ତଣ୍ଡିକୁଳ ପଞ୍ଚାୟତର ଶତାଧିକ ଲୋକ ରାସନ ସାମଗ୍ରୀ ନ ପାଇ ହନ୍ତସନ୍ତ
ଜଗତସିଂହପୁର,(ଅନସୂୟା ରାଉତ): ବାଲିକୁଦା ବ୍ଲକର ତଣ୍ଡିକୁଳ ପଞ୍ଚାୟତର ୧୫ଟି ୱାର୍ଡ଼ର ଗରିବ ଲୋକ ୪ ମାସ ହେବ ରାସନ ସାମଗ୍ରୀ ନ ପାଇ ହନ୍ତସନ୍ତ ହେଉଥିବା ଚର୍ଚ୍ଚିତ ଖବର ପାଲଟିଛି । କାଉ ଦୋଷ କଲା ବଗ ଦଣ୍ଡ ପାଇଲା ନ୍ୟାୟରେ ଜଣଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ହଜାର ହଜାର ଲୋକ କଷ୍ଟ ପାଉଛନ୍ତି । ପ୍ରଶାସନ ଜାଣି ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନ କରିବା ସଧାରଣ ଜନତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଲୋକେ ଆଲୋଚନା କରୁଛନ୍ତି ପ୍ରଶାସନ ଓ ପରଜୀବୀ ଡିଲରଙ୍କ ମଧ୍ୟରେ ଅସାଧୁ ମେଣ୍ଟ ହୋଇନାହିଁ ତ ? ନାରାୟଣୀ ସ୍ବୟଂ ସହାୟକ ଗୋଷ୍ଠୀ ତଣ୍ଡିକୁଳ ପଞ୍ଚାୟତର ୧୫ଟି ୱାର୍ଡର ରାସନ ବଣ୍ଟନ ଦାଇତ୍ୱ ନେଇଥିଲା । ଲୋଭଖୋର ମନୋଭାବ ପାଇଁ କିରୋସିନି ହରିଲୁଟ ସମୟରେ ଧରାପଡି ବଣ୍ଟନ ବ୍ୟବସ୍ଥାରୁ ଅପସାରିତ ହେଲେ । କିନ୍ତୁ ସହି ଦିନଠାରୁ ହଜାର ହଜାର ଗରିବ ଖଟିଖିଆ ରାସନ ସାମଗ୍ରୀ ପାଇବାରୁ ବଂଚିତ ହେଲେ। ନା ପ୍ରଶାସନ ଉକ୍ତ ରାସନ ଅପହରଣ କରିଥିବା ଅପରାଧିଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଲେ ନା ଗରିବ ଲୋକଙ୍କୁ ରାସନ ଦେଲେ। ଯଥା ଶୀଘ୍ର ଅପରାଧି ମାନଙ୍କୁ ଦଣ୍ଡ ଦେଇ ରାସନ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।


