ପଂଚମ ଜିଲ୍ଲା ପରିଷଦର ନବମ ବୈଠକ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍୍): ବାଲେଶ୍ୱର ଜିଲ୍ଲାର ପଂଚମ ଜିଲ୍ଲା ପରିଷଦର ନବମ ବୈଠକ ଆଜି ପୂର୍ବାହ୍ନ ଘ୧୦.୩୦ମି ସମୟରେ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ବୈଠକକୁ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଆଲୋଚନା ପାଇଁ ଧାର୍ଯ୍ୟ ହୋଇଥିବା ବିଭିନ୍ନ ବିଷୟ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ଭଦ୍ରକ ଲୋକସଭା ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଅନନ୍ତ ଦାସ, ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ବସ୍ତା ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ, ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ ପାତ୍ର, ସୋର ବିଧାୟକ ଶ୍ରୀ ପର୍ଶୁରାମ ଧଡା, ବାଲେଶ୍ୱର ସାଂସଦ ପ୍ରତିନିଧି ଶ୍ରୀ ଉମାକାନ୍ତ ମହାପାତ୍ର, ବାଲେଶ୍ୱର ବିଧାୟକ ପ୍ରତିନିଧି ଶ୍ରୀ ଗୌରାଙ୍ଗ ଚନ୍ଦ୍ର ଦାସ ପ୍ରମୁଖ ବୈଠକର ଆଭିମୁଖ୍ୟ ଓ ସମ୍ଭାବନା ସଂପର୍କରେ କହି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରେ ବୈଠକକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏଜେଣ୍ଡା ୱାରୀ ପରିଚାଳନା କରିଥିଲେ । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଏଥିରେ ଯୋଗଦେଇ ଉପସ୍ଥିତ ଲୋକପ୍ରତିନିଧି ଏବଂ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ଏହା ତୃଣମୂଳ ସ୍ତରରେ ବିକାଶ ଚିତ୍ର ଆକଳନ କରିବା ପାଇଁ ଏକ ପ୍ରକୃଷ୍ଟ ମଂଚ ବୋଲି କହିଥିଲେ । ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଅନନ୍ତ ଦାସ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ପ୍ରକଳ୍ପ ଓ ଅଟକଳ ମୂଲ୍ୟ ଭିତିକ ଆକ୍ସନ ପ୍ଲାନ ଉପରେ ଏଥରେ ଆଲୋଚନା କରାଯାଇଥିଲା । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଜିନରେଗା)ର ମଞ୍ଜୁର ହୋଇଥିବା ୯୩୭୩ ପ୍ରକଳ୍ପ ପାଇଁ ୧୩୪.୨୮ କୋଟି ଅନୁମୋଦନ ସହ ଏଣିକି ମନରେଗାରେ ୧୮୧ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରାଯାଇପାରିବ ବୋଲି ନୂତନ ନିଷ୍ପତି ସଂପର୍କରେ ପିଡି ଗୃହକୁ ଅବଗତ କରାଇଥିଲେ । ଏ ସଂପର୍କରେ ପ୍ରଚାର ପତ୍ର ଛାପି ପ୍ରତ୍ୟେକ ଗ୍ରାମରେ ବାଂଟିବା ସହ ଜନ ସଚେତନତା ସୃଷ୍ଟି କରାଯିବ ବୋଲି ସେ କହିଥିଲେ । ଏଥିରେ କୌଣସି ଧାର୍ଯ୍ୟ ଲକ୍ଷ୍ୟ ନ ଥିବା କାରଣରୁ ଯେତେ କାମ କରାଯାଇପାରିବ ସେତେ ଅର୍ଥ ପାଇପାରିବା ବୋଲି ଗୃହରେ ସଦସ୍ୟମାନେ ଖୁସୀ ପ୍ରକଟ କରିଥିଲେ । ପରେ ସର୍ବଶିକ୍ଷା ଅଭିଯାନ, ସାଧାରଣ ଖାଉଟୀ, ମଧ୍ୟାହ୍ନ ଭୋଜନ, କୃଷି ଓ ଉଦ୍ୟାନ କୃଷିର ଉନ୍ନତୀକରଣ, ସାମାଜିକ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ସ୍ୱଚ୍ଛ ଭାରତ ମିଶନ, ବିକାଶମୂଳକ କାର୍ଯ୍ୟ ପାଇଁ ଉପଲବଧ ପାଣ୍ଠିର ବଂଟନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ପ୍ରତି ଜିଲ୍ଲା ପରିଷଦ ଜୋନକୁ ୩.୭୫ ଲକ୍ଷ ଟଙ୍କା ହିସାବରେ ମୋଟ ୪୫ ଲକ୍ଷ ଟଙ୍କା ମିଳିଥିବା ବେଳେ ମୋଟର ଯାନ ଟ୍ୟାକ୍ସ ଅଧିନରେ ଜିିଲ୍ଲା ପରିଷଦ ଜୋନୱାରୀ ଟ ୧୦,୨୯,୮୯୪ଙ୍କା ହିସାବରେ ସର୍ବମୋଟ ଟ ୪୬୩,୪୫,୨୩୦ଙ୍କା ମିଳିଥିବା ପ୍ରକାଶ କରାଯାଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାମଚନ୍ଦ୍ର ଜେନାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏଥିରେ ଉପସ୍ଥିତ ବିଭିନ୍ନ ଯୋଜନାର କାର୍ଯ୍ୟ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ପାଢ଼ୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


