ବଂଟନ ମେଳା ଓ ବିଡିଓଙ୍କ କ୍ୱାଟର ଉଦଘାଟନ ଉତ୍ସବ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ବ୍ଲକରେ ଶୁକ୍ରବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ ମେଳା ଓ ବିଡିଓଙ୍କ ନବ ନିର୍ମିତ କ୍ୱାଟର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ସାନ୍ତସାହି ଗୋବରୀକେନାଲ କୂଳରେ ନବ ନିର୍ମିତ ବିଡିଓଙ୍କ ସରକାରୀ ବାସଭବନକୁ ଫିତା କାଟି ଉଦଘାଟନ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ବିଡିଓ ସୁଧିର କୁମାର ସିଂ,ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଚକ୍ରୋଡା ସମିତି ସଭ୍ୟ ଶିବ ପ୍ରସାଦ ବିଶ୍ୱାଳ,ସରପଂଚ ବସନ୍ତ କୁମାର ରାଉତ,କଂସାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା,କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ବ୍ଲକ ପରିସରରେ ଗାନ୍ଦିଜୀଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ମାଲ୍ୟର୍ପଣ କରିବା ପରେ ଶାରିରୀକ ଭିନ୍ନକ୍ଷମମାନଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିଥିଲେ । ଏହାପରେ ବିଜୁ ପଟ୍ଟନାୟକ ସମ୍ମିଳନୀ ଗୃହରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକର ୨୭ଟି ପଂଚାୟତର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହୀତାଧିକାରୀମାନଙ୍କୁ ପ୍ରତ୍ୟେକ ଏକଲକ୍ଷ ୨୦ହଜାର ଟଙ୍କାର କାର୍ଯ୍ୟାଦେଶ ବଂଟନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟର ଗରୀବ ଲୋକମାନଙ୍କ କଲ୍ୟାଣ ନିମିତ୍ତ କିଭଳି ବିଭିନ୍ନସରକାରୀ ଯୋଜନା ପ୍ରଣୟନ କରାଯାଇଛି ସେ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଆବାସ ଯୋଜନାରେ ଆଜି କାର୍ଯ୍ୟାଦେଶ ନେଉଥିବା ହିତାଧିକାରୀମାନେ ୨ମାସ ମଧ୍ୟରେ ଓ ୪ମାସ ମଧ୍ୟରେ ନିଜର ଗୃହ ନିର୍ମାଣ କାର୍ଯ୍ୟ ଶେଷ କରି ଇନସେନଟିଭ ଭାବରେ ୨୦ହଜାର ଓ ୧୦ହଜାର ଟଙ୍କା ପାଇବାକୁ ହକଦାର ହୁଅନ୍ତୁ ବୋଲି କହିଥିଲେ । ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା ଏହି ବ୍ଲକର ବିକାଶ ପାଇଁ ଯାହା ଆବଶ୍ୟକ ସେ ଜିଲ୍ଲା ସ୍ତରରେ ସେଥି ନିମନ୍ତେ ପ୍ରୟାସ ଜାରିରଖିବେ ବୋଲି କହିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ସରକାରୀ ଆବାସ ଯୋଜନା ଓ ଭତ୍ତାରେ ଯଦି କୈାଣସି ଲୋକ ବା ସରକାରୀ କର୍ମଚାରୀ ଅର୍ଥ ଦାବି କରନ୍ତି ତାହେଲେ ସେ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କଲେ ସେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ । ଶ୍ରୀ ଧଳ ବ୍ଲକ ଅଧ୍ୟକ୍ଷ ଥିବା ପର୍ଯ୍ୟନ୍ତ କୈାଣସି ପରିସ୍ଥିତିରେ ଏସବୁକୁ ପ୍ରସୟ ଦିଆଯିବ ନାହିଁ ବୋଲି ସେ କହିଥିଲେ । ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଡିଓ ଶ୍ରୀ ସିଂ ସ୍ୱାଗତ ଭାଷଣ ଓ ପ୍ରଗତି ସହାୟକ ଅରବିନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂସାର ସରପଂଚ ପ୍ରଦ୍ୟୁମ୍ନ ଜେନା,ବସନ୍ତ ରାଉତ,ଜୀନତ ର୍ପିୟଦର୍ଶିନୀ ରାଉତଙ୍କ ସମେତ ସମସ୍ତ ସରପଂଚ ଓ ସମିତି ସଭ୍ୟ,ସଭ୍ୟା ଓ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ ।


