କରୋନା କାଳରେ ଆତ୍ମନିର୍ଭର; ରୋଜଗାର ଯୋଗାଉଛି ଗାଇ ଗୋବର ନିର୍ମିତ ଦୀପ
ଛତ୍ରପୁର,(ଦେବଦତ୍ତ ମହାରଣା): କରୋନା ଜନିତ ସମସ୍ୟା କାରଣରୁ ସାଧାରଣ ଜୀବନ ପ୍ରଭାବିତ ହୋଇଯାଇଛି । ରୋଜଗାର ହରାଇ ଅନେକ ଚିନ୍ତାରେ ପଡ଼ିଛନ୍ତିି । ରାଜ୍ୟ ବାହାରେ କାମ କରିବାକୁ ଯାଇଥିବା ଯୁବକ ଗ୍ରାମକୁ ଫେରିଥିଲେ ମଧ୍ୟ ସେମାନଙ୍କୁ ଠିକ ଭାବେ କାମ ମିଳୁନାହିଁ । ରୋଜଗାର ସମସ୍ୟା ଯୋଗୁଁ ପରିବାର ପେଟପାଟଣାର ଚିନ୍ତାର କାରଣ ପାଲଟିଛି । ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ କେତେକ ବ୍ୟବସାୟୀଙ୍କ ଉପରେ କଟକଣା କୋହଳ କରାଯାଇଛି । କେତେକ ଯୁବକ ଯୁବତୀ କାମ ଧନ୍ଦା ପାଇଥିବାବେଳେ ଆଉ କେତେ ବାହାର ରାଜ୍ୟକୁ ପଳାଇବାରେ ଲାଗିଛନ୍ତି । କରୋନା ମହାମାରୀ ଯୋଗୁଁ ଚାଷୀଙ୍କଠାରୁ ଆରମ୍ଭ କରି ସମସ୍ତ ବର୍ଗର ଲୋକମାନେ ବିଭିନ୍ନ ସମସ୍ୟାରେ ଗତି କରିଆସୁଛନ୍ତି । ଏଭଳି ସ୍ଥିତିରେ ଗାଇ ଗୋବରରୁ ନିର୍ମିତ ଦୀପ ଅନେକଙ୍କୁ ରୋଜଗାର ଯୋଗାଇଦେବା ମାଧ୍ୟମ ପାଲଟିଛି । ରାତି ପାହିଲେ ଦୀପାବଳି ପର୍ବ ଆସୁଥିବାରୁ ଦୀପର ଚାହିଦା ଓ ବିକ୍ରି ବୃଦ୍ଧି ପାଉଥିବାରୁ ଯୁବକମାନଙ୍କ ଉତ୍ସାହ ବୃଦ୍ଧି ପାଇଛି । ଏଭଳି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଂଚାୟତର କରାତଳି ଗ୍ରାମର ତିଅର ସାହି ନିବାସୀ ଗଣେଶ ବେହେରା ଦେଶୀ ଗାଇ ଗୋବରରୁ ଦୀପ ପ୍ରସ୍ତୁତ କରି ନିଜେ ରୋଜଗାରକ୍ଷମ ହେବା ସହ ୧୫ରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ମଧ୍ୟ ରୋଜଗାର ଯୋଗାଇଛନ୍ତି । ରାତି ପାହିଲେ ଦୀପାବଳି ଆସୁଥିବାରୁ ନୂତନ ପ୍ରକାର ଦୀପ ପ୍ରସ୍ତୁତ କରି ଛତ୍ରପୁର, ବ୍ରହ୍ମପୁର, ଭଦ୍ରକ, ତାଳଚେର ଅଂଚଳକୁ ପ୍ରସ୍ତୁତ କରି ପଠାଇଛନ୍ତି । ଶ୍ରୀ ଗୋ ବିଜ୍ଞାନ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିବା ତାଲିମରୁ ଅନୁସରଣ କରି ଗଣେଶ ଗାଇ ଗୋବରରୁ ଦୀପ ପ୍ରସ୍ତୁତି ବ୍ରହ୍ମି କମ୍ପୋଷ୍ଟ ଓ ସୈନ୍ଦୀବ ଲବଣ ପ୍ରସ୍ତୁତି କରିବା ଶିକ୍ଷା ଲାଭ କରିଥିଲେ । ପରେ ଓଡ଼ିଶାରେ ଏକ ଗୋଶାଳା ସହିତ ଯୋଗାଯୋଗ କରି ଦୀପ ପ୍ରସ୍ତୁତି ପାଇଁ ହେଉଥିବା ସାମଗ୍ରୀ ମଗାଇଥିଲେ । ଦୀପ ପ୍ରସ୍ତୁତି ପାଇଁ ନିଜ ଗୁହାଳରୁ ବାହାରୁଥିବା ଚାରୋଟି ଦେଶୀ ଗାଇଙ୍କ ଗୋବରକୁ ପ୍ରଥମେ ଶୁଖାଇ ତାକୁ ଗୁଣ୍ଡ କରି ସେଥିରେ କ୍ରିମିକ୍ସ ପାଉଡର (ତେନ୍ତୁଳି ଓ ଗୁଆଁର ମଞ୍ଜି ଗୁଣ୍ଡ ଏବଂ ସିଲିକେଟ ମିଶ୍ରଣ) ମିଶାଇ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମା ମାନେ ହାତରେ ଆଧୁନିକ ଧରଣର ଦୀପ ନିର୍ମାଣ କରିଆସୁଛନ୍ତି l ଏହା ସହ ସୈନ୍ଦୀବ ଲବଣ ମଧ୍ୟ ପ୍ରସ୍ତୁତ କରୁଛନ୍ତି l ଗାଇ ଗୋବରରୁ ପ୍ରସ୍ତୁତ ଦୀପ ପରିବେଶ ଅନୁକୁଳ ଓ ଆକର୍ଷଣ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଚାହିଦା ବୃଦ୍ଧି ପାଇଛି । ଗଣେଶ ପ୍ରାୟ ଏକ ବର୍ଷ ହେଲା ଏହି ଦୀପ ପ୍ରସ୍ତୁତ କରିଆସୁଛନ୍ତି । ବର୍ତ୍ତମାନ ଦୀପାବଳି ଉପଲକ୍ଷେ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ୱ ଦୀପ ପ୍ରସ୍ତୁତ କରି ଛତ୍ରପୁର, ବ୍ରହ୍ମପୁର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଇଛନ୍ତି । ଅର୍ଡ଼ର ଦେଲେ ତାଳଚେର, ଭଦ୍ରକ, ଢେଙ୍କାନାଳ ଓ ବାଲେଶ୍ୱର ଅଂଚଳକୁ ଦୀପଗୁଡ଼ିକ ପ୍ରସ୍ତୁତ କରି ପଠାଯାଉଛି ବୋଲି ଗଣେଶ ସୂଚନା ଦେଇଛନ୍ତି । ଗଣେଶ ନିଜେ ରୋଜଗାରକ୍ଷମ ହେବା ସହ ନିଜ ଗ୍ରାମର ପ୍ରାୟ ୧୫ ଜଣ ମହିଳାଙ୍କୁ ଦୀପ ନିର୍ମାଣ ତାଲିମ ଦେଇ ରୋଜଗାରକ୍ଷମ କରାଇଛନ୍ତି । ସୂଚନାଯୋଗ୍ୟ ଯେ ଗ୍ରାମୀଣ ବେକାରୀ ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଶ୍ରୀ ଗୋ ବିଜ୍ଞାନ ଫାଉଣ୍ଡେସନ ସାରା ଓଡ଼ିଶାରେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ରାଜେଶ କୁମାର ଦାଶ ଓ ଅଧ୍ୟକ୍ଷ ଡା.ନିରାକାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠାନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବ୍ଲକରେ ଦେଶୀ ଗାଇ ଗୋବରରୁ ବିଭିନ୍ନ ପ୍ରକାର ଦୀପ, ମଶାଧୂପ, ସୁଗନ୍ଧିତ ପୂଜା ଧୂପ, ଫୁଲକୁଣ୍ଡ ଓ ଅନ୍ୟାନ୍ୟ ଗୃହପୋଯୋଗୀ କାର୍ଯ୍ୟ କରାଯାଉଛି ।


