କାର୍ତ୍ତିକ ମାସରେ ବୁଦ୍ଧଖୋଲକୁ ଜନ ସମାଗମ ବାରଣ

ବୁଗୁଡା,(ଅନିଲ କୁମାର ମହାରଣା): ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲକୁ କାର୍ତ୍ତିକ ମାସ ସୋମବାର ଓ ପୂର୍ଣ୍ଣିମା ଦିନ ଗୁଡିକରେ ଜନ ସମାଗମକୁ ବାରଣ କରି ବୁଦ୍ଧଖୋଲ ଉନ୍ନୟନ ସମିତିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୩୦ ତାରିଖ ଦିନ ବୁଦ୍ଧଖୋଲ ପାଦ ଦେଶରେ ଥିବା ମହୋତ୍ସବ ମଣ୍ଡପରେ ବୁଦ୍ଧଖୋଲ ଉନ୍ନୟନ ସମିତିର ଏକ ସାଧାରଣ ବୈଠକ ସଭାପତି ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅନୁପସ୍ଥିତରେ ଉପ ସଭାପତି ଏ. ଚନ୍ଦନ ଚର୍ଚ୍ଚିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ପ୍ରଦାନ ସହ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ। ଏହା ସର୍ବସମ୍ମତି କ୍ରମେ ଗୃହୀତ ହେବା ପରେ କାର୍ତ୍ତିକ ମାସର ଜନ ସମାଗମ ବିଷୟରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ବର୍ଷ ବୁଦ୍ଧଖୋଲ ପଞ୍ଚ ମହାଦେବ ପୀଠକୁ କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଓ ପୂର୍ଣ୍ଣିମା ଦିନ ହଜାର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥାଏ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସରକାରଙ୍କ କୋଭିଡ କଟକଣାକୁ ଦୃଷ୍ଟିରେ ରଖି କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଓ ପୂର୍ଣ୍ଣିମାରେ ଜନସମାଗମକୁ ବାରଣ କରାଯାଇ ପ୍ରସ୍ତାବ ଗୃହୀତ ହେବା ସହ କାର୍ତ୍ତିକ ମାସର ଜନ ସମାଗମ ବାରଣ ବିଷୟରେ ବୁଗୁଡା ଥାନା ଅଧିକାରୀ, ତହସିଲଦାର ଓ ବିଡ଼ିଓ ଙ୍କୁ ଅବଗତ କରିବା ପାଇଁ ଠିକ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ବିଶ୍ୱ ମୋହନ ମିଶ୍ର, କୋଷାଧ୍ୟକ୍ଷ କେ.ତ୍ରିଲୋଚନ ଦୋରାଙ୍କ ସମେତ ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ। ଏହି ବିଷୟ ନେଇ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେ ଯେ କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଡ ନିୟମ ପ୍ରକାରେ ବୁଦ୍ଧଖୋଲରେ କାର୍ତ୍ତିକ ମାସର ଜନସମାଗମକୁ ରୋକିବା ପାଇଁ ବୁଗୁଡା ପୋଲିସ ଥାନା ପକ୍ଷରୁ ପୋଲିସ ପ୍ରହରା ବ୍ୟବସ୍ଥା ସହ ପେଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ