ଆନ୍ଧ୍ର ଜିଲ୍ଲାପାଳଙ୍କ ସହ ଗଜପତି ଜିଲ୍ଲାପାଳଙ୍କ ଆଲୋଚନା ପରେ ଆଜି ଠାରୁ ଗଜପତିରୁ ସମସ୍ତ ବସ ଆନ୍ଧ୍ର ଦେଇ ଚଳାଚଳ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସମଗ୍ର ଦେଶରେ ଲକ୍ଡାଉନ,ସଟ୍ଡାଉନ୍ ପରେ ଯାତ୍ରୀବାହୀ ବସ୍ ଗୁଡିକ ଯାତାୟତ କଟକଣା ଆଦିକୁ ହଟାଇ ଦିଆଯାଇ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଗଜପତି ଜିଲ୍ଲାରୁ ଆନ୍ଧ୍ର ଦେଇ ବସ୍ ଯାତାୟତ କରିପାରୁ ନ ଥିଲା । ଏହାର ମୁଖ୍ୟ କାରଣ ଥିଲା ଆନ୍ଧ୍ର ପରିମିଟ ଦେଉ ନ ଥିଲା । ହେଲେ ଜିଲ୍ଲା ମଧ୍ୟରେ ଏବଂ ଓଡିଶା ପରିସୀମା ଦେଇ କିଛି ବସ୍ ଚଳାଚଳ କରୁଥିଲା । କିନ୍ତୁ ଆନ୍ଧ୍ର ପ୍ରଦେଶ ଦେଇ ଗୁଣୁପୁର-ପାରଳାଖେମୁଣ୍ଡି-ବ୍ରହ୍ମପୁର-ପଲାସା ଏବଂ ଅନ୍ୟାନ୍ୟ କେତେକ ଆନ୍ଧ୍ର ଅଞ୍ଚଳକୁ ବସ୍ ଯାତାୟତରେ ସମସ୍ୟା ରହିଥିଲା । ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ହସ୍ତକ୍ଷେପ ପରେ ଆନ୍ଧ୍ର ପ୍ରଦେଶ ଦେଇ ବସ୍ ଚଳାଚଳ ଆଜି ଠାରୁ ଆରମ୍ଭ ହୋଇଛି । ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଗଜପତି ଜିଲ୍ଲାର ଘରୋଇ ବସ୍ ଗୁଡିକୁ ଅନୁମତି ତଥା ପରିମିଟ ପ୍ରଦାନ କରୁ ନ ଥିବାରୁ ଏପରି ସମସ୍ୟା ଉପୁଜିଥିଲା । ଏନେଇ ବସ୍ ମାଲିକମାନେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ସମସ୍ୟାର ସମାଧାନ ହୋଇଛି । ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ଗଜପତି ଜିଲ୍ଲାର ଘରୋଇ ବସ ଗୁଡିକୁ ପରିମିଟ ପ୍ରଦାନ କରିବା ପରେ ଆଜି ଠାରୁ ଆନ୍ଧ୍ରର ପଲାସା, ମଞ୍ଜୁସା ଦେଇ ବ୍ରହ୍ମପୁର, ରାୟଗଡା ଜିଲ୍ଲାର ଗୁଣୁପୁର, ରାୟଗଡା ଆଦି ଦେଇ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି ।


