ଇଣ୍ଡେନ ଏଲ.ପି.ଜି. ବଟଲିଂ ପ୍ଲାଂଟରେ ଆପାତକାଳୀନ ଅନସାଇଟ୍ ମକଡ୍ରିଲ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲା ଆଇ.ଓ.ସି.ଏଲ.(ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍) ତରଫରୁ ସ୍ଥାନୀୟ ବାମପଦା ସ୍ଥିତ ଇଣ୍ଡେନ ଏଲ.ପି.ଜି ବଟଲିଂ ପ୍ଲାଂଟ ପ୍ରାଙ୍ଗଣରେ ପୂର୍ବାହ୍ନ ୧୧ଘଟିକା ସମୟରେ ଏକ ଆପାତକାଳୀନ ଅନସାଇଟ୍ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଆକସ୍ମିକ ଭାବେ ଯେତେବେଳେ ଗ୍ୟାସ ବଟଲିଂ ପ୍ଲାଂଟରେ କୌଣସି ଅଗ୍ନିକାଣ୍ଡ ଘଟେ, ତେବେ ସେତେବେଳେ କିଭଳି ତାକୁ ତତ୍କ୍ଷଣାତ୍ ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ପର୍କରେ ଏହି ମକଡ୍ରିଲ ମାଧ୍ୟମରେ ଅଭ୍ୟାସ କରାଯାଇଥିଲା । ଏଥିରେ ଏନଡିଆରଏଫ, ଅଗ୍ନିଶମ ଏବଂ ଆଇ.ଓ.ସି.ଏଲ ପ୍ଲାଂଟର ସୁରକ୍ଷା ଦାୟିତ୍ୱରେ ଥିବା କାର୍ଯ୍ୟକର୍ତା ଓ ସମସ୍ତ ଶ୍ରମିକ ଅଂଶଗ୍ରହଣ କରିଥିଲେ । ଏଲପିଜି ପ୍ଲାଂଟର ମୁଖ୍ୟ ପରିଚାଳକ ଶ୍ରୀ ସୁବ୍ରତ କୁମାର ସାହୁ ଦୁର୍ଘଟଣା ସମୟରେ ଧନଜୀବନ ରକ୍ଷା କରିବାର ବିଭିନ୍ନ ଉପାୟ ଏବଂ କୌଶଳ ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଗ୍ନିଶମ ଅଧିକାରୀ ପୂରନ ସୋରେନ, ଏନଡିଆରଏଫ ଇନସପେକ୍ଟର ଶ୍ରୀ ମନୋରଞ୍ଜନ ମହାନ୍ତି, ବିର୍ଲା ଟାୟାର୍ସ, ଏଚପିସିଏଲ ଏବଂ ବିପିସିଏଲର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଓସଡାମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅବନୀକାନ୍ତ ଭୂୟାଁ ଏବଂ ୟୁନଡିପି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଗୋପାଳ ବାରିକ୍ ପ୍ରତିନିଧିତ୍ୱ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ ।


