ମିଥ୍ୟା ଖବରକୁ ରୋକିବ ଫେସ୍ବୁକ୍
ମିଥ୍ୟା ଖବର ପ୍ରଚାର ଅଭିଯୋଗ ହେବା ପରେ ଫେସବୁକ ପକ୍ଷରୁ ମିଥ୍ୟା ଖବର ପୋଷ୍ଟିଂ ଉପରେ ଅଙ୍କୁଶ ଲଗାଇବାକୁ ତିନି ପ୍ରକାର ରଣନୀତି ପ୍ରସ୍ତୁତ କରାଯାଇଛି । ଯେଉଁମାନଙ୍କ ଆକାଉଣ୍ଟ ଜରିଆରେ ମିଥ୍ୟା ଖବର ପ୍ରଚାର କରାଯାଉଛି, ସେଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଫେସ୍ବୁକ ନିଷ୍ପତ୍ତି ନେଇଛି । ସେଭଳି ଆଉ କେତେକ ଦେଶରେ ଫେସ୍ବୁକ୍ ତୃତୀୟ ପକ୍ଷର ସହାୟତା ନେଇ ବ୍ୟବହାରକାରୀମାନେ ପୋଷ୍ଟ କରୁଥିବା ଲେଖାଗୁଡିକ ଯାଞ୍ଚ କରିବ । ସେହି ଲେଖାଗୁଡିକର ସତ୍ୟାସତ୍ୟ କେତେ ତାହା ଯାଞ୍ଚ କରିବା ପରେ ରେଟିଂ ଦିଆଯିବ ।
ଫେସ୍ବୁକ୍ ପ୍ରଡକ୍ଟ ମ୍ୟାନେଜର (ନିଉଜ ଫିଡ) ଟିସା ଲାୟନ୍ସ କରିଛନ୍ତି ଯେ, ମିଥ୍ୟା ଖବର ଲୋକଙ୍କ ପାଇଁ ଖରାପ ଓ ଫେସ୍ବୁକ୍ ପାଇଁ ମଧ୍ୟ ଖରାପ । ମିଥ୍ୟା ପ୍ରଚାରକୁ ରୋକିବା ପାଇଁ ଆମେ ବିପୁଳ ପରିମାଣରେ ନିବେଶ କରିଛୁ । ଆମେ ଉଚ୍ଚ ସ୍ତରରେ ସାମ୍ବାଦିକତା ଓ ଖବର ସାକ୍ଷରତାର ପ୍ରଚାର ଦିଗରେ କାମ କରୁଛୁ । ନିକଟରେ ୟୁରୋପୀୟ ସଂସଦରେ ଫେସ୍ବୁକ୍ର ମୁଖ୍ୟ ମାର୍କ ଜୁକର ବର୍ଗ କହିଥିଲେ ଆମ ସେବାରେ ଥିବା ତ୍ରୁଟି ସୁଧାରିବାକୁ ଆମେ ଚେଷ୍ଟା କରୁଛୁ । ମିଥ୍ୟା ଖବର ଓ ରାଜନୈତିକ ହସ୍ତକ୍ଷେପକୂ ରୋକିବା ଦିଗରେ କାମ ହେଉଛି । ମିଥ୍ୟା ଖବରଗୁଡିକର ସନ୍ଧାନ କରିବା ପାଇଁ ଫେସ୍ବୁକ୍ ପକ୍ଷରୁ ମେସିନ ଲର୍ଣ୍ଣିଂ ପ୍ରଯୁକ୍ତି ବ୍ୟବହାର କରାଯିବ । ପ୍ରତିଦିନ ନିୟୁତାଧିକ ନକଲି ଆକାଉଣ୍ଟ ଖୋଲିବାକୁ ପ୍ରୟାସ କରାଯାଉଛି । ଯାହାକୁ ଫେସବୁକ ଅଟକାଇ ଦେଉଛି । ମିଥ୍ୟା ଖବରଗୁଡ଼ିକୁ ଯେପରି ଅଧିକ ଲୋକଙ୍କ ପାଖରେ ନ ପହଞ୍ଚେ ସେଥିପାଇଁ ଫେସ୍ବୁକ୍ ଉଦ୍ୟମ କରୁଛି । ଯେଉଁଥିରେ ପରିଚୟ ଗୋପନ ରଖି ମିଥ୍ୟା ଖବର ପ୍ରଚାର କରିବାକୁ ପ୍ରୟାସ କରାଯାଉଛି ସେଭଳି ମାମଲାରେ ଫେସ୍ବୁକ୍ ଉକ୍ତ ଆକାଉଣ୍ଟକୁ ସବୁଦିନ ବନ୍ଦ କରିଦେଉଛି ଓ ସେଥିରେ ଥିବା ପୋଷ୍ଟକୁ ନଷ୍ଟ କରିଦେଉଛି । ଯେଉଁ ପେଜ୍ ଓ ୱେବସାଇଟ୍ ନିୟମିତ ମିଥ୍ୟା ଖବର ପ୍ରଚାର କରୁଛି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଉପରେ ମଧ୍ୟ ଫେସ୍ବୁକ୍ ବିଚାର କରୁଛି ।


