୟରୁ ଜଣେ ଏସଆଇ ପ୍ରଶିକ୍ଷଣରେ ରହିଥିବା ବେଳେ ଜଣେ ଏଏସଆଇ ଛୁଟି ରହିଛନ୍ତି । ଯାହାଫଳରେ ଆଇଆଇସିଙ୍କ ସମେତ ଜଣେ ଏସଆଇଙ୍କୁ ନେଇ ନାଉଗାଁ ଥାନା ଚାଲୁଛି । ଭୌଗୋଳିକ ଦୃଷିକୋଣରୁ ନାଉଗାଁ ଅଂଚଳଟି ଶିଖରସେତୁ ଓ ଗଳଦାରୀ ସେତୁ ଦେଇ ପୁରୀ,କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ଗାରୋଇ-ମାଛଁଗା,ବାଲିକୁଦା ଓ ଜଗତସିଂହପୁର ଦେଇ ପାରାଦ୍ୱୀପ ଓ କେନ୍ଦ୍ରାପଡାକୁ ମଧ୍ୟ ସଂଯୋଗ ହୋଇଛି । ନାଉଗାଁ ଅଂଚଳଟି ଏ ସମସ୍ତ ଜିଲ୍ଲାର କେନ୍ଦ୍ରସ୍ଥଳୀ ହୋଇଥିବାରୁ ବିଭିନ୍ନ ସମୟରେ ଏହି ଅଂଚଳକୁ ବହୁ ଅସମାଜିକ ଯୁବକମାନେ ଆସି ଅପରାଧି କାର୍ଯ୍ୟରେ ଲିପ୍ତ ରହୁଥିବା ଜଣାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କଟକ ଜିଲ୍ଲା ନିଆଳି ଅଂଚଳଟି ନାଉଗାଁ ଅଂଚଳର ସୀମାରେ ରହିଛି । ନିଆଳି ଅଂଚଳର ଅସାମାଜିକ ଯୁବକମାନେ ପ୍ରତ୍ୟେହ ନାଉଗାଁକୁ ଆସି ବିଭିନ୍ନ ସ୍ଥାନରେ ବସି ଅପରାଧିକ କାର୍ଯ୍ୟ କରିବା ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଥିବା ଅଭିଯୋଗ ହେଉଛି । ଏହାଯୋଗୁଁ ନାଉଗାଁ ଥାନାର ଗୁରୁତ୍ୱ ରହିଥିବା ବେଳେ ଥାନାରେ କର୍ମଚାରୀଙ୍କ ସମେତ ଅଫିସରଙ୍କ ଅଭାବ ରହିଛି । ଫଳରେ ଉପସ୍ଥିତ ଥିବା ଅଫିସରଙ୍କ ସହିତ କର୍ମଚାରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି । ଯାହାକୁ ନେଇ ଅଂଚଳରେ ଆଇନଶୃଙ୍ଖଳାର ବ୍ୟତିକ୍ରମ ଘଟିବାର ସମ୍ଭାବନା ରହିଛି । ଅନ୍ୟପଟରେ ସରକାରଙ୍କ ପକ୍ଷରୁ ନୂଆ ମୋଟର ଯାନ ଆଇନ ପ୍ରଣୟନ କରାଯାଇଛି । କିନ୍ତୁ ଥାନାରେ ଆବଶ୍ୟକ ଅଫିସର ନଥିବାରୁ ଯାଂଚ ପ୍ରକିୟାରେ ବାଧା ଉପୁଜୁଛି । ଏ ସଂର୍ପକରେ ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କରଙ୍କୁ ପଚାରିବାରୁ ଆମ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଇଛୁ । ସେମାନେ ଏଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ଆବଶ୍ୟକ ମୁତାବକ ଅଫିସର ପଠାଇବେ ବୋଲି କହିଥିବା ଶ୍ରୀମତୀ କର କହିଛନ୍ତି । ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେଇ ଅଫିସର ପଠାଇବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ