ଗଂଗଦାହାଟ ଗୋବରୀ ନଦୀ ପୋଲ ବିପଦସଙ୍କୁଳ ;ନୂତନ ପୋଲ ନିର୍ମାଣ ଦାବି
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଗଂଗଦାହାଟ ଗୋବରୀ ନଦୀ ପୋଲଟି ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ପୋଲର ଉଭୟ ପାଶ୍ୱର୍ ଗାର୍ଡ ୱାଲ ଗୁଡିକ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡୁଥିବା ବେଳେ ପୋଲର ଉଭୟ ପଟ ସଂଯୋଗୀକରଣ ରାସ୍ତା ଦବୁଥିବା ଦେଖିବାକୁ ମିଳୁଛି ।ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହି ପୋଲଟି ୧୯୮୮-୮୯ ମସିହାରେ ବାଲିକୁଦା ନିର୍ବାଚନମଣ୍ଡଳୀର ତତ୍କାଳିନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ପ୍ରଚେଷ୍ଠାରେ ନିର୍ମାଣ କରାଯାଇଥିଲା । ଏହି ପୋଲ ନିର୍ମାଣ ହେବା ଦ୍ୱାରା ବ୍ଲକର ୬ ଗୋଟି ପଂଚାୟତର ଜନସାଧାରଣଙ୍କର ଯାତାୟତରେ ସୁବିଧା ହେବା ସହିତ ଗଂଗଦାହାଟ ମଧ୍ୟକୁ ପରିବହନର ସୁବିଧା ମଧ୍ୟ ହୋଇଥିଲା । ଦେବୀନଦୀର ଶିଖରଘାଟ ପୋଲ ନିର୍ମାଣ ହେବା ଦ୍ୱାରା ଏହି ପୋଲର ଗୁରୁତ୍ୱ ବଢିଯାଇଛି । ପ୍ରତିଦିନ ଏହି ପୋଲ ଦେଇ ଯାତ୍ରୀବାହୀ ଯାନ ପୁରୀ, ଭୁବନେଶ୍ୱର, ପାରାଦ୍ୱିପ, କଟକ ଆଦି ସ୍ଥାନକୁ ଯାତାୟତ କରୁଛି । ଉକ୍ତ ପୋଲଟି ନିର୍ମାଣ ହେବା ପାଖାପାଖି ୩୨ ବର୍ଷ ହୋଇଗଲାଣି । କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୬-୭ ବର୍ଷ ତଳେ ପୋଲର ଉପରି ଭାଗରେ ଢଳେଇ କାର୍ଯ୍ୟ କରାଯିବା ସହିତ ଗାର୍ଡ ୱାଲ ଗୁଡିକ ମରାମତି କରାଯାଇଥିଲା । ହେଲେ ଉକ୍ତ ଗାର୍ଡ ୱାଲ ଗୁଡିକ ଏବେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡୁଥିବା ବେଳେ ପୋଲର ଉପରି ଭାଗ ଢଳେଇ ଛାଡୁଥିବା ଦେଖାଯାଉଛି । ଫଳରେ ପୋଲର ଉପରି ଭାଗ ଖାଲଖମାରେ ପରିଣତ ହେବାରେ ଲାଗିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପୋଲ ଉପରେ ଦୈନିକ ଶହ ଶହ ବାଲି ଓ ପଥର ବୋଝେଇ ହାଇୱା ସହିତ ବହୁ ସଂଖ୍ୟାରେ ଭାରୀଯାନ ଯାତାୟତ କରୁଛି । ଉକ୍ତ ହାଇୱା ଗାଡି ଗୁଡିକ କ୍ଷମତା ଠାରୁ ଅଧିକ ପରିମାଣର ବାଲି ଓ ପଥର ପରିବହନ କରି ଯାଉଥିବା ବେଳେ ପୋଲଟି ଥରି ଉଠୁଛି । ଉକ୍ତ ପୋଲଟି କେଉଁ ମୂହୂର୍ତରେ ଭୁଷୁଡି ପଡିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ସ୍ଥାନୀୟ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଣୁ ପ୍ରଶାସନ ଏହି ପୋଲର ପୁନଃ ନିର୍ମାଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି ।


