ଧାରା ୩୭୦, ତିନି ତଲାକ୍ ପରେ ପ୍ରଥମ ନିର୍ବାଚନ
ନୂଆଦିଲ୍ଲୀ : ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରେ ନିର୍ବାଚନ ହେବାକୁ ଥିବାବେଳେ ହରିୟାଣାରେ ୯୦ ଆସନରେ ନିର୍ବାଚନ ହେବ । ଏହି ଦୁଇଟି ରାଜ୍ୟରେ ବିଜେପି କ୍ଷମତାରେ ଅଛି । ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ କରି ବିଜେପି ସରକାର ଗଠନ କରିଥିବାବେଳେ ହରିୟାଣାରେ ମଧ୍ୟ ବିଜେପି ସରକାର ଅଛି । ତେବେ ମୋଦୀ ସରକାରଙ୍କ ଦ୍ୱାରା ଧାରା ୩୭୦ ଉଚ୍ଛେଦ ହେବାପରେ ଏବଂ ତିନି ତଲାକ୍ ବିଲ୍ ଗୃହୀତ ହେବାପରେ ଏହା ପ୍ରଥମ ନିର୍ବାଚନ ହେବାକୁ ଯାଉଛି । ୨୦୧୯ ଲୋକସଭା ନିର୍ବାଚନର ମୋଦୀ ମ୍ୟାଜିକ୍ ଆଗାମୀ ବିଧାନସଭା ନିର୍ବାଚନରେ କାମ ଦେବନାହିଁ ବୋଲି ବିରୋଧୀ ଦଳଗୁଡ଼ିକ କହୁଥିବା ବେଳେ ଲୋକସଭା ନିର୍ବାଚନ ପରେ ପ୍ରଥମ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ସଫଳତା ପାଇବ ବୋଲି ଆଶା ରଖିଛି । ଧାରା ୩୭୦ ଏବଂ ତିନି ତଲାକ୍ ବିଲ୍ ପାଇଁ ଉଭୟ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଜେପି ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିକଟରେ ନାସିକ୍ ଏବଂ ରୋହତକରେ କରିଥିବା ନିର୍ବାଚନୀ ର୍ୟାଲିରେ କଶ୍ମୀର ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଥିଲେ ।
ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେବାପରେ ମଧ୍ୟ ଏହି ନିର୍ବାଚନ ପ୍ରଥମ । ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ । ଦୁଇ ରାଜ୍ୟ ମହାରାଷ୍ଟ୍ର ଏବଂ ହରିୟାଣାରେ କଂଗ୍ରେସର ବହୁ ପୁରୁଖା ନେତା ଦଳ ଛାଡ଼ିଥିଲେ ମଧ୍ୟ କଂଗ୍ରେସ ସୋନିଆଙ୍କ ନେତୃତ୍ୱରେ ନିର୍ବାଚନ ଜିତିବାପାଇଁ ପ୍ରୟାସ ଜାରି ରଖିବ ।
ରାଜୀବ କୁମାରଙ୍କ ଆଗୁଆ ଜାମିନ ଆବେଦନ ଖାରଜ
କୋଲକାତା: କୋଟି କୋଟି ଟଙ୍କାର ଶାରଦା ଚିଟଫଣ୍ଡ ମାମାଲରେ ପୂର୍ବତନ କୋଲକାତା ପୁଲିସ୍ କମିଶନର ରାଜୀବ କୁମାରଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ ହୋଇଯାଇଛି । ଆଲିପୁର କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ନିଖୋଜ ଥିବା ରାଜୀବଙ୍କୁ ବଡ଼ ଝଟକା ଲାଗିଛି ।
ଏହା ପୂର୍ବରୁ ସିବିଆଇ ଟିମ୍ କୋଲକତାର ଭାବନୀ ଭବନ ଅଞ୍ଚଳରେ ଥିବା ସିଆଇଡି ମୁଖ୍ୟାଳୟରେ ଛାନଭିନ୍ କରିଥିଲେ । ସେଠାକାର ଅଧିକାରୀମାନେ ରାଜୀବଙ୍କ ସହ ଯୋଗାଯୋଗରେ ଅଛନ୍ତି କି ନା ସେନେଇ ପଚରାଉଚରା କରାଯାଇଥିଲା ।
ଏହା ପୂର୍ବରୁ ସିବିଆଇ ରାଜୀବ କୁମାରଙ୍କୁ ସମନ୍ କରି ତଦନ୍ତ ପାଇଁ ହାଜର ହେବାକୁ କହିଥିଲା । ସିବିଆଇ ରାଜୀବଙ୍କ ନାମରେ ଅଭିଯୋଗ ଆଣିଛି, ସେ ଶାରଦା ଚିଟଫଣ୍ଡ ମାମଲାରେ ପ୍ରମାଣରେ ହେରଫେର କରିଛନ୍ତି । ସେ ସେହି ସମୟରେ ଶାରଦା ଚିଟ୍ଫଣ୍ଡ ମାମଲାର ତଦନ୍ତ ପାଇଁ ଗଠିତ ଏସ୍ଆଇଟି ଦାୟିତ୍ୱରେ ଥିଲେ ।


