ଧସିପଡିଲା ନିର୍ମାଣାଧିନ ୫୩ନମ୍ବର ଜାତୀୟ ରାଜପଥ, ଓଲଟିପଡିଲା ୩ ଟ୍ରକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :ଲଗାଣ ବର୍ଷାରେ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ମାର୍ଶାଘାଇ ଥାନା ଅନ୍ତର୍ଗତ ନୀଳାଞ୍ଚଳ ବଜାର ନିକଟରେ ନିର୍ମାଣାଧୀନ ରାସ୍ତାର ଏକଶହ ମିଟର ଧସିଯାଇଛି। ଏହି ରାସ୍ତା ଉପରେ ଛିଡା ହୋଇଥିବା ୩ଟି ଟ୍ରକ ଏହାଦ୍ୱାରା ତଳକୁ ଓଲଟି ପଡିଛି। ସୌଭାଗ୍ୟବଶତଃ ଘଟଣା ସମୟରେ ଟ୍ରକ୍‌ଗୁଡ଼ିକ ଭିତରେ କୈାଣସି ଲୋକ ନଥିଲେ। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି। ଘଟଣା ପରେ ଚଣ୍ଡିଖୋଲ-ପାରାଦୀପ -୫୩ ନମ୍ବର ଜାତୀୟ ରାଜପଥ ନିର୍ମାଣାଧୀନ ରାସ୍ତାର ଗୁଣବତ୍ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତାକଡ଼ରେ ମାଟି ଠିକ୍ ଭାବେ ଜମା ଓ ସଂଘନୀକରଣ କରାଯାଇନଥିବାରୁ ଲଗାଣ ବର୍ଷାରେ ସେହି ମାଟି ଧସିଯାଇଛି। ଏଥିସହ ରାସ୍ତା ନିର୍ମାଣରେ ପାଉଁଶ ଓ ଜିପସମ୍ ଭଳି ସାମଗ୍ରୀ ବ୍ୟବହାର ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ରାସ୍ତା ଧସିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ନିର୍ମାଣକାରୀ ସଂସ୍ଥାର ଜଣେ ଅଧିକାରୀଙ୍କୁ ଅଟକ ରଖି ପ୍ରତିବାଦ କରିଥିଲେ। ରାସ୍ତା ନିର୍ମାଣର ଗୁଣବତ୍ତା ଯାଞ୍ଚସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ନିର୍ମାଣ କାର୍ଯ୍ୟରେ ଅବହେଳା ଯୋଗୁଁ ଏହି ରାସ୍ତାରେ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଛି। ପ୍ରାୟ ଅଢେଇ ହଜାର କୋଟି ଟଙ୍କାର ବ୍ୟୟ ଅଟ୍ଟକଳରେ ନିର୍ମିତ ଏହି ରାସ୍ତା ପ୍ରକଳ୍ପରେ ନିର୍ମାଣର ମାନ ଓ କାର୍ଯ୍ୟର ଗୁଣବତ୍ତା ନେଇ ଏବେ ଗୁରୁତର ପ୍ରଶ୍ନ ଉଠିଛି। ଗତ ୬ ମାସ ତଳେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଶ୍ୟାମସୁନ୍ଦର ଗଡା ନିକଟରେ ଏକଶହ ମିଟର ରାସ୍ତା ଧସିପଡିଥିଲା। ଲଗାଣ ବର୍ଷା ଯୋଗୁଁ ରାସ୍ତା ଧସିଛି ନା ନିର୍ମାଣରେ କୌଣସି ତ୍ରୁଟି ରହିଛି ତାହାର ବିଧିବଦ୍ଧ ତଦନ୍ତ କରାଯିବାକୁ ଯୁବ ସ୍ୱାଭିମାନ ମଞ୍ଚର ସଭାପତି ସ୍ମୃତିରଞ୍ଜନ ଜେନା ଦାବି କରିଛନ୍ତି। ସେ କହିଛନ୍ତି ଜାତୀୟ ରାଜପଥ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ବାରମ୍ବାର ନିମ୍ନମାନର କାର୍ଯ୍ୟ କରୁଛି। ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ପୂର୍ବରୁ ବହୁବାର ଅଭିଯୋଗ କରାଯାଇଛି। ହେଲେ କର୍ତ୍ତୃପକ୍ଷ ତାହାକୁ ହାଲୁକା ଭାବେ ଗ୍ରହଣ କରିଛନ୍ତି। ଯାହାର ଫଳ ସ୍ୱରୂପ ପୂର୍ବରୁ ଶ୍ୟାମସୁନ୍ଦରପୁର ଓ ଏବେ ନୀଳାଞ୍ଚଳ ବଜାର ନିକଟରେ ନିର୍ମାଣାଧିନ ରାସ୍ତା ଧସିପଡିଲା। ଆଗକୁ ଆହୁରି ଅନେକ ସ୍ଥାନରେ ରାସ୍ତା ଧସିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଜନସାଧାରଣଙ୍କ ଟିକସ ଅର୍ଥକୁ ଏହିପରି ଭାବରେ ବରବାଦ କରାଯାଉଛି। ଏହାର ଉତ୍ତର ଦାୟିତ୍ୱ କାହାର ତାହାକୁ ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି। ତଦନ୍ତ ପରେ କାରଣ ସ୍ପଷ୍ଟ ହୋଇପାରିବ। ଘଟଣାସ୍ଥଳରେ ବିଶେଷଜ୍ଞ ଟିମ୍‌ଦ୍ୱାରା ରାସ୍ତାର ଗୁଣବତ୍ତା ଓ ନିର୍ମାଣ ସାମଗ୍ରୀ ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ