କଟକଣା ସତ୍ତ୍ୱେ ପୋଲିଥିନ ବ୍ୟବହାର ମୋହନାରେ ପରିବେଶ ନଷ୍ଟ ହେବାରେ ଲାଗିଛି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ମହକୁମା ମୋହନା ସହରରେ ପୋଲିଥିନ ବ୍ୟବହାର ଯୋଗୁଁ ପରିବେଶ ନଷ୍ଟ ହେବାରେ ଲାଗିଛି । ଏନେଇ ପ୍ରଶାସନ ପକ୍ଷରୁ ସଚେତନତା ଓ ଚଢାଉ କରାଯାଉ ନାହିଁ କି ବ୍ୟବସାୟୀ କିମ୍ବା ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଉନି । ମୋହନା ଓ ଏହାର ଆଖପାଖ ଅଞ୍ଚଳରେ ବହୁ ବ୍ୟବସାୟୀ ପ୍ଲାଷ୍ଟିକ ଗ୍ରାସ, ଚାମଚ, ପ୍ଲେଟ ଓ ପଲିଥିନ ବହୁ ମାତ୍ରାରେ ବ୍ୟବହାର କରୁଛନ୍ତି । ଦୋକାନୀ ପରିଥିନ ଲୁଚାଇ ରଖି ଏହାକୁ ଚଢା ଦରରେ ବିକ୍ରି କରୁଛନ୍ତି । ଚାରିଆଡେ ଅଳିଆ ଆବର୍ଜନାରେ ପ୍ଲାଷ୍ଟିକ ଗ୍ରାସ, ପ୍ଲେଟ, କପ, ପୋଲିଥିନ ମାସ ମାସ ଧରି ଜମା ହୋଇପଡି ରହି ପରିବହେଶ ଦୂଷିତ ହେବା ସହ ଗମନାଗମନ ସମୟରେ ଦୁର୍ଗନ୍ଧରେ ନାକ ଫାଟିପଡୁଛି । ଗାଇ ଗୋରୁ ଆଦି ପ୍ରାଣୀ ଏହାକୁ ଖାଇ ପେଟ ରୋକରେ ଅକ୍ରାନ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଏ ବିଷୟରେ ଜନସଚେତନତାର ଅଭାବ ସାଙ୍ଗକୁ ପ୍ରଶାସନର ଢିଲା କଟକଣା ଯୋଗୁଁ ପରିଥିନ ବ୍ୟବହାର କମିବାର ନାଁ ଧରୁନି । ସ୍ଥାନୀୟ ଅଞ୍ଚଳରେ ପାଣି ପାଉଚ ମଧ୍ୟ ଖୋଲମ ଖୋଲା ବିକ୍ରୀ ହେଉଥିବାର ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ଚଢାଉ ମଧ୍ୟ ହେଉନାହିଁ । ମୋହନା ସମେତ ଏହାର ଆଖ ପାଖ ଗ୍ରାମଗୁଡିକରେ ଅବାଧରେ ବିନା କଟକଣାରେ ଖୋଲାଖୋଲି ଭାବେ ପୋଲିଥିନ ଓ ପ୍ଲାଷ୍ଟିକ ଗ୍ରାସ ବିକ୍ରି ହେଉଛି । ସହରରେ ମାଛ, ମାଂସ, ପରିବା, ରାସନ ସାମଗ୍ରୀ ଆଦି ଦୋକାନ ଠାରୁ ଆରମ୍ଭ କରି ସବୁ ଦୋକାନରେ ପୋଲିଥିନର ବହୁଳ ବ୍ୟବହାର ହେଉଛି । ମୋହନା ମୁଖ୍ୟ ସଡକ ସମେତ ସାହି, ଗଳିକନ୍ଦି, ବିଦ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର, ହୋଟେଲ ଓ ଖେଳପଡିଆ ଆଦି ସ୍ଥାନରେ କୁଢ କୁଢ ପୋଲିଥିନ ପଡିଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଅବାଧରେ ଏହି କାରବାର ଓ ବ୍ୟବହାର ବଢିବାରେ ଲାଗିଛି । ସରକାରୀ ସ୍ତରରେ ୪୦ ରୁ ୫୦ ମାଇକ୍ରୋ ପୋଲିଥିନ ବିକ୍ରି ପାଇଁ ଅନୁମତି ଥିଲେ ମଧ୍ୟ ଏହାକୁ କେହି ମାନୁନାହାନ୍ତି । କର୍ତ୍ତପକ୍ଷ ଏଥିପ୍ରତି ଦୃଷ୍ଟିଦେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧଜୀବି ମହଲରେ ଦାବି ହୋଇଛି ।


