ସରକାରଙ୍କ ୫-ଟି କୁ ଅଣଦେଖା;ଶିକ୍ଷା କମିଟି ଅଜଣାତରେ ଚାଲିଛି ଲକ୍ଷାଧିକ ଟଙ୍କାର ମରାମତି କାର୍ଯ୍ୟ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ନାଉଗାଁ ପଂଚାୟତରେ ଥିବା ମାରଡା ଉ.ପ୍ରା ବିଦ୍ୟାଳୟରେ ଶିକ୍ଷା କମିଟିକୁ ଅଣଦେଖା କରାଯାଇ ଲକ୍ଷାଧିକ ଟଙ୍କାର କାର୍ଯ୍ୟ ମନଇଚ୍ଛା କରାଯାଉଥିବା ଶିକ୍ଷା କମିଟିର ଉପସଭାପତି ଅଶୋକ କୁମାର ନାୟକ, ସଦସ୍ୟ ନାରାୟଣ ପଟ୍ଟନାୟକ, ସୁରେଶ ଚନ୍ଦ୍ର ମୁଦୁଲି, ସରିତା ବିଶ୍ୱାଳ, ବଂଶୀଧର ସାହୁ ଆଦି ଗୁରୁବାର ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପୁନମ ବିଶ୍ୱାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଉକ୍ତ ବିଦ୍ୟାଳୟ ମରାମତି କାର୍ଯ୍ୟ ଚାଲୁ ରହିଥିବା ବେଳେ ଏହି କାର୍ଯ୍ୟ ବିଷୟରେ ଶିକ୍ଷା କମିଟିର ସଦସ୍ୟମାନେ ଜାଣି ନାହାନ୍ତି । ତେଣୁ ଉକ୍ତ କାର୍ଯ୍ୟ ପାଇଁ ଅନୁଦାନ କେଉଁଠୁ ଆସିଛି । କାର୍ଯ୍ୟ କରିବାର ସରକାରଙ୍କ ନିୟମାବଳି କ’ଣ ରହିଛି ସେ ସବୁ ବିଷୟରେ ଅବଗତ କରିବା ସହ କାର୍ଯ୍ୟ କରାଯିବା ପାଇଁ ବିଦ୍ୟାଳୟରେ ହୋଇଥିବା ଶିକ୍ଷା କମିଟର ବୈଠକର ବିବରଣୀ ପ୍ରଦାନ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି । ଯଦି ବିନା ବୈଠକରେ କାର୍ଯ୍ୟ କରାଯାଉଥିବ ଉକ୍ତ କାର୍ଯ୍ୟକୁ ବନ୍ଦ ରଖିବା ସହିତ ବିଲକୁ ବନ୍ଦ କରିବା ପାଇଁ ସଦସ୍ୟମାନେ ଦାବି କରିଛନ୍ତି । ଯଦି ଉକ୍ତ କାର୍ଯ୍ୟର ବିଲ କରାଯାଏ ତେବେ ସଦସ୍ୟମାନଙ୍କ ପକ୍ଷରୁ ଆଇନାନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପୁନମ ବିଶ୍ୱାଳଙ୍କ ସୂଚନାନୁଯାୟୀ ପ୍ରତି ବିଦ୍ୟାଳୟରେ ମରାମତି ପାଇଁ ସର୍ବ ଶିକ୍ଷା ତରଫରୁ ଅର୍ଥ ବ୍ୟୟବରାଦ କରାଯାଇଥାଏ । ବିଦ୍ୟାଳୟର ମରାମତି କାର୍ଯ୍ୟ କ’ଣ କରାଯିବ ସେ ବିଷୟରେ ଶିକ୍ଷା କମିଟି ନିଷ୍ପତି ଗ୍ରହଣ କରିଥାନ୍ତି । ଉକ୍ତ ନିଷ୍ପତିକୁ ସର୍ବ ଶିକ୍ଷା ଯନ୍ତ୍ରୀ କେତେ ଅର୍ଥ ବ୍ୟୟ କରାଯିବ ଏଷ୍ଟିମେଂଟ କରିଥାନ୍ତି । ଏହି ଏଷ୍ଟିମେଂଟ ଅନୁସାରେ କାର୍ଯ୍ୟ କରାଯାଇଥାଏ । କିନ୍ତୁ ବିଦ୍ୟାଳୟରେ ଶିକ୍ଷା କମିଟି ତରଫରୁ ମରାମତି ବିଷୟରେ କୌଣସି ନିଷ୍ପତି ନିଆଯାଇ ନଥିବା ସଦସ୍ୟମାନେ ମତବ୍ୟକ୍ତ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି କାହା ନିର୍ଦ୍ଦେଶରେ ଉକ୍ତ ବିଦ୍ୟାଳୟ ମରାମତି କରାଯାଉଛି ତାହା ତଦନ୍ତ ସାପେକ୍ଷ । ଏ ସଂପର୍କରେ ବୈଷୟିକ ପରାମର୍ଶଦାତା ପୁନମ ବିଶ୍ୱାଳଙ୍କୁ ପଚାରିବାରୁ ଉକ୍ତ ବିଦ୍ୟାଳୟରେ କରାଯାଇଥିବା କାର୍ଯ୍ୟର କମିଟି ତରଫରୁ ନିଷ୍ପତି ଗ୍ରହଣ କରାଯାଇନାହିଁ । ପରବର୍ତୀ ସମୟରେ କମିଟି ସଦସ୍ୟମାନଙ୍କର ନିଷ୍ପତିରେ ଦସ୍ତଖତ କରାଯିବ ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି । ଏ ସଂପର୍କରେ ଜିଲ୍ଲା ଶିକ୍ଷାଅଧିକାରୀ ଦାୟିତ୍ୱରେ ଥିବା ସପନ କୁମାର ଜେନାଙ୍କୁ ପଚାରିବାରୁ କାର୍ଯ୍ୟ ବିଷୟରେ ମୁଁ ଅବଗତ ନୁହେଁ କେଉଁଠି କାର୍ଯ୍ୟ ହେଉଛି ସେ ବିଷୟରେ ପଚାରି ବୁଝିବି ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ